ମହିୟସୀ ମହିଳା ମଧୁମାୟା ପାଣିଗ୍ରାହୀଙ୍କ ପରଲୋକ

ବ୍ରହ୍ମପୁର,(ବିଚିତ୍ର ସାହୁ,୦୭/୦୨):-, ଆକାଶବାଣୀର ପ୍ରଥମ ଓଡ଼ିଆ କେନ୍ଦ୍ର ନିର୍ଦ୍ଦେଶକ ତଥା ପ୍ରସାରଣ ଜଗତର କିମ୍ବଦନ୍ତୀ ପୁରୁଷ ମଧୁସୂଦନ ପାଣିଗ୍ରାହୀଙ୍କ ପତ୍ନୀ ମାୟା ପାଣିଗ୍ରାହୀ ଆଜି ସନ୍ଧ୍ୟା ୬ଟା ୩୦ମିନିଟ୍‌ରେ ତାଙ୍କ ଅଶୋକ ନଗର, ୮ମ ଲାଇନ୍ ସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସେ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ସଭାନେତ୍ରୀ ଥିଲେ । ଜଣେ ମିଷ୍ଟଭାଷୀ ମହିଳାଭାବେ ଜଣାଶୁଣା ମାୟା ପାଣିଗ୍ରାହୀଙ୍କ ଜନସେବା କ୍ଷେତ୍ରରେ ବେଶ୍ ସୁନାମ ରହିଛି । ସେ ଆସିକାର ବିଶିଷ୍ଟ ସ୍ୱାଧୀନତା ଶିବରାମ ସାହୁ ଓ ଯଶୋଦା ଦେବୀଙ୍କ ପୁତ୍ରୀ ଥିଲେ । ୧୯୪୨ ମସିହାରେ ମଧୁସୂଦନ ପାଣିଗ୍ରାହୀଙ୍କ ସହ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।
ତାଙ୍କର ସ୍ୱାମୀ ମଧୁସୂଦନ ପାଣିଗ୍ରାହୀ ୯୪ ବର୍ଷ ବୟସରେ ଗତ ଏପ୍ରିଲ୍ ୧୨, ୨୦୧୮ ମସିହାରେ ପରଲୋକ ଗମନ କରିଥିଲେ । ଏହି ଦମ୍ପତିଙ୍କ ତିନି ପୁତ୍ର ସ୍ୱର୍ଗତ ଡାକ୍ତର ମିହିରକାନ୍ତ, ପ୍ରିୟଦର୍ଶୀ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ଶ୍ରେଷ୍ଠ ମଂଚ ଉପସ୍ଥାପକ ଭାବେ ସ୍ଥାନିତ ହୃଷୀକେଶ ଏବଂ ତିନି ଝିଅ ମଞ୍ଜୁଶ୍ରୀ (ସ୍ୱାମୀ ସ୍ୱର୍ଗତ ଦେବପ୍ରସାଦ), ସୁଜାତା (ସ୍ୱାମୀ ଅମ୍ବରୀଶ ପାଢ଼ୀ) ଓ ଜୟଶ୍ରୀ (ସ୍ୱାମୀ ମହେଶ ସାହୁ) ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରଦର୍ଶିତା ହାସଲ କରିଛନ୍ତି ।
ତାଙ୍କର ଅନେକ ନାତି ନାତୁଣୀ ପ୍ୟାରିସ୍‌, କାନାଡ଼ା, କାର୍ଲିଫନିଆ, ନିୟୁର୍କ, ଜର୍ମାନୀ ଆଦି ବିଭିନ୍ନ ସ୍ଥାନରେ ଅବସ୍ଥାପିତ ।
ଗ୍ରାମୀଣ କ୍ରୀଡ଼ା ଓ ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନ ଯେଉଁ ଉଦ୍ୟମ ଚଳାଇଛି, ମଧୁମାୟା ପାଣିଗ୍ରାହୀ ସେଥିରେ ଆରମ୍ଭରୁ ଯୋଗଦାନ କରିଆସିଛନ୍ତି ।
ସ୍ୱାମୀ ମଧୁସୂଦନ ପାଣିଗ୍ରାହୀଙ୍କ ଚାକିରୀ କାଳରେ ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥାନ କରିବା ସମୟରେ ସେ ଅନେକ ପରୋପକାରୀ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିଲେ । କଟକ ଠାରେ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସେ ରନ୍ଧା ଖାଦ୍ୟରେ ଆପ୍ୟାୟିତ କରିଥିଲେ । ସିଲାଇ କ୍ଷେତ୍ରରେ ବହୁ ମହିଳାଙ୍କୁ ସେ ସ୍ୱାବଲମ୍ବୀ କରିପାରିଛନ୍ତି । ଜୟପୁରଠାରେ ମହିଳା ସମିତି ଗଠନ କରି ଅନେକ ମହିଳାଙ୍କୁ ସେ ସଙ୍ଗଠିତ କରିଥିଲେ । ଆସିକା ହରିହର ହାଇସ୍କୁଲରେ ଅଧ୍ୟୟନ ସମୟରେ ରାଜା ହରିଶ୍ଚନ୍ଦ୍ର ନାଟକର ମୁଖ୍ୟ ଚରିତ୍ରରେ ତାଙ୍କର ଅଭିନୟ ଅନେକଙ୍କୁ ବିସ୍ମିତ କରିଦେଇଥିଲା । ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଦିବ୍ୟ ଜୀବନ ସଂଘରେ ସେ ଦୀକ୍ଷିତ ହୋଇଥିଲେ । ଗେଟ୍‌ବଜାର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

You might also like
error: Content is protected !!