ଯାଜପୁର ବାସିନୀ ମା’ବିରଜାଙ୍କ ସ୍ଵନକ୍ଷତ୍ର
” ବିଘ୍ନେଶ ନାଗ -ଭଗ -ଲିଙ୍ଗ ବିଧୁନ୍ଲଲାଟେ , ଧୃତ୍ବାସି ସର୍ବଜଗତାଂ ପ୍ରକୃତିସ୍ତ୍ବମାଦ୍ୟା ।ବ୍ରହ୍ମାଗ୍ନିଜେ ନିଖିଳପାପହରେ ଶରଣ୍ୟେ , ମାତଃ ପ୍ରସୀଦ ବିରଜେ ପରିପାହି ବିଶ୍ବମ୍ ” ll
ପବିତ୍ର ମାଘ ମାସ ମୌନୀ ଅମାବାସ୍ୟା/ତ୍ରିବେଣୀ ଅମାବାସ୍ୟା ରେ ଭଗବାନ୍ ବ୍ରହ୍ମାଙ୍କ ଯଜ୍ଞକୁଣ୍ଡରୁ ଦେବୀ ବିରଜା ପ୍ରକଟ ହୋଇଥିଲେ। ତେଣୁ ଆଜି ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ।
ଆଜି ମାଙ୍କୁ ସାବିତ୍ରୀ ବେଶରେ ଶୃଙ୍ଗାର କରାଯାଇଛି। ବିରଜା ମନ୍ଦିର (ଓଡ୍ଡ୍ୟାଣ ପୀଠ ବା ଉଡ୍ଡୀୟାନ ତନ୍ତ୍ରପୀଠ) ଯାଜପୁର ଜିଲ୍ଲାର ଏକ ଦେବୀ ମନ୍ଦିର । ଏହା ଭାରତର ବିରଜା କ୍ଷେତ୍ର ନାମରେ ଜଣା ।
ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା ରୂପରେ ପୂଜା ପାନ୍ତି । ଏହି ଦେବୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ମହିଷାସୁରର ଲାଙ୍ଗୁଳ ଶୋଭା ପାଏ । ଏଠାରେ ମହିଷାସୁର ମଇଁଷି ରୂପରେ ଖୋଦିତ ଯାହା ଭାରତରେ ବାକି ଜାଗାମାନଙ୍କରେ ଦେଖିବାକୁ ମିଳିନଥାଏ । ଦେବୀ ନିଜ ମୁକୁଟରେ ଗଣପତି, ଶିବଲିଙ୍ଗ, ଯୋନି, ନାଗରାଜ ଏବଂ ଅର୍ଦ୍ଧଚନ୍ଦ୍ର ଧାରଣ କରି ଅଛନ୍ତି ।
ସ୍କନ୍ଦ ପୁରାଣ (ଉତ୍କଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଅଛି । ବ୍ରହ୍ମା ଅଗ୍ନି ରୁ ଜାତ ବୋଲି ନାମ ବିରଜା
“ଗଦାକ୍ଷେତ୍ରଞ୍ଚ ବିରଜାମେକାମ୍ରଂ ଚକ୍ର ସଜ୍ଞକମ୍,
କୋଣାର୍କଂ ପଦ୍ମକ୍ଷେତ୍ରଞ୍ଚ ଶଙ୍ଖକ୍ଷେତ୍ରଂ ନୀଳାଚଳମ୍”
ଐତିହାସିକ ସମୃଦ୍ଧ ଯାଜପୁର ନଗରୀ ବୈତରଣୀକ୍ଷେତ୍ର ଭାବେ ପରିଚିତ । ଗଙ୍ଗାଠାରୁ ପ୍ରାଚୀନ ବୋଲି ବିଶ୍ୱାସ କରାଯାଉଥିବା ଏବଂ ଗଙ୍ଗା ପରି ପରମ ପବିତ୍ର ତଥା ମହାଭାରତ ଯୁଗର ପ୍ରାଚୀନ ମନ୍ଦାକିନୀ ନଦୀର ଶାଖା ନଦୀ ସପ୍ତରେଖା ବା ବୈତରଣୀ ନଦୀ ଏ କ୍ଷେତ୍ରର ଶୋଭାବର୍ଦ୍ଧନ କରିଥାନ୍ତି।ଏଇ ପବିତ୍ର ନଦୀର ଜଳରେ ଯୁଧିଷ୍ଠିର, ବ୍ରହ୍ମା ଓ ଦେବଗଣଙ୍କ ଗହଣରେ ଯଜ୍ଞ କରିଥିଲେ ବୋଲି କିମ୍ବଦନ୍ତୀ କହେ । ମହାଭାରତ ଯୁଦ୍ଧ ଉପରାନ୍ତେ ସମସ୍ତ ହତ୍ୟା ଦୋଷ ଛଡାଇବା ପାଇଁ ସ୍ନାନ କରିଥିଲେ ଏଇ ବୈତରଣୀ ନଦୀରେ । ଦଶାଶ୍ବମେଧ ଯଜ୍ଞ ସମାପନ କରି ବ୍ରହ୍ମା ହିଁ ସ୍ଥାପନା କରିଥିଲେ ଏଠାରେ ମା' ବିରଜାଙ୍କୁ, ଆମନ୍ତ୍ରିଥିଲେ ଦେବୀଗଙ୍ଗାଙ୍କୁ । ଗଙ୍ଗାଙ୍କ ଅଂଶ ଭାବେ ଜାତ ହୋଇଥିବାରୁ ହିଁ ବୈତରଣୀ ଏତେ ପବିତ୍ର ଉଲ୍ଲେଖଯୋଗ୍ୟ ଯେ, ବ୍ରହ୍ମାଙ୍କ ତପଃ ବଳେ ଦେବୀ ବିରଜା ଏ କ୍ଷେତ୍ରରେ ବୈଦିକ ଦେବୀରେ ରୂପାନ୍ତରିତ ହେଲେ ଏବଂ ବ୍ରହ୍ମଦେଵ ତାଙ୍କୁ ଗାୟତ୍ରୀ ମନ୍ତ୍ରରେ ଉପାସନା କରି ଶ୍ରେଷ୍ଠ ବୈଦିକଦେବୀ ସ୍ବରୂପରେ ମହିମା ମଣ୍ଡିତ କଲେ । ସେଥିପାଇଁ ବ୍ରହ୍ମତନ୍ତ୍ର କହେ:.
“ମାଘଦର୍ଶେ ସମୁଦ୍ଭୂତା ରବିକୋଟି ସମପ୍ରଭା
ମାଧବର୍କ୍ଷେତ ମଧ୍ୟାହ୍ନେ ବିରଜା ସା ସନାତନୀ
ଗାୟତ୍ରୀ ମନ୍ତ୍ର ରାଜେନ ତସ୍ୟା ପୂଜାଂ ସମାଚରେତ୍ ।”
ମାଘମାସ ତ୍ରିବେଣୀ ଅମାବାସ୍ୟା ରେ ଏହି ଯଜ୍ଞ ସଂପନ୍ନ ହୋଇଥିଲା। ତେଣୁ ଏହି ପୁଣ୍ୟତିଥି ମା' ବିରଜାଙ୍କ ସ୍ୱନକ୍ଷତ୍ର ତିଥୁ ରୂପେ ଖ୍ୟାତ। ଏହି ଯଜ୍ଞାନୁଷ୍ଠାନ ନିମିତ୍ତ ବିରଜାପୀଠ ଯଜ୍ଞପୁରୀ ନାମରେ ପରିଚିତ ହେଲା। ବୈଦିକ ଯୁଗ ପରେ ପୁରାଣଯୁଗ ସମୟକୁ ବିରଜାପୀଠ ପ୍ରସିଦ୍ଧ ତନ୍ତ୍ରପୀଠ ରୂପେ ଖ୍ୟାତ ହୋଇଥିଲା। ସଂସ୍କୃତ ମହାଭାରତରେ ଏହି ପୀଠର ପ୍ରସିଦ୍ଧି ରହିଛି।
ll ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ ll :-
“ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ”
ଅର୍ଥାତ୍ ସେତୁବନ୍ଧରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ରରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା। ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ନାଭି ପତିତ ହୋଇଥିଲା ।
” ଉତ୍କଳେ ନାଭିଦେଶଶ୍ଚ ବିରଜା କ୍ଷେତ୍ରମୁଚ୍ୟତେ ବିରଜା ଭୈରବୀ ୟତ୍ର ଯଜ୍ଞକୋଳସ୍ତୁ ଭୈରବ “
ll ଆଦି ଶଙ୍କରକୃତ ଶକ୍ତିପୀଠ ସ୍ତବରେ ଭାଗବତ୍ପାଦ ବର୍ଣ୍ଣନା କରିଛନ୍ତି ll :-
“ଉଜ୍ଜୟିନ୍ୟା ମହାକାଳୀ ପୀଠିକାୟମ୍ ପୁରୁହୁତିକା
ଓଡ୍ଡ୍ୟାଣେ ଗିରିଜା ଦେବୀ ମାଣିକ୍ୟ ଦକ୍ଷବାଟିକେ”
ଏଠାରେ ବର୍ଣ୍ଣିତ ଗିରିଜା ଦେବୀ ଆଜିକାର ବିରଜା ଦେବୀ ଏହା ନିଃସନ୍ଦେହ । ବର୍ତ୍ତମାନର ମନ୍ଦିର ତ୍ରୟୋଦଶ ଶତାବ୍ଦୀର ହେଲେ ହେଁ ଏହି ପୀଠଟି ଗୁପ୍ତ ଯୁଗର ବୋଲି ଅନେକ ଗବେଷକ ମତ ଦେଇଥାନ୍ତି । ଭାରତର ମୁଖ୍ୟ ଚାରୋଟି ତନ୍ତ୍ରପୀଠ ମଧ୍ୟରେ ବିରଜା ମନ୍ଦିର ଆସିଥାଏ,ସେଗୁଡିକ ହେଲା-କାମଗିରି(କାମାଖ୍ୟା),ଜାଳନ୍ଧର,ଓଡ୍ଡୀୟାନ,ପୂର୍ଣ୍ଣଗିରି । ମା ବିମଳା ଓ ମା ବିରଜା ଏକ ଶକ୍ତି ବୋଲି କଥିତ ହୁଅନ୍ତି,ବିରଜାମନ୍ଦିର ଠାରୁ ପୁରୁଷୋତ୍ତମ ଜଗନ୍ନାଥ କ୍ଷେତ୍ର ଯାଏଁ ସ୍ଥାନ ବିରଜମଣ୍ଡଳ ବୋଲି କଥିତ । ଏତଦ୍ ଭିନ୍ନ ବ୍ରହ୍ମପୁରାଣ, ବାୟୁପୁରାଣ ଓ ବ୍ରହ୍ମାଣ୍ଡ ପୁରାଣ ପ୍ରଭୃତିରେ ବିରଜାପୀଠର ପ୍ରଶସ୍ତି ରହିଛି। ଏହି ପୁରାଣ ଯୁଗରେ ହିଁ ଶକ୍ତିପୀଠ ସହିତ ଦକ୍ଷଯଜ୍ଞ ଉପାଖ୍ୟାନ ଜଡ଼ିତ ହୋଇ ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା ରହିଛି। ସେସବୁ ଶାସ୍ତ୍ର ଅନୁଯାୟୀ ସତୀଙ୍କ ଅଂଶ ଯେଉଁ ଯେଉଁ ସ୍ଥାନରେ ପଡ଼ିଲା ତାହା ଶକ୍ତିପୀଠ ହେଲା। ଶାସ୍ତ୍ରସମୂହରେ ଏତାଦୃଶ ୫୧ଟି ପୀଠ ଓ ୨୬ଟି ଉପପୀଠର ମହିମାବର୍ଣ୍ଣିତ। ମହାପୀଠ ନିରୂପଣ ତନ୍ତ୍ର ଅନୁଯାୟୀ ୫୧ଟି ପୀଠ ମଧ୍ୟରେ ବିରଜାପୀଠ ଅନ୍ୟତମ। ଏଠାରେ ସତୀଙ୍କର ନାଭି ପଡ଼ିଥିବା କଥା ଉଲ୍ଲେଖ ରହିଛି।
“ନାଭି ପୀଠେ ମହାଦେବୀ ବିରଜା ବିରଜପ୍ରଦା,
ବୈତରଣୀ ତଟେ ଦଦ୍ୟାତ୍ ପିଣ୍ଡଂ ପିତୃଗଣାଂସ୍ତଥା
ଯଜ୍ଞ ନଗ୍ରାତ୍ ସମାରଭ୍ୟ ଯାବତ୍ ତୀର୍ଥ ମହୋଦଧିଂ
କୌଳ ଭୂମିରିତି ଖ୍ୟାତୁ ସର୍ବସିଦ୍ଧ ପ୍ରଦାୟକଃ” ।।
ଏହି ତନ୍ତ୍ରରାଧ୍ୟଦେବୀ ନାଭି ପୀଠ ବା କେନ୍ଦ୍ରସ୍ଥଳରେ ବିରାଜମାନ ରହି ତନ୍ତ୍ରର କେନ୍ଦ୍ରବିନ୍ଦୁ ସ୍ବରୂପ ପ୍ରତୀୟମାନ ହେଲେ। ୫୧ ଗୋଟି ତନ୍ତ୍ରପୀଠର ମଧ୍ୟସ୍ଥଳରେ ବିରଜା ଯନ୍ତ୍ରାରୂଢ଼ ରହି ପ୍ରଥମ ମହାଶକ୍ତି ଏବଂ ତାଙ୍କ ଶକ୍ତିଙ୍କ ରକ୍ଷକ ଭାବରେ ବିଜୟ ବା ବରାହ ବିରାଜିତ ହେଲେ। ସେଥିପାଇଁ କୁହାଯାଇଛି,
“ଉତ୍କଳେ ନାଭିଦେଶ ବିରଜାକ୍ଷେତ୍ର ମୁଚ୍ୟତେ,
ବିରଜା ସା ମହାଦେବୀ ବିଜୟସ୍ତତ୍ର ଭୈରବ”।।
ଅନ୍ୟାନ୍ୟ ତନ୍ତ୍ର ପୀଠରେ ଶକ୍ତିଙ୍କ ରକ୍ଷକ ଭାବରେ ଶିବ ବିଭିନ୍ନ ନାମରେ ବିରାଜମାନ ଥିଲେ ହେଁ ବିଶ୍ବର ପ୍ରଥମ ତନ୍ତ୍ରପୀଠରେ ବିରଜାଙ୍କ ରକ୍ଷକ ଭାବେ ବିଷ୍ଣୁବରାହ ନାମରେ ବିରାଜମାନ ହେଲେ। ଏହାଦ୍ଵାରା ଶୈବ ଓ ଶାକ୍ତ ତନ୍ତ୍ର ସହିତ ବୈଷ୍ଣବ ତନ୍ତ୍ରର ମହାମିଳନ ସଂଘଟିତ ହେଲା। ପରବର୍ତ୍ତୀ କାଳରେ କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଦୀନେଶଚନ୍ଦ୍ର ସରକାର ପ୍ରାଚୀନ ଶାସ୍ତ୍ରୋଦ୍ଧାର ପୂର୍ବକ ଉଲ୍ଲେଖ କରିଛନ୍ତି,
“ମାନସେ ଦକ୍ଷହସ୍ତୋ ମେ ଦେବୀ ଦାକ୍ଷାୟଣୀ ହରଃ
ବିରଜାଚୋତ୍କଳେ ଖ୍ୟାତା ନାଭିର୍ମେ ଜୟଭୈରବଃ” ।।
ପବିତ୍ର ସ୍ୱନକ୍ଷତ୍ରରେ ଦେବୀ ବିରଜାଙ୍କୁ ଗାୟତ୍ରୀ ମନ୍ତ୍ରରେ ପୂଜା କରାହେଉଥିଲେ ହେଁ ବନଦୁର୍ଗା ମନ୍ତ୍ରରେ ନିତ୍ୟପୂଜା କରାଯାଏ।
“ବିରଜା ମା ମହାଦେବୀ ପରଂବ୍ରହ୍ମ ସ୍ଵରୂପିଣୀ
ଗାୟତ୍ରୀ ବେଦମାତା ଚ ଶବ୍ଦବ୍ରହ୍ମ ସ୍ଵରୂପିଣୀ”।।
ବେଦର ପରମତତ୍ତ୍ୱ ଓ ପରମମନ୍ତ୍ରକୁ ସେ ତନ୍ତ୍ର ରୂପରେ ବିସ୍ତାର କରି ତନ୍ତ୍ର ଧର୍ମ, ସଂସ୍କୃତି ଏବଂ ଦର୍ଶନରେ ଅନନ୍ୟ ଓ ଅନବଦ୍ୟା। ଗରୁଡ଼ପୁରାଣ, ପଦ୍ମପୁରାଣ, ବ୍ରହ୍ମାଣ୍ଡ ପୁରାଣ, ବାୟୁପୁରାଣ, କପିଳ ସଂହିତା, ବ୍ୟାସଙ୍କ ମହାଭାରତ, ଶାରଳା ଦାସଙ୍କ ଓଡ଼ିଆ ମହାଭାରତ, ଅବଧୂତ ଗୀତା, ବିରଜାକ୍ଷେତ୍ର ମାହାତ୍ମ୍ୟ ଇତ୍ୟାଦି ଏହି କ୍ଷେତ୍ରର ମାହାତ୍ମ୍ୟ ଗାନରେ ହୋଇଛନ୍ତି ପ୍ରଶଂସାମୁଖର । ଅଥର୍ବ ବେଦରେ ମଧ୍ୟ ଦେବୀ ବିରଜାଙ୍କ ନାମ ପରିଦୃଷ୍ଟ । (ଆମ ଓଡ଼ିଶା ମଧ୍ୟ ଅଥର୍ବ ବେଦର ଆଦିଭୂମି, ଅଥର୍ବ ବେଦର ବହୁଳାଂଶ ଓଡିଶାରୁ ଉଦ୍ଧୃତ ।) କ୍ଷେତ୍ରେଶ୍ୱରୀ ବିରଜାଙ୍କୁ କେନ୍ଦ୍ରରେ ରଖି ବିଭିନ୍ନ ସମୟରେ ବିରଜା, ବିରଜାକ୍ଷେତ୍ର, ବିରଜାପୀଠ, ବିରଜାନଗର,ବିରଜାମଣ୍ଡଳ ଆଦି ନାମକରଣ କରାଯାଇଛି । ଏଇ ମହାକ୍ଷେତ୍ରରେ ପିତୃପୁରୁଷଙ୍କ ମୁକ୍ତି ଓ ତୃପ୍ତିର ବିଧାନ ଥିବାରୁ ଏହା ମଧ୍ୟ ପିତୃତୀର୍ଥର ମାନ୍ୟତା ଲଭିଛି । ପିତୃତୀର୍ଥରୁ ଏହାର ନାମ କାଳକ୍ରମେ ନାଭିଗୟା ହୋଇଛି ।
ll ମା ବିରଜାଙ୍କ ପାଦ ଦର୍ଶନ ll :-
ମା ବିରଜାଙ୍କର ପାଦ ଦର୍ଶନ ଥରେମାତ୍ର କରିଦେଲେ ଅନେକ ଜନ୍ମରୁ ପୂଣ୍ୟପ୍ରାପ୍ତି ହୋଇଥାଏ ।ପ୍ରତିପଦରୁ ନବମୀ ତିଥି ପର୍ଯ୍ୟନ୍ତ ପ୍ରତ୍ୟେହ ପାତଃ ସମୟରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ମା ଙ୍କ ପାଦ ଦର୍ଶନ କଲେ କୋଟିଜନ୍ମରୁ ପୂଣ୍ୟମିଳେ । ଏଥିରେ କୌଣସି ଦ୍ବିଧାନାହିଁ । ପୂଣ୍ୟତୋୟା ନଦୀ ତଥା ପତିତପାବନୀ ବୈତରଣୀ ନଦୀ ତଟସ୍ଥ ବିଧି ନିଦ୍ଦିଷ୍ଟ ବ୍ରାହ୍ମଣମାନେ ସ୍ବୟଂଶୁଦ୍ଧ ପୂତ ହୋଇ ନଦୀରୁ ଜଳ ଆଣି ମା ଙ୍କର ସ୍ନାନ କରାଇଥାନ୍ତି । ସ୍ନାନପରେ ଗର୍ଭ ଗୃହରେ ମା ଙ୍କ ଦର୍ଶନରେ ସୁଯୋଗମିଳେ । ମା ଙ୍କ ପାଦ ଦର୍ଶନ କରିବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଭକ୍ତମାନେ ଆସିଥାନ୍ତି । ଶାସ୍ତ୍ର ମତରେ ଜଣାଯାଏ ଉତ୍ତର ପ୍ରଦେଶର କାଶୀ ନଗର ରେ ସ୍ବୟମ୍ବୁ ଲିଙ୍ଗ(ଜ୍ୟୋର୍ତିଲିଙ୍ଗ) ବିଶ୍ବନାଥଙ୍କୁ ଆଠଦିନ ଦର୍ଶନ ପୁରୁଷୋତ୍ତମ କ୍ଷେତ୍ର ରେ ଏକଦିନ ମହାପ୍ରଭୁ ଚତୁର୍ଦ୍ଧ ମୂର୍ତ୍ତି ଦର୍ଶନରେ ଜାହା ଫଳମିଳେ । ମା ବିରଜା ଙ୍କୁ ଥରେ ମାତ୍ର ପାଦ ଦର୍ଶନ କଲେ ଅନେକ ଜନ୍ମରୁ ପୂଣ୍ୟପ୍ରାପ୍ତି ହୋଇଥାଏ ।
“ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ”
ସାରା ସଂସାର ରେ ମା ର ଆଶିଷ ଠାରୁ ଅନ୍ୟ କିଛି ନାହିଁ। ମା ଙ୍କ ପାଦ ଦର୍ଶନ ପରେ ଚରଣାମୃତ ପାନକରି ଶରୀର ର ସମସ୍ତ ପାପକ୍ଷୟ ହେବା ସହିତ ଶରୀର ଶୁଦ୍ଧହୁଏ । ପାଦ ଦର୍ଶନରେ ଶରୀର ରେ ଥିବା ନବଦ୍ବାର ଶୁଦ୍ଧତା ସହିତ ଚର୍ତୁବର୍ଗ ଫଳ(ଧର୍ମ,ଅର୍ଥ,କାମ,ମୋକ୍ଷ) ଲାଭ ହୁଏ ।