ଭୈମୀ ଏକାଦଶୀ ମେଳା ପରମ୍ପରା ବଜାୟ ରଖିବାକୁ ଦାବୀ
ନୟାଗଡ(ପ୍ରଭାକର ଶିରୋମଣି )୩୦ l ୧ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋରେ ପ୍ରତିବର୍ଷ ଭଳି ଶ୍ରୀ ଜୀଉଙ୍କ ପାରମ୍ପରିକ ଭୈମୀ ଏକାଦଶୀ ମେଳା ମାଘ ଶୁକ୍ଳ ଏକାଦଶୀ ଠାରୁ ଆଗାମୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହେଉଥିଲା ବେଳେ ଅଣ ଆନୁଷ୍ଠାନିକ ଭାବେ ୧୫ ଦିନ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିଥାଏ l ଏହି ପାରମ୍ପରିକ ଯାତ୍ରା ଶହ ଶହ ଵର୍ଷ ଧରି ପୁରୁଣା ଯାତ୍ରା ପଡିଆରେ ଚାଲି ଆସୁଥିବା ବେଳେ ଗତ ଵର୍ଷ ମନ୍ଦିର ବିକାଶ ପ୍ରକଳ୍ପ କାର୍ଯ୍ୟ କରାଯାଇ ଥିବାରୁ ମେଳା ଓ ମହୋତ୍ସବକୁ ପାର୍ଶ୍ୱରେ ଥିବା ପଲଟନ ଖେଳ ପଡିଆରେ କରିବାକୁ ଖଣ୍ଡପଡା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ତହସିଲଦାର, ଅନ୍ୟସବୁ ବିଭାଗ ସରକାରୀ ମୁଖ୍ୟ କର୍ମଚାରୀ ଓ ଗ୍ରାମ୍ୟ କମିଟିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯାଇଥିଲା । କିନ୍ତୁ ଉକ୍ତ ଖେଳ ପଡିଆ ଉପଯୋଗୀ ହୋଇ ନଥିବାରୁ ବ୍ୟବସାୟୀ ମାନେ ବିମୁଖ ହୋଇ ଫେରି ଯାଇଥିଲେ ଓ ଚଳିତ ଵର୍ଷ ସେହି ଖେଳ ପଡିଆରେ ଯଦି ମେଳା ପାଇଁ ପଦକ୍ଷେପ ଗ୍ରହଣ କରାଯାଏ ତେବେ ୩୦୦ ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ଆସିବେ ନାହିଁ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି । ତେଣୁ ଚଳିତ ଵର୍ଷ ସେହି ପୁରୁଣା ମାଘମେଳା ପଡିଆରେ ଦୋକାନ ବଜାର ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରା ନ ଯାଏ ତେବେ ଶ୍ରୀ ନୀଳମାଧଵ ଜୀଉଙ୍କ ଭୈମୀ ଏକାଦଶୀ ମେଳା ସବୁଦିନ ପାଇଁ ଇତିହାସ ପାଲଟି ଯିବ ଏଥିରେ ସନ୍ଦେହ ନାହିଁ l