ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ ବଡ଼ ପଦକ୍ଷେପ, ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ…

କଟକ(ଏସ.ଏମ.ପି): ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ବଡ଼ ବ୍ୟବସ୍ଥା । ଚଳିତ ବର୍ଷ ଠାରୁ ମାଟ୍ରିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ । ସେଲ୍ଫ ଡିସପ୍ଲେ ୱାଟର ମାର୍କ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ସେହି ୱାଟର ମାର୍କ ଆସିଯିବ ।କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର କେଉଁ ସେଣ୍ଟରର ଏବଂ କେଉଁ ହଲ୍ର ତାହା ସେଥିରୁ ଜଣାପଡିଯିବ । ଦେଶରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ ଫାର୍ମ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡ ଅନୁଧ୍ୟାନ କରିବା ପରେ ଏହି ୱାଟର ମାର୍କ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟର ମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି ।

ପରୀକ୍ଷାମୂଳକ ଭାବେ ଆସନ୍ତା ୧୭ ରେ ହେବାକୁ ଥିବା ପରୀକ୍ଷା ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ଲଗାଯାଇଛି । ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ ନମ୍ବର ଓ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ସମସ୍ତ ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ବ୍ୟବସ୍ଥାରେ ରହିଛି । ତେଣୁ ପ୍ରଶ୍ନପତ୍ର ଯଦି ଭାଇରାଲ୍ ହେଲା ତେବେ ତାହା କେଉଁ ସେଣ୍ଟରରୁ ଏବଂ କେଉଁ ପରୀକ୍ଷାର୍ଥୀଙ୍କର ତାହା ଜଣାପଡିବା ଅତି ସହଜ ହେବ । ତେଣୁ ଏହି ୱାଟର ମାର୍କ ବ୍ୟବସ୍ଥା ଦ୍ୱାରା ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରତିହତ ହୋଇ ପାରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

You might also like
error: Content is protected !!