ବାଲି ଚଲା ଖିଆ “ପରମ୍ପରା ଏବେବି ବଞ୍ଚିଛି
ନୟାଗଡ଼(ପ୍ରଭାକର ଶିରୋମଣି,୧୩/୧):-ଆଜି କାଲି କେତେକ ସ୍ଥାନ ରେ ବାଲି ଚଲା ଖିଆ ତଥା ବଣଭୋଜି ଖିଆ ପରମ୍ପରା ବଞ୍ଚି ରହିଥିବା ଦେଖା ଯାଉଛି l ପୁରାତନ କଥା ବସ୍ତୁକୁ ଉଜ୍ଜୀବିତ କରିବା ପାଇଁ ବିଶେଷତଃ ମହିଳା ମାନେ ବିଭିନ୍ନ ଦେବ ଦେବୀଙ୍କ ନିକଟରେ ମାନସିକ କରି ପୂଜା କରିଥାନ୍ତି l ସେଥି ମଧ୍ୟରୁ ପ୍ରତି ବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ନୟାଗଡ଼ ଜିଲ୍ଲା ଅଞ୍ଚଳ ରେ ଏହି ପରମ୍ପରା କେଉଁ ଆବାହମାନ କାଳରୁ ଚାଲି ଆସିଛି ସେ ବିଷୟରେ ବୟସ୍କ ଲୋକମାନେ କହିବା ସମ୍ଭବ ହେଉ ନଥିବା ଜଣାଯାଏ l
ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ମହାନଦୀ କୂଳବର୍ତ୍ତୀ ଅଞ୍ଚଳ କଣ୍ଟିଲୋ , ବଡ ବାଣପୁର, ଘଣା ଶାଳିଆ, କୁମୁଣ୍ଡି, ରତନ ପୁର, ଅକୁରାବନ୍ଧ, ସିଧାମୂଳା, ପଥର ଚକଡା , ମାଧପୁର, ଧାନ ଚାଙ୍ଗଡ଼ା, କାଳିଆ ପଲ୍ଲୀ, ତେନ୍ତୁଳିଆ ପଲ୍ଲୀ, ବେଣା ଗାଡ଼ିଆ ଓ ଗୋପୀନାଥ ପୁର ଆଦି ଅଞ୍ଚଳରେ ମହିଳା ମାନେ ମହାନଦୀ, କମେଇଁ କୁଆଁରୀଆ ନଦୀ ର ବାଲି ଥିବା ସ୍ଥାନକୁ ଚାଲି ଚାଲି ଯାଇ ସେଠାରେ ପିଣ୍ଡି ପ୍ରସ୍ତୁତ କରିବା ସହିତ ବନ ଦୁର୍ଗା ଙ୍କୁ ସ୍ଥାପନ କରି ମହିଳା ମାନେ ପୂଜା କରି ଥାଆନ୍ତି l ଏହି ଅବସର ରେ ପ୍ରତ୍ୟେକ ମହିଳା ଘରୁ ମୁଢି, ବରା, ମିଠା ଓ ବିଭିନ୍ନ ପ୍ରକାର ପିଠା ଓ ଧନୁ ମୁଆଁ ପୂଜାକରି ପରସ୍ପର ମଧ୍ୟରେ ଖୁଆଖୋଇ ହେଇଥିବା ପରମ୍ପରା ରହିଥିବା ଲକ୍ଷ୍ୟ କରାଯାଏ l ଏହାପରେ ଉପସ୍ଥିତ ଥିବା ମହିଳା ମାନେ ଓ ସଙ୍ଗରେ ଯାଇଥିବା ପିଲାମାନେ ବନଦୁର୍ଗା ଙ୍କ ସମ୍ମୁଖରେ ହସ ଖୁସି କରିବା ସଙ୍ଗେ ସଙ୍ଗେ ନାଚ ତାମସା ରେ ମଜ୍ଜି ରହନ୍ତି ଓ ସନ୍ଧ୍ୟା ହେଲେ ଘରକୁ ଫେରନ୍ତି l କେହି କେହି ନଦୀ ବ୍ୟତୀତ ନିକଟସ୍ଥ ପାହାଡ଼ କିମ୍ବା ଜଙ୍ଗଲ ମଧ୍ୟକୁ ଯାଇ ବଣ ଭୋଜି କରି ଅତୀତର ସ୍ମୃତିକୁ ସାଉଁଟି ଥାଆନ୍ତି l ବହୁ ବର୍ଷ ପୂର୍ବରୁ ବର୍ଷକର ଗୋଟିଏ ଦିନରେ ଏହି “ବାଲି ଚଲା ଖିଆ “ପର୍ବ ସମ୍ପନ୍ନ ହୋଇଥାଏ ଓ ନଦୀ ଭିତର କୁ ଚାଲି ଚାଲି ଯାଉ ଥିବାରୁ ଏହାକୁ ” ବାଲି ଚଲା ଖିଆ ” ବୋଲି କୁହାଯାଏ l ସୂଚନା ଯୋଗ୍ୟ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଗୋପ ଲୀଳା ମଧ୍ୟରେ ଏହି ବଣ ଭୋଜି କୁ ଭିତ୍ତି କରି ମହିଳା ମାନେ ଏହି ପର୍ବ ପାଳନ କରିଥାନ୍ତି ବୋଲି ପୁରାଣରେ ବର୍ଣ୍ଣିତ ।