ବୁଲାପଶୁଙ୍କ ପ୍ରାଦୁର୍ଭାବ ପ୍ରତି ରୋକ ପାଇଁ ମହାନଗର ନିଗମର ବୈଠକ

ବ୍ରହ୍ମପୁର;(ବିଚିତ୍ର ସାହୁ,୧୦/୦୧): ବୁଲା ଗୋରୁଗାଈଙ୍କ ନିଗମ ଅଞ୍ଚଳରେ ରାସ୍ତା ଅବରୋଧ ଓ କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜୀବନ ପ୍ରଭାବିତକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ବ୍ରହ୍ମପୁର ମହାନଗର ନିଗମ ତତଫରୁ ମେୟର ସଙ୍ଘମିତ୍ରା ଦଳାଇଙ୍କ ସଭାପତିତ୍ବରେ ତାଙ୍କ କାର୍ଯ୍ୟାଳୟ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଆହୁତ ହୋଇଯାଇଛି। ଏହି ବୈଠକରେ ବୁଲାପଶୁଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଏଥି ମଧ୍ୟରେ ବୁଲା ଗାଈଗୋରୁଙ୍କ ଦ୍ୱାରା ରାସ୍ତା ଅବରୋଧ, ବୁଲା କୁକୁରଙ୍କ ପ୍ରାଦୁର୍ଭାବ, ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯିବା ସହ କୁକୁର ପ୍ରଯଜନ ନିୟନ୍ତ୍ରଣ ପାଇଁ ଆହୁତ ବୈଠକରେ ସହମତି ପ୍ରକାଶ ପାଇଥିଲା।
ଗୋରୁଗାଈଙ୍କୁ ସେମାନଙ୍କ ମାଲିକ ଖିର ଆଦାୟ କଲା ପରେ ରାସ୍ତାରେ ନ ଛାଡ଼ିବା ପାଇଁ ମାଲିକଙ୍କୁ ତାଗିଦ୍ କରିଛି ବି.ଇ.ଏମ୍.ସି। ଏହାକୁ ଅମାନ୍ଯ କଲେ ଶନିବାର ଠାରୁ ରାସ୍ତାରେ ବୁଲୁଥିବା ଗୋରୁଗାଈଙ୍କୁ ଉଠାଇ ନେଇ ପ୍ରାଣୀ ଚିକିତ୍ସାଳୟ ଠାରେ ରୋଗିଣୀ ଗାଈଙ୍କ ପାଇଁ ନିର୍ମିତ ହୋଇଥିବା ଆଶ୍ରୟସ୍ଥଳୀ ଠାରେ ସାମୟିକ ଭାବେ ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ଗାଈ ମାଲିକ ତାଙ୍କ ଗାଈ ନେବାକୁ ଆସିଲେ ତାଙ୍କ ଠାରୁ ତିନି ହଜାର ଟଙ୍କା ଜରିମାନା ଆଦାୟ କରାଯିବା ପାଇ ଦର ଧାର୍ଯ୍ଯ କରାଯାଇଛି।
ସେହିପରି ଧରାଯାଇଥିବା କୁକୁରଙ୍କୁ ସେମାନଙ୍କ ବନ୍ଧ୍ୟାକରଣ ପର୍ଯ୍ଯନ୍ତ ପ୍ରାଣୀ ଚିକିତ୍ସାଳୟ ଠାରେ ନିର୍ମିତ କୋଠରିରେ ରହିବା ଓ ଖାଇବା ବ୍ୟବସ୍ଥା କରାଯିବା ପାଇଁ ଏବଂ ସେମାନଙ୍କ ଖାଦ୍ୟ ଯୋଗଣ ପାଇଁ ଟେଣ୍ଡର ଆହ୍ବାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଏଥିସହ ବୁଲା ଗାଈଗୋରୁଙ୍କ ରାସ୍ତା ଅବରୋଧକୁ ପ୍ରତିରୋଧ କରିବା ପାଇଁ ଆଗାମୀ ଦିନରେ ଗୋଷାଣୀ ନୂଆଗାଁ, ୱାର୍ଡ ନମ୍ବର -୨୭ ଅନ୍ତର୍ଗତ ଶ୍ମଶାନ ପଛପଟ ସ୍ଥାନରେ ସ୍ଥାୟି କାଞ୍ଜିଆହୁଦା ନିର୍ମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେଠାରେ ପ୍ରାୟ ୬୦ ଗୋରୁଗାଈଙ୍କ ସମେତ ୫୦ରୁ ଉର୍ଦ୍ଧ ବୁଲା କୁକୁର ରହିବା ବ୍ୟବସ୍ଥା ରହିବ। ସେହିପରି ପାଗଳ କୁକରଙ୍କୁ ନିକଟସ୍ଥ ହୁଗୁଳା ପଟା ଠାରେ ନିର୍ମିତ କୋଠରିରେ ରଖିବା ପାଇଁ ବି.ଇ.ଏମ୍.ସି ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଆହୁତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିଗମର ଉପ ଆୟୁକ୍ତ ଆଶୀର୍ବାଦ ପରିଡ଼ା, ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟ ବିଶେଷଜ୍ଞ ଡଃ. ସତ୍ୟନାରାୟଣ କର, ଡଃ. ସୋମିକ୍ ସ୍ୱାଇଁ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. ସୁଶାନ୍ତ ଡୁଙ୍ଗୁ, କନିଷ୍ଠ ଯନ୍ତ୍ରୀ ଇଂ. ସୃତିକା କୁମାରୀ ପାତ୍ର, ବିଦ୍ୟୁତ୍ ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ମିଶ୍ର, ସାନିଟାରୀ ଇନ୍ସପେକ୍ଟର ଏ. ମୁରଲୀ କ୍ରିଷ୍ଣା, ଏସପିସିଏ ତଥା ମହାନଗର ନିଗମ ଏବିସି କମିଟି ସଦସ୍ୟ ଲଲାଟେନ୍ଦୁ ଚୌଧୁରୀଙ୍କ ସମେତ ବି.ଇ.ଏମ୍.ସି ର ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Smart Computer Ad
You might also like
error: Content is protected !!