୫ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ: ଯାଜପୁର ଓ କଟକ ଜିଲ୍ଲାରେ ୨ଟି ଲେଖାଏଁ ଓ ଢେଙ୍କାନାଳରେ ଗୋଟିଏ
ଭୁବନେଶ୍ୱର(ଏସ.ଏମ.ପି)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକ । ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ ଏନର୍ଜି ଉପକରଣ, ଷ୍ଟିଲ ଆଣ୍ଡ କେମିକାଲସ, ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଆସିଥିବା ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟରେ ୪୪ ହଜାର ୭୯୩ କୋଟି ୩ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦନ ମିଳିଛି । ଏହା ଦ୍ୱାରା ଆଉ ୨୩୦୦୫ ଜଣଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ । ଯାଜପୁର ଓ କଟକ ଜିଲ୍ଲାରେ ୨ଟି ଲେଖାଏଁ ଓ ଢେଙ୍କାନାଳରେ ଗୋଟିଏ ଶିଳ୍ପ ପ୍ରକଳ୍ପକୁ ମିଶାଇ ମୋଟ ୫ଟି ଶିଳ୍ପ ପ୍ରକଳ୍ପରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଯାହା ଓଡ଼ିଶାରେ ଶିଳ୍ପ ଓ ଆର୍ଥିକ ଭିତ୍ତିଭୂମିକୁ ଗତିଶୀଳ କରାଇବ । ଉତ୍କର୍ଷ ଓଡ଼ିଶା – ୨୦୨୫ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ରୋଡ ଶୋ’ବେଳେ ଏହି ପ୍ରସ୍ତାବ ଆସିଥିଲା ।