କନ୍ଧମାଳରେ ଶୀତର ଲହରୀ ଜାରି
ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ଅଞ୍ଚଳରେ ପୁଣି ଥରେ ଜାନୁଆରୀ ୧ ତାରିଖ ଠାରୁ ଶୀତର ଲହରୀ ଆରମ୍ଭ ହୋଇଯାଇଛି।ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ | ଚାରିଆଡେ କୋହଲା ପାଗ, ଦିନ ଦଶଟା ଯାଏଁ କମୁନି କୁହୁଡି କନ୍ଧମାଳକୁ ପୁଣି ଫେରିଛି ଶୀତ | ବାଲିଗୁଡାର ଉପାନ୍ତ ଅଞ୍ଚଳ କୋଟଗଡ଼,ଦାରିଙ୍ଗବାଡି, କ.ନୁଆଗାଁ,ବେଲଘର, ତୁମୁଡ଼ିବନ୍ଧ ଅଞ୍ଚଳରେ ବଢ଼ିଲାଣି ଶୀତ | ଶୀତୁଆ ସକାଳରେ ଚା ଦୋକାନରେ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି | ଘନ କୁହୁଡିରେ ଆଚ୍ଛାଦିତ ହୋଇଛି ସମଗ୍ର ଅଞ୍ଚଳ । ଅସହ୍ୟ ଜାଡ଼ରେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି | ସଞ୍ଜ ନଇଁଲେ ଉପାନ୍ତ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଉଛି । ଦିନ ଦଶଟା

ଯାଏଁ ଘନକୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇ ରହୁଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ଲୋକେ ଅଧରାତିରୁ ନିଆଁ ଜାଳି ନିଆଁର ଆଶ୍ରୟ ନେଉଛନ୍ତି | ପ୍ରଶାସନ ପକ୍ଷରୁ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଉଛି | ସେପଟେ ଶୀତର ମଜା ଉଠାଇବା ପାଇଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି, ବେଲଘର ଲୁଦୁ ଜଳପ୍ରପାତ,ସାପ ନଳା,ମଣ୍ଡା ସୁରର ପ୍ରାକୃତିକ ବିଭବ ଅତି ନିକଟରୁ ଦେଖିବାକୁ ପର୍ଯ୍ୟଟକଙ୍କ ନୂତନ ବର୍ଷ ଆରମ୍ଭରୁ ସୂଅ ଛୁଟିଲାଣି | ଶୀତଯୋଗୁ ଗରିବ ଓ ଶ୍ରମଜୀବି କର୍ମ କ୍ଷେତ୍ରକୁ ଯାଇ ପାରୁ ନାହାନ୍ତି ସେପଟେ ନିଜକୁ ଫିଟ୍ ରଖିବା ପାଇଁ ସବୁ ବର୍ଗର ଲୋକେ ସକାଳୁ ସକାଳୁ ମର୍ଣ୍ଣି ଓ୍ବାକ୍, ଯୋଗ, ବ୍ୟାୟାମ କରିବା ପାଇଁ ଜିମ୍, ପାର୍କ, ରାସ୍ତା ଓ ଷ୍ଟାଡିୟମରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି |