ସରକାରଙ୍କ ଅପାରଗତାର ଶିକାର ଗଞ୍ଜାମବାସୀ!

ବନ୍ୟାଞ୍ଚଳ ପରିଦର୍ଶନ କରି ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ

ଦିଗପହଣ୍ଡି, ଗଞ୍ଜାମ | ଜଗନ୍ନାଥ ନାୟକ ||

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ। ବନ୍ୟା ଯୋଗୁଁ ଅନେକ ଲୋକ ଦୁର୍ଦ୍ଦଶା ଭୋଗୁଥିବା ବେଳେ ସରକାରୀ ସହାୟତା ଠିକ୍ ସମୟରେ ପହଞ୍ଚୁନଥିବା ଅଭିଯୋଗ ଉଠାଇଛି ବିଜୁ ଜନତା ଦଳ।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିପ୍ଲବ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସାନଖେମୁଣ୍ଡି, ଧରାକୋଟ ଓ ସୋରଡ଼ାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ବନ୍ୟା ପରିସ୍ଥିତି ଓ ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶାର ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ସହ ଲୋକଙ୍କ ସମସ୍ୟା ଶୁଣିଥିଲେ।

ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିପଦରେ ଥିବା ଲୋକଙ୍କ ନିକଟରେ ଏଯାଏଁ ଆବଶ୍ୟକୀୟ ସରକାରୀ ସହାୟତା ପହଞ୍ଚିପାରିନାହିଁ। ଅନେକ ଅଞ୍ଚଳରେ ରନ୍ଧା ଖାଦ୍ୟ ତ ଦୂରର କଥା, ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଲୋକଙ୍କୁ ମିଳିନଥିବା ଦଳ ଦାବି କରିଛି।

ଏଭଳି ପରିସ୍ଥିତିରେ ବନ୍ୟା ପରିଚାଳନା ଓ ଜନସେବାକୁ ନେଇ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛି ବିଜେଡି। ବିପଦ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ନହେବା ସରକାରଙ୍କ ଉଦାସୀନତା ଓ ସମ୍ବେଦନହୀନତାର ପରିଚୟ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବିଜେଡିର ଦାବି:

  • ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରନ୍ଧା ଖାଦ୍ୟ ଯୋଗାଣ।
  • ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା।
  • ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ତୁରନ୍ତ ବଣ୍ଟନ।
  • କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ।

ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ଦୁର୍ଦ୍ଦଶା ଦୂର କରିବାକୁ ସରକାର ତତ୍ପରତା ଦେଖାନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି।

Smart Computer Ad
You might also like
error: Content is protected !!