ପଞ୍ଚାୟତ ଅଫିସରେ ଚାଲିଛି ସରକାରୀ ଡାକଘର! ନିଜସ୍ୱ କୋଠା ନାହିଁ

ଚନ୍ଦ୍ରପୁର l କୈଳାସ ମାଳବିଶୋଇ ll ସରକାରୀ ଡାକସେବା ପାଇଁ ନାହିଁ ନିଜସ୍ୱ କାର୍ଯ୍ୟାଳୟ ଗୃହ। ଫଳରେ କେଉଁଠି ପଞ୍ଚାୟତ ଅଫିସ ତ କେଉଁଠି ଲୋକଙ୍କ ଭଡ଼ା ଘରେ ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ବ୍ୟକ୍ତିଙ୍କ ଘରୋଇ ବାସଗୃହରେ ଚାଲିଛି ସରକାରୀ ଡାକଘର। ଏଭଳି ଅବ୍ୟବସ୍ଥାର ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଅନ୍ତର୍ଗତ ଆଠ ଗୋଟି ପଞ୍ଚାୟତ ରେ। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏକ ସ୍ଥାୟୀ ଡାକଘର ଗୃହ ନିର୍ମାଣ ହୋଇନଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳର ଲୋକଙ୍କୁ ଡାକସେବା

ପଞ୍ଚାୟତ ଅଫିସରେ ଚାଲିଛି ସରକାରୀ ଡାକଘର! ନିଜସ୍ୱ କୋଠା ନାହିଁ

ଯୋଗାଇବା ନିମନ୍ତେ ରହିଥିବା ଏହି ସରକାରୀ ଡାକ କାର୍ଯ୍ୟାଳୟ ନିଜସ୍ୱ ଗୃହ ଅଭାବରୁ ଘରୋଇ ବାସଗୃହରେ ପରିଚାଳିତ ହେଉଛି। ଏକ ସରକାରୀ କାର୍ଯ୍ୟାଳୟରେ ଚିଠିପତ୍ର, ଜରୁରୀ ଦସ୍ତାବିଜ, ଡାକ ସାମଗ୍ରୀ ସମେତ ବିଭିନ୍ନ ସରକାରୀ ଉପକରଣ ରହୁଥିବା ବେଳେ ଏଥିପାଇଁ ନିର୍ଦ୍ଦିଷ୍ଟ ଓ ସୁରକ୍ଷିତ କାର୍ଯ୍ୟାଳୟ ଗୃହ ନଥିବା ଘଟଣା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଯଦି କୌଣସି କାରଣରୁ ଡାକଘରର ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୁଏ କିମ୍ବା ହଜିଯାଏ, ତେବେ ଏଥିପାଇଁ କିଏ ଦାୟୀ ରହିବ? ସରକାରୀ ସମ୍ପତ୍ତିର ସୁରକ୍ଷା ଓ ରକ୍ଷଣାବେକ୍ଷଣର ଦାୟିତ୍ୱ କାହା ଉପରେ ରହିବ? ଏଭଳି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପଞ୍ଚାୟତ ଅଫିସରେ ଚାଲିଛି ସରକାରୀ ଡାକଘର! ନିଜସ୍ୱ କୋଠା ନାହିଁ

ଏହାଦ୍ୱାରା ଡାକସେବାର ନିୟମିତତା, ଗ୍ରାମବାସୀଙ୍କ ସହ ସୁବିଧାଜନକ ଯୋଗାଯୋଗ ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଡାକଘର କେବଳ ଚିଠିପତ୍ର ଆଦାନପ୍ରଦାନର ମାଧ୍ୟମ ନୁହେଁ, ବରଂ ଗ୍ରାମାଞ୍ଚଳର ଲୋକଙ୍କ ସଞ୍ଚୟ, ଆର୍ଥିକ କାରବାର ଓ ବିଭିନ୍ନ ଜରୁରୀ ସେବା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥା।

ପଞ୍ଚାୟତ ଅଫିସରେ ଚାଲିଛି ସରକାରୀ ଡାକଘର! ନିଜସ୍ୱ କୋଠା ନାହିଁ

ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯଦି ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଘରୋଇ ବାସଗୃହ ଗୁଡିକରେ ଚାଲିବ, ତେବେ ଏହାର ଦାୟୀତ୍ୱ ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ତେଣୁ ଡାକ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରିବା ସହ ତୁରନ୍ତ କ୍ଷେତ୍ର ପରିଦର୍ଶନ କରନ୍ତୁ ଏବଂ ପଞ୍ଚାୟତ ଓ ଗ୍ରାମରେ ଏକ ସ୍ଥାୟୀ ଓ ସୁରକ୍ଷିତ ପୋଷ୍ଟ ଅଫିସ ଗୃହ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଘରୋଇ ବାସଗୃହରେ ଚାଲିଥିବା ଏହି ସରକାରୀ ଡାକଘର ପାଇଁ ସ୍ଥାୟୀ ଗୃହ ନିର୍ମାଣ ହେବ କେବେ? ଅଞ୍ଚଳ ବାସୀଙ୍କ ଯୁକ୍ତିଯୁକ୍ତ ଦାବି ପ୍ରତି ଡାକ ବିଭାଗର ଦୃଷ୍ଟି ପଡ଼ିବ କେବେ? ନା ଆଗକୁ ମଧ୍ୟ ଏଭଳି ଘରୋଇ ବାସଗୃହରେ ଚାଲିବ ସରକାରୀ ଡାକସେବା? ଏବେ ଅପେକ୍ଷା ବିଭାଗୀୟ ପଦକ୍ଷେପକୁ।

Smart Computer Ad
You might also like
error: Content is protected !!