କ.ନୂଆଗାଁରେ ୨୨ କେଜି ଗଞ୍ଜେଇ ଜବତ, ମହିଳା ଚାଲାଣକାରୀ ଗିରଫ


କ.ନୂଆଗାଁ, ୨୫/୧୦:ସୁକାନ୍ତ କୁମାର ତ୍ରିପାଠୀ :କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ପୁଲିସର ଅଭିଯାନ ଜାରି ରହିଥିବା ବେଳେ କ.ନୂଆଗାଁ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ସମୟରେ ଦାରିଙ୍ଗବାଡ଼ି ଛକରୁ ୨୨ କେଜି ଗଞ୍ଜେଇ ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍‌ ଓ ନଗଦ ୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ.ନୂଆଗାଁ ଥାନା ପୁଲିସ ଦଳ ପାଟ୍ରୋଲିଂ କରୁଥିବା ବେଳେ ଦାରିଙ୍ଗବାଡ଼ି ଛକରେ ଜଣେ ମହିଳା ଜରି ଅଖା ଧରି ବସ୍‌କୁ ଅପେକ୍ଷା କରିଥିବା ଦେଖିଥିଲା। ସେ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ ଯିବାକୁ ଯୋଜନା କରିଥିବା ସନ୍ଦେହରେ ପୁଲିସ ତାଙ୍କୁ ଯାଞ୍ଚ କରିଥିଲା। ଏହି ସମୟରେ ଅଖା ଭିତରୁ ଗଞ୍ଜେଇ ମିଳିବାରୁ ପୁଲିସ ତାହାକୁ ଜବତ କରିଥିଲା।ପରେ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ ବସୁଧା ପ୍ରଧାନ ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଜରି ଅଖାରୁ ମୋଟ ୨୨ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ ଗିରଫ ମହିଳା ଜଣକ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ହରିହରପଡ଼ା ଥାନା ଅଞ୍ଚଳର ତେହେଟା ଗ୍ରାମର ସାଜାଜ ହୁସାଲଙ୍କ ପତ୍ନୀ ରାନୁଲାଇଲା ଖାତୁନ (୩୩) ବୋଲି ଜଣାପଡ଼ିଛି।ଏହି ମାମଲାରେ କ.ନୂଆଗାଁ ଥାନାରେ କେସ୍‌ ନମ୍ବର ୧୬୪/୨୬ ଅନୁଯାୟୀ ଏନ୍‌ଡିପିଏସ୍‌ ଆଇନରେ ମାମଲା ରୁଜୁ କରାଯାଇଛି। ଗିରଫ ମହିଳାଙ୍କୁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ କୋର୍ଟ ଚାଲାଣ କରାଯାଇଛି। ଏନେଇ କ.ନୂଆଗାଁ ଥାନା ଅଧିକାରୀ କେଳୁଚରଣ ଜେନା ସୂଚନା ଦେଇଛନ୍ତି।ଏହି ଚୋରା ଚାଲାଣ ପଛରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାପଡ଼ିଛି।ପାଟ୍ରୋଲିଂ ଦଳରେ ଥାନା ଅଧିକାରୀଙ୍କ ସହ ଦ୍ୱିତୀୟ ଅଧିକାରୀ ଅଶୋକ କୁମାର ତ୍ରିପାଠୀ, ଏଏସ୍‌ଆଇ ବାସୁଦେବ ପଣ୍ଡା, ସୁରେନ୍ଦ୍ର ରାଜହଂସଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ।

Smart Computer Ad
You might also like
error: Content is protected !!