ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ବାଲିଗୁଡ଼ା, ତା. ୧୩/୦୯: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ସାହି ଅଞ୍ଚଳରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିଶୁର ମୃତଦେହ ଟାଙ୍କି ମଧ୍ୟକୁ କିପରି ଆସିଲା, ତାହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠିଥିବା ବେଳେ ଘଟଣାର ରହସ୍ୟ ଘନୀଭୂତ ହୋଇଛି।ସୂଚନା ଅନୁଯାୟୀ, ବଡ଼ସାହିର ରାମଚନ୍ଦ୍ର ଚାନ୍ଦଙ୍କ ନୂତନ ଘର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ନିର୍ମାଣ କାମ ବନ୍ଦ ରହିଥିଲା। ରବିବାର ସକାଳେ ପାଗ ଶୁଖିଲା ପରେ ଘର ମାଲିକ ଶ୍ରମିକମାନଙ୍କ ସହ ନିର୍ମାଣସ୍ଥଳକୁ ଯାଇଥିଲେ।ସେଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ବର୍ଷାଜଳ ଜମି ରହିଥିବା ବେଳେ ପାଣି ମଧ୍ୟରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା ଦେଖାଯାଇଥିଲା। ଏହା ଦେଖି ଘର ମାଲିକ ଓ ଶ୍ରମିକମାନେ ଚକିତ ହୋଇଯାଇଥିଲେ। ତୁରନ୍ତ ଘଟଣା ସମ୍ପର୍କରେ ତୁମୁଡ଼ିବନ୍ଧ ଥାନାକୁ ଖବର ଦିଆଯାଇଥିଲା।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟାଙ୍କିରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହଟି କେବେ ଓ କିପରି ଟାଙ୍କି ମଧ୍ୟକୁ ଆସିଲା, ଏହା ପଛରେ କାହାର ସମ୍ପୃକ୍ତି ରହିଛି କି ନାହିଁ—ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୁଲିସ ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।

Smart Computer Ad
You might also like
error: Content is protected !!