ପୁଡୁଚେରୀ ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର୍ସ’ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ

ଦିଲ୍ଲୀ:ପିଆଇବି: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ପୁଡୁଚେରୀ ପୋଲିସକୁ “ପ୍ରେସିଡେଣ୍ଟସ କଲର୍ସ” ପ୍ରଦାନ କରିଛନ୍ତି। ଏହି ଅବସରରେ ଉପରାଜ୍ୟପାଳ ଶ୍ରୀ କେ. କୈଳାସନାଥନ ଏବଂ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ୍. ରଙ୍ଗାସାମୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ନିଜ ଅଭିଭାଷଣରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ପୁଡୁଚେରୀ ଦକ୍ଷିଣ ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଚେତନାର ଏକ ଜୀବନ୍ତ ପ୍ରତୀକ। ଆଜି ପୁଡୁଚେରୀ ପୋଲିସ ଦେଶର ସେହି ପୋଲିସ ବାହିନୀ ଗୁଡ଼ିକ ମଧ୍ୟରେ ସାମିଲ ହୋଇଛି, ଯେଉଁମାନଙ୍କୁ “ପ୍ରେସିଡେଣ୍ଟସ କଲର୍ସ” ପ୍ରଦାନ କରାଯାଇଛି। ପୁଡୁଚେରୀ ପୋଲିସକୁ ଏହି ସମ୍ମାନ ମିଳିବା ବାହିନୀର ସାହସିକତା, କଠିନ ପରିଶ୍ରମ ଏବଂ ସମର୍ପଣ ଭାବର ପ୍ରମାଣ ଅଟେ।

ଶ୍ରୀ ଅମିତ ଶାହ କହିଛନ୍ତି ଯେ, “ପ୍ରେସିଡେଣ୍ଟସ କଲର୍ସ” ପାଇବା ଯେକୌଣସି ପୋଲିସ ବାହିନୀ ପାଇଁ ଅତ୍ୟନ୍ତ ଗୌରବର ମୁହୂର୍ତ୍ତ। ପୁଡୁଚେରୀର ସୁରକ୍ଷା, ଆଭ୍ୟନ୍ତରୀଣ ନିରାପତ୍ତା ଏବଂ ଏହାର ସମ୍ମାନ ବଜାୟ ରଖିବା ଦାୟିତ୍ୱ ପୁଡୁଚେରୀ ପୋଲିସ ଉପରେ ନ୍ୟସ୍ତ। ପୁଡୁଚେରୀ ପୋଲିସ ତାହାର ଅକ୍ଲାନ୍ତ ପରିଶ୍ରମ, ବୀରତ୍ୱ, ସେବା ଏବଂ ନିଷ୍ଠାର ସ୍ୱୀକୃତି ସ୍ୱରୂପ ଏହି ପ୍ରତିଷ୍ଠିତ ସମ୍ମାନ ଲାଭ କରିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଫରାସୀ ଶାସନାଧୀନ ରହିବା ସତ୍ତ୍ୱେ ପୁଡୁଚେରୀ ତାହାର ଭାରତୀୟ ପରିଚୟ ଏବଂ ଆଧ୍ୟାତ୍ମିକ ଶକ୍ତିକୁ ବଜାୟ ରଖିପାରିଛି। ୧୯୬୩ ମସିହା ଅକ୍ଟୋବର ୧ ତାରିଖରେ ପୁଡୁଚେରୀରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଥିଲା ଏବଂ ସେବେଠାରୁ ପୁଡୁଚେରୀ ପୋଲିସ ଏହି ସୀମାନ୍ତ ଅଞ୍ଚଳର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିଆସୁଛି।

ଶ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବ୍ରିଟିଶ ଅମଳର ଦଣ୍ଡବିଧି ଆଇନ ପରିବର୍ତ୍ତେ ତିନୋଟି ନୂତନ ଅପରାଧିକ ଆଇନ ଲାଗୁ କରିଛନ୍ତି। ଏହି ନୂତନ ଆଇନଗୁଡ଼ିକ କେବଳ ଦଣ୍ଡବିଧାନ ପାଇଁ ନୁହେଁ; ବରଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଯୁକ୍ତିବିଦ୍ୟା-ଆଧାରିତ ଏବଂ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା। ଏହି ନୂତନ ଅପରାଧିକ ଆଇନଗୁଡ଼ିକ ତିନୋଟି ମୁଖ୍ୟ ସ୍ତମ୍ଭ: ପ୍ରଯୁକ୍ତିବିଦ୍ୟା, ସମୟସୀମା ଏବଂ ବିଶ୍ୱାସ ଉପରେ ଆଧାରିତ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ, ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ଅଧିକ ମଜବୁତ୍ କରିବା ପାଇଁ କେନ୍ଦ୍ର ସରକାର ପୁଡୁଚେରୀବାସୀଙ୍କ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପ ହାତକୁ ନେଇଛନ୍ତି। ସେ କହିଛନ୍ତି ଯେ ୨,୨୦୦ କୋଟି ଟଙ୍କା ବ୍ୟୟରେ ‘ଜାତୀୟ ରାଜପଥ ୩୩୨-ଏ’ର ଚାରି ଲେନ୍‌ ବିଶିଷ୍ଟ ପ୍ରଶସ୍ତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ମୋଦୀ ସରକାର ଏଠାରେ ପ୍ରାୟ ୩,୪୦୦ ମିଟର ଲମ୍ବ ଏବଂ ୪୫ ମିଟର ଓସାର ବିଶିଷ୍ଟ ଏକ ସମ୍ପ୍ରସାରିତ ରନୱେ ନିର୍ମାଣ କରିଛନ୍ତି।

ଶ୍ରୀ ଅମିତ ଶାହ କହିଛନ୍ତି ଯେ, ୧୯୫୦ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଭାରତ ସରକାର ପୁଡୁଚେରୀର ବିକାଶମୂଳକ କାର୍ଯ୍ୟ ପାଇଁ ମାତ୍ର ୩,୫୦୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହା ତୁଳନାରେ ୨୦୧୪ ରୁ ୨୦୨୬ ମଧ୍ୟରେ ମୋଦୀ ସରକାର ପୁଡୁଚେରୀର ବିକାଶ ପାଇଁ ୧୩,୭୬୨ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହାକି ପ୍ରାୟ ଚାରି ଗୁଣ ଅଧିକ। ସେ କହିଛନ୍ତି ଯେ ଗତ ନଅ ବର୍ଷ ମଧ୍ୟରେ ଭାରତ ସରକାର ପୁଡୁଚେରୀରେ ଶିଳ୍ପ ବିକାଶ ଲାଗି ପ୍ରାୟ ୩୯,୦୦୦ କୋଟି ଟଙ୍କାର ନିବେଶକୁ ମଧ୍ୟ ସୁଗମ କରିଛନ୍ତି। ଲକ୍ଷପତି ଦିଦି, ଜଳ ଜୀବନ ମିଶନ, ଆୟୁଷ୍ମାନ ଭାରତ, ଶୌଚାଳୟ ନିର୍ମାଣ, ମାଗଣା ଖାଦ୍ୟଶସ୍ୟ ଯୋଜନା, ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଭଳି ପଦକ୍ଷେପ ଦ୍ୱାରା ପୁଡୁଚେରୀର ନାଗରିକମାନେ ଉପକୃତ ହୋଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପୁଡୁଚେରୀର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହାର ଜନସାଧାରଣଙ୍କ ସେବା ପାଇଁ ୨୪ ଘଣ୍ଟା ପ୍ରସ୍ତୁତ ଅଛନ୍ତି।

You might also like
error: Content is protected !!