ବାଲିଗୁଡ଼ା, ୨୫/୭: ସୁକାନ୍ତ କୁମାର ତ୍ରିପାଠୀ
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବାଲିଗୁଡ଼ା ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ତିନି ଦିନିଆ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଛି। ବାହୁଡ଼ା ଯାତ୍ରା ଦିନ ତିନିରଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଆଳତି ନୀତି ସମ୍ପନ୍ନ ହେବା ସହ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତିକୁ ଆଧାର କରି ଭଜନ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଆକର୍ଷଣୀୟ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା।ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଚିନ୍ତାମଣି ମିଶ୍ର, ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ମଧୁସୂଦନ ମହାପାତ୍ର, ଶଶିଭୂଷଣ ପାଢ଼ୀ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଡ଼. ସୁଶାନ୍ତ କୁମାର ଦାସ ସଫଳତାର ସହ ପରିଚାଳନା କରିଥିଲେ।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଅବସରରେ ଦ୍ୱିତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ଶ୍ରୀ ଅରବିନ୍ଦ ବିଷ୍ଣୁ ଶାନ୍ତି ଭଜନ ସନ୍ଧ୍ୟା ପକ୍ଷରୁ ଭକ୍ତିମୟ ଭଜନ ପରିବେଷଣ କରାଯାଇଥିଲା। ଏହି ଭଜନ ସନ୍ଧ୍ୟାକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା। ଏହି ସନ୍ଧ୍ୟାରେ ରାଜ କିଶୋର ଦାସ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଆସନ୍ତା ସନ୍ଧ୍ୟାରେ ଫୁଲବାଣୀର ନଟରାଜ ଏକାଡେମୀ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସମଗ୍ର ତିନି ଦିନିଆ ଉତ୍ସବକୁ ବାଲିଗୁଡ଼ା ବ୍ରାହ୍ମଣ ସମାଜ ପକ୍ଷରୁ ସୁଚାରୁ ଭାବେ ପରିଚାଳନା କରାଯାଉଛି।