ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସମର କପ୍-୨୦୨୬ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଉଦଯାପିତ

ବାଲିଗୁଡା,୦୨/୦୬: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିସରରେ ଆୟୋଜିତ ସମର କପ୍-୨୦୨୬ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ତିନି ଦିନ ଧରି ଚାଲିବା ପରେ ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ସଂଘର ଉପସଭାପତି ସତ୍ୟ ନାରାୟଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଯାପନୀ ଉତ୍ସବରେ ସ୍ଥାନୀୟ ସହକାରୀ ଜିଲ୍ଲାପାଳ ସଞ୍ଜୀବ ରୂପା ମାଝୀ ଓ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଅତିଥି ଭାବେ ଯୋଗଦେଇ ବିଜେତା ଓ ରନର୍ସଅପ୍ ଖେଳାଳିଙ୍କୁ ପୁରସ୍କାର ବଣ୍ଟନ କରିଥିଲେ।ସନ୍ଧ୍ୟାକାଳୀନ ଏହି ପ୍ରତିଯୋଗିତାରେ ୬୫ ଜଣ ବାଳକ ଓ ପୁରୁଷ ଖେଳାଳିଙ୍କ ସହ ୧୫ ଜଣ ବାଳିକା ଓ ମହିଳା ଖେଳାଳି ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ଆୟୋଜିତ ଫାଇନାଲ ମ୍ୟାଚ୍‌ଗୁଡ଼ିକରେ ମହିଳା ସିଙ୍ଗଲ୍ସରେ ନୈନା ମଲିକ ଚାମ୍ପିୟନ୍ ହୋଇଥିବା ବେଳେ ଜୟଶ୍ରୀ ମଲିକ ରନର୍ସଅପ୍ ହୋଇଥିଲେ। ବରିଷ୍ଠ ପୁରୁଷ ସିଙ୍ଗଲ୍ସରେ ଦିବ୍ୟ ପ୍ରକାଶ ସାହୁ ବିଜେତା ଏବଂ ବଳିଆ ସାହୁ ରନର୍ସଅପ୍ ହୋଇଥିଲେ।ସେହିପରି ମାଷ୍ଟର ସିଙ୍ଗଲ୍ସରେ ସଞ୍ଜୀବ ବିଜୟୀ ହୋଇଥିବା ବେଳେ ରୂପକ ରନର୍ସଅପ୍ ହୋଇଥିଲେ। ମାଷ୍ଟର ଡବଲ୍ସରେ ସଞ୍ଜୀବ ଓ ରୂପକ ଯୋଡ଼ି ବିଜେତା ହୋଇଥିବା ବେଳେ ଅମରନାଥ ଓ ଗଙ୍ଗାଧର ରନର୍ସଅପ୍ ହୋଇଥିଲେ। ସିନିୟର ଡବଲ୍ସରେ ସୌମ୍ୟ ଓ ଦିବ୍ୟ ଚାମ୍ପିୟନ୍ ହୋଇଥିବା ବେଳେ ଦେବେନ୍ଦ୍ର ଓ ଆଦିତ୍ୟ ରନର୍ସଅପ୍ ହୋଇଥିଲେ। ୧୭ ବର୍ଷରୁ କମ୍ ବର୍ଗ ଡବଲ୍ସରେ ସାଇ ଶଙ୍କର ଓ ଅଙ୍କିତ ବିଜେତା ହୋଇଥିବା ବେଳେ ସ୍ମୃତି ଓ ଆଲୋକ ରନର୍ସଅପ୍ ହୋଇଥିଲେ।ଏହି ଅବସରରେ ସଂଘର ଉପଦେଷ୍ଟା ଶେଖ ସାଦିକ, ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, ଗଙ୍ଗାଧର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଏହି କ୍ରୀଡା ଉତ୍ସବ ବାଲିଗୁଡା ଅଞ୍ଚଳର ଯୁବ ଖେଳାଳିମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନ୍ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଥିବା ମତ ପ୍ରକାଶ ପାଇଛି।

You might also like
error: Content is protected !!