ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ

ଛତ୍ରପୁର,(ବିଚିତ୍ର ସାହୁ):-

ସାରା ରାଜ୍ଯରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର.) ଲାଗୁ କରାଯାଇଅଛି । ଗଞ୍ଜାମ ଜିଲ୍ଲାରେ ହେବାକୁ ଯାଉଥିବା ଏସଆଇଆର-୨୦୨୬ ସମ୍ପର୍କରେ ଆଲୋଚନା ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ. ଆଇ.ଆର ର ମୁଖ୍ଯ ଉଦ୍ଦେଶ୍ଯ ହେଉଛି ଯୋଗ୍ଯ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ଯ ବ୍ଯକ୍ତିଙ୍କ ନାମ ତାଲିକାରୁ ବାଦ ଦେବା । ଏଥିରୁ ମୃତ ବ୍ଯକ୍ତିଙ୍କ ନାମ ଏବଂ ନକଲି ନାମ ଗୁଡିକୁ ଚିହ୍ନଟ କରାଯାଇ ତାଲିକାରୁ ବାଦ ଦିଆଯିବ । ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ନୂଆ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ନିଯୁକ୍ତି ପାଇଁ ବ୍ଲକ୍ ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ପ୍ରଦାନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି । ରାଜନୈତିକ ଦଳ ସେମାନଙ୍କ ମତାମତ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇ.ଆର୍.ଓ) ମାନଙ୍କୁ ଲିଖିତ ଆକାରରେ ଜଣାଇବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଥିଲା । ଜିଲ୍ଲାରେ ଜୁଲାଇ ୧ ତାରିଖକୁ ଯୋଗ୍ଯତା ତାରିଖ ଭାବେ ଧାର୍ଯ୍ଯ କରାଯାଇଛି । ୨୦ ମେ ରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ। ୩୦ ମେ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ଏହା ସହିତ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯିବ। ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବାକୁ ଥିବାବେଳେ, ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାବି ଓ ଆପତ୍ତିର ନିଷ୍ପତ୍ତି ୦୨ ସେପ୍ଟେମ୍ବର ସୁଦ୍ଧା କରାଯିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ଯେ, ବୁଥ ସ୍ତରୀୟ ଅଧିକାରୀ, ବୁଥ ସ୍ତରୀୟ ଏଜେଣ୍ଟ ଓ ସମସ୍ତ ରାଜନୈତିକ ଦଳର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାତାମାନଙ୍କୁ ନିଜ ନାମ ଭୋଟର ତାଲିକାରେ ସଠିକ୍ ଭାବେ ରହିଛି କି ନାହିଁ ଯାଞ୍ଚ କରିବା ସହ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଅଧିକ ସୂଚନା ପାଇଁ ଭୋଟରମାନେ voters.eci.gov.in କିମ୍ବା ECINET ଆପ ବ୍ୟବହାର କରିପାରିବେ ବୋଲି ଡେପୁଟି କଲେକ୍ଟର ନିର୍ବାଚନ ଅରୁଣ କୁମାର ଖଣ୍ଡା ସୂଚନା ଦେଇଛନ୍ତି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ

Smart Computer Ad
You might also like
error: Content is protected !!