ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆସନ୍ତା ଦୁଇ ଦିନରେ ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୩ ଡିଗ୍ରୀ ଛୁଇଁପାରେ । ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ନିଆଁ ବର୍ଷିବ । ଆସନ୍ତା ୨୦ ତାରିଖ ଯାଏ ଏଭଳି ତାତି ନାକେଦମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଆଗାମୀ ୩ରୁ ୪ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପୂର୍ବାନୁମାନ ରହିଛି । କେବଳ ପଶ୍ଚିମ ବା ଆଭ୍ୟନ୍ତରୀଣ ନୁହେଁ, ଉପକୂଳ ଓଡ଼ିଶାରେ ବି ୪୦ ଡିଗ୍ରୀ ଟପିବ । ଓଡ଼ିଶା ପାଇଁ ହିଟ୍ ୱେଭ ସତର୍କତା ନ ଥିଲେ ମଧ୍ୟ ପ୍ରଚଣ୍ଡ ତାତି ଅନୁଭୂତ ହେବ । ତେବେ ଆସନ୍ତା ୨୩ ତାରିଖ ଯାଏ ରାଜସ୍ଥାନ, ପଞ୍ଜାବ, ହରିଆନା, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ହିଟ୍ ୱେଭ ସ୍ଥିତି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି ।ରବିବାର ଅନୁଗୁଳ ଓ ସୋନପୁରରେ ଦିନ ତାପମାତ୍ରା ସର୍ବାଧିକ ୪୨.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଝାରସୁଗୁଡ଼ାରେ ୪୧.୪, ସମ୍ବଲପୁର ଓ ତାଳଚେରରେ ୪୧, ହୀରାକୁଦରେ ୪୦.୫, ନୟାଗଡ଼ରେ ୪୦.୪, ବଲାଙ୍ଗୀରରେ ୪୦.୨, ଟିଟିଲାଗଡ଼ରେ ୪୦, ଭଦ୍ରକ ଓ ଯାଜପୁରରେ ୩୯ ଡିଗ୍ରୀ ରେକର୍ଡ ହୋଇଥିଲା । ମୌସୁମୀ ଧୀରେ ଧୀରେ ଅଗ୍ରସର ହେଉଛି । ଆସନ୍ତା ୨୬ ତାରିଖ ସୁଦ୍ଧା ଏହା କେରଳ ଛୁଇଁପାରେ ।
