ବାଲିଗୁଡା, ୧୫/୦୪: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ସର୍ବବୃହତ୍ତମ ଉପଖଣ୍ଡ ଭାବେ ପରିଚିତ ବାଲିଗୁଡାରେ ବିଭିନ୍ନ ମୌଳିକ ସୁବିଧାର ଅଭାବ ଦେଖାଯାଉଥିବା ବେଳେ, ବର୍ତ୍ତମାନ ବାଲିଗୁଡାରୁ ସମ୍ବଲପୁରକୁ ସିଧାସଳଖ ସରକାରୀ ବସ ଚଳାଚଳ ନଥିବା ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି।ସୂଚନା ଅନୁଯାୟୀ, ବାଲିଗୁଡାରୁ ବାରଖମା, ସୁଡୁରା, ଲଣ୍ଡାଗାଁ ଓ କଣ୍ଟାମାଳ ମାର୍ଗରେ ସମ୍ବଲପୁର ଦୂରତା ପ୍ରାୟ ୧୮୦ କି.ମି. ହେଲେ ମଧ୍ୟ ଏହି ରୁଟରେ କୌଣସି ସିଧାସଳଖ ସରକାରୀ ବସ ସେବା ନଥିବାରୁ ଲୋକମାନେ ବହୁତ ଅସୁବିଧା ଭୋଗୁଛନ୍ତି। ଯାତ୍ରୀମାନେ ବିଭିନ୍ନ ସ୍ଥାନରେ ଗାଡ଼ି ବଦଳାଇ ଯାତ୍ରା କରିବାକୁ ବାଧ୍ୟ ହେଉଥିବାରୁ ସମୟ ଓ ଅତିରିକ୍ତ ଖର୍ଚ୍ଚ ବୃଦ୍ଧି ପାଉଛି।ବିଶେଷକରି ଶିକ୍ଷା ଓ ଚିକିତ୍ସା କ୍ଷେତ୍ରରେ ଏହାର ଅଧିକ ପ୍ରଭାବ ପଡ଼ୁଛି। ବାଲିଗୁଡା ସହ କ.ନୂଆଗାଁ, ରାଇକିଆ, ଦାରିଙ୍ଗବାଡି ଓ ତୁମୁଡିବନ୍ଧ ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀ ସମ୍ବଲପୁର ଓ ଝାରସୁଗୁଡାର ବିଭିନ୍ନ ବିଦ୍ୟାଳୟ, କଲେଜ ଓ ୟୁନିଭରସିଟିରେ ପଢୁଛନ୍ତି। ସେମାନଙ୍କୁ ଯାତାୟାତରେ ବହୁତ କଷ୍ଟ ସହ ଅଧିକ ଅର୍ଥବ୍ୟୟ କରିବାକୁ ପଡ଼ୁଛି।

ଏହା ସହିତ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀମାନେ ମଧ୍ୟ ଏହି ସମସ୍ୟାରେ ପଡ଼ୁଛନ୍ତି। ବ୍ରହ୍ମପୁର ତୁଳନାରେ ବୁର୍ଲା ଅଞ୍ଚଳ ବାଲିଗୁଡା ପାଇଁ ଅଧିକ ସୁବିଧାଜନକ ହେଉଥିବାରୁ ସିଧା ବସ ସେବା ଆରମ୍ଭ କରାଯିବାକୁ ସ୍ଥାନୀୟ ସଂଘ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।ଏନେଇ ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବିଧାୟକଙ୍କୁ ମୌଖିକ ଓ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ହୋଇନଥିବାରୁ ଅଞ୍ଚଳବାସୀ ପୁନର୍ବାର ଦାବି ଜୋରଦାର କରିଛନ୍ତି।ଏ ସମ୍ପର୍କରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର କହିଛନ୍ତି ଯେ, ବାଲିଗୁଡାରୁ ସମ୍ବଲପୁରକୁ ସିଧାସଳଖ ବସ ଚଳାଚଳ ବିଷୟରେ ଶୀଘ୍ର ପରିବହନ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ।