ବାଲିଗୁଡା, ୨୦/୦୩: ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବୁଡ଼ାଗୁଡ଼ା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ତମାଙ୍ଗି ଗ୍ରାମ ନିକଟସ୍ଥ ଋଷିମାଳ ପର୍ବତରେ ଏକ ପ୍ରକୃତି ଶିବିର ଆୟୋଜିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ‘ସେଣ୍ଟର ଫର ଏନଭାଇରନମେଣ୍ଟାଲ ଷ୍ଟଡିସ’ର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ। ପ୍ରାକୃତିକ ଶୋଭାରେ ଭରିଥିବା ଏହି ଅଞ୍ଚଳ ଋଷିକୁଳ୍ୟା ନଦୀର ଉତ୍ପତ୍ତିସ୍ଥଳ ଭାବେ ପରିଚିତ ହେବାରୁ ଶିକ୍ଷାର୍ଥୀମାନେ ପ୍ରକୃତି ସହ ସରାସରି ସଂସ୍ପର୍ଶର ଅନୁଭବ ଅର୍ଜନ କରିଥିଲେ।ପରିବେଶବିତ୍ ଏବଂ ବ୍ରାହ୍ମଣୀ ଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃପାସିନ୍ଧୁ ସିଂ ଶିକ୍ଷାର୍ଥୀମାନଙ୍କୁ ପରିବେଶ ସୁରକ୍ଷା ଓ ପ୍ରକୃତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନ କରିଥିଲେ। ସ୍ଥାନୀୟ ଅଧିବାସୀମାନଙ୍କ ମାଧ୍ୟମରେ ମହାବାରୁଣୀଙ୍କ ଆଧ୍ୟାତ୍ମିକ ମହତ୍ତ୍ୱ ଓ ପୁରାତନ ପରମ୍ପରା ସମ୍ପର୍କରେ ମଧ୍ୟ ପିଲାମାନେ ଜାଣିବାକୁ ପାଇଥିଲେ।ତଥାପି, ନିକଟସ୍ଥ ଜଙ୍ଗଲ ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଲୁପ୍ତପ୍ରାୟ ବାଦୁଡି ପ୍ରଜାତି, ସେମାନଙ୍କର ପରିସଂସ୍ଥା ଓ ପରିବେଶରେ ତାଙ୍କର ଭୂମିକା ସମ୍ପର୍କରେ ଅବଗତ ହୋଇଥିଲେ। ବର୍ତ୍ତମାନ ସମୟରେ ବାଦୁଡିଙ୍କ ବିଲୁପ୍ତିର କାରଣ ସମ୍ବନ୍ଧରେ ମଧ୍ୟ ସେମାନଙ୍କୁ ଜଣାଯାଇଥିଲା।ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରକୃତି ଶିବିରକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକମାନେ ସକ୍ରିୟ ସହଯୋଗ କରିଥିଲେ।