ବାଲିଗୁଡ଼ା, ୧୨/୦୨ : ସୁକାନ୍ତ କୁମାର ତ୍ରିପାଠୀ
ଦେଶବ୍ୟାପୀ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକର ପ୍ରଭାବ ଆଜି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ଆଂଶିକ ଭାବେ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ କୃଷକ ସଂଗଠନମାନଙ୍କ ଆହ୍ୱାନରେ ପାଳିତ ଏହି ବନ୍ଦ ଫଳରେ ସହରର ଦୈନିକ ଜୀବନ ଉପରେ କିଛି ପ୍ରଭାବ ପଡ଼ିଥିଲା।ସକାଳୁ ସହରର କିଛି ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲେ ମଧ୍ୟ ସାଧାରଣ ଭିଡ଼ ଦେଖାଯାଇନଥିଲା। ବସ୍ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ଥିଲା। କେବଳ ଲକ୍ଷ୍ମୀ ବସ୍ ଯାତାୟାତ କରୁଥିବାରୁ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ଅସୁବିଧାରେ ପଡ଼ିଥିଲେ।ବ୍ୟାଙ୍କ ଓ କେତେକ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଉପସ୍ଥିତି କମ୍ ଥିବା


ଦେଖାଯାଇଥିଲା। ଶିକ୍ଷାନୁଷ୍ଠାନମାନେ ଖୋଲା ରହିଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ଆଗମନ ଅଳ୍ପ ଥିଲା। ତେବେ ହସ୍ପିଟାଲ, ଔଷଧ ଦୋକାନ ଓ ଅନ୍ୟାନ୍ୟ ଜରୁରୀ ସେବା ସାଧାରଣ ଭାବେ ଚାଲିଥିଲା।ବନ୍ଦର ମୁଖ୍ୟ ଦାବିମାନଙ୍କ ମଧ୍ୟରେ ନୂତନ ଶ୍ରମ କୋଡ୍ ରଦ୍ଦ କରିବା, କୃଷକ ଓ କର୍ମଚାରୀଙ୍କ ଅଧିକାର ସୁରକ୍ଷା ଇତ୍ୟାଦି ବିଷୟ ଥିବା ସୂଚନା ମିଳିଛି।ବାଲିଗୁଡ଼ାରେ ଭାରତ ବନ୍ଦ ଆଂଶିକ ଭାବେ ସଫଳ ହୋଇଥିବା ବେଳେ ସନ୍ଧ୍ୟା ପରେ ପରିସ୍ଥିତି ସାଧାରଣ ହେବାର ସମ୍ଭାବନା ରହିଛି।