ଭାଇରାଲ୍‌ ଜ୍ୱର କବଳରେ ଓଡ଼ିଶା, କରୋନା ଭଳି ଘରକୁ ଘର ବ୍ୟାପୁଛି ସଂକ୍ରମଣ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭୁବନେଶ୍ୱର ଘରେ ଘରେ ଏବେ ଜ୍ୱର, କାଶ, ଥଣ୍ଡା। ଡେଙ୍ଗୁ, ମ୍ୟାଲେରିଆ ଆଦି ପରୀକ୍ଷା କଲେ ରିପୋର୍ଟ ନେଗେଟିଭ୍‌ ଆସୁଛି; କିନ୍ତୁ ୫ରୁ ୭ ଦିନ ପର୍ଯ୍ୟନ୍ତ ତଣ୍ଟି ଦରଜ ଓ ଗଳା ବସିବା ଭଳି ଲକ୍ଷଣ ଦେଖାଯାଉଛି। ଶରୀରରେ ତାପମାତ୍ରା କିଛି ଦିନ ଯାଏଁ ଲାଗି ରହୁଛି। ରାଜଧାନୀରେ ପ୍ରତି ୫ଜଣରେ ଜଣେ ଏବେ ଏହି ଜ୍ୱରରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦୈନିକ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଶହ ଶହ ରୋଗୀ ଆସୁଛନ୍ତି। ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଘରୋଇ ଚିକିତ୍ସାଳୟରେ ମଧ୍ୟ ରୋଗୀଙ୍କ ଲମ୍ୱା ଧାଡ଼ି ଲାଗୁଛି। କେବଳ ରାଜଧାନୀ ନୁହେଁ, ସାରା ରାଜ୍ୟରେ ଅର୍ଦ୍ଧାଧିକ ଲୋକ ଏବେ ଏପରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।ସୂଚନା ଅନୁସାରେ ଏହି ଜ୍ୱର ଓ ଥଣ୍ଡାରେ ଛୋଟ ପିଲା ଏଥିରେ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ପିଲାଙ୍କଠାରୁ ବଡ଼ ଲୋକମାନଙ୍କୁ ବ୍ୟାପୁଛି। ପରିବାରର କୌଣସି ସଦସ୍ୟଙ୍କୁ ଏହି ଜ୍ୱର ହେଲେ ଧୀରେ ଧୀରେ ସମସ୍ତେ ସଂକ୍ରମିତ ହେଉଛନ୍ତି। କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ଏଚ୍‌-୧ ଏନ୍‌-୧ ଭୂତାଣୁ କହୁଥିବା ବେଳେ କିଛି ଏହାକୁ ଭାଇରାଲ୍‌ ଫିଭର୍‌(ଜ୍ୱର) ବୋଲି କହୁଛନ୍ତି। ହେଲେ ସରକାରୀ ଭାବେ ଏହି ଜ୍ୱରକୁ ନେଇ କୌଣସି ସ୍ପଷ୍ଟ କରାଯାଇନାହିଁ। ତେଣୁ ଏହା କେଉଁ ପ୍ରକାର ଭୂତାଣୁ ବୋଲି କିଛି ସ୍ପଷ୍ଟ ହୋଇପାରୁନି। ରୋଗୀ ଡାକ୍ତରଖାନାରୁ ଓ ଔଷଧ ଦୋକାନରୁ ଥଣ୍ଡା ଓ ସାଧାରଣ ଜ୍ୱର ପାଇଁ ଉଦ୍ଦିଷ୍ଟ ପାରାସିଟାମଲ୍‌ ଔଷଧ ଖାଇ ସୁସ୍ଥ ଅନୁଭବ କରୁଥିବା କହୁଛନ୍ତି। ଖରା-ବର୍ଷା ସାଙ୍ଗକୁ ଗରମ ଗୁଳୁଗୁଳିରୁ ରକ୍ଷା ପାଇଁ ଲୋକମାନେ ପଙ୍ଖା, ଏସି ଆଦି ବ୍ୟବହାର କରୁଛନ୍ତି। ତେଣୁ ଶରୀର ହଠାତ୍‌ ଥଣ୍ଡା ଓ ଗରମ ଅନୁଭବ କରିବା ଯୋଗୁଁ ଏଭଳି ରୋଗ ଦେଖାଦେଉଥିବା ବିଶେଷଜ୍ଞମାନେ କହିଛନ୍ତି।ଭାଇରାଲ୍‌ ଜ୍ୱର ଅତି ସହଜରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ହେଉଛି। ବିଶେଷକରି ରୋଗୀ ମାସ୍କ ନ ପିନ୍ଧିଥିବା ବେଳେ ରୋଗୀର ପାଖରେ ବସିବା ଓ ରୋଗୀ ବ୍ୟବହାର କରୁଥିବା ଜିନିଷ ପତ୍ରକୁ ବ୍ୟବହାର କରିବା ଦ୍ୱାରା ହିଁ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ କରୋନା ମହାମାରୀ ସମୟରେ ଯେଭଳି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ହୋଇଥିଲା, ଏବେ ସେହି ପନ୍ଥା ଆପଣାଇବା ସହ ଆକ୍ରାନ୍ତ ବ୍ୟକ୍ତି ଥଣ୍ଡା ଓ ପାରାସିଟାମଲ୍‌ ଭଳି ଔଷଧ ଖାଇବା ଉଚିତ୍‌ ବୋଲି ଡା଼କ୍ତରମାନେ ପରାମର୍ଶ ଦେଇଛନ୍ତି।ଏହାସହ ଗରମ ବାମ୍ଫ ନେବାକୁ ଡାକ୍ତରମାନେ କହିଛନ୍ତି। ଛୋଟ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ଏହି ଚିକିତ୍ସା ପଦ୍ଧତିକୁ ଆପଣାଇବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଭେଷଜ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ବେହେରା କହିଛନ୍ତି, ସାଧାରଣତଃ ପାଗରେ ପରିବର୍ତ୍ତନ ଆସିବା କାରଣରୁ ଥଣ୍ଡା ଜ୍ୱର ହେବା ସ୍ୱାଭାବିକ। ଏହାକୁ ନେଇ ଆଦୌ ଚିନ୍ତିତ ହେବା ଉଚିତ ନୁହେଁ। ଏହା ସଂକ୍ରମିତ ଜ୍ୱର ହୋଇଥିବାରୁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ନ ବ୍ୟାପିବା ନେଇ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏଥିରେ ବରିଷ୍ଠ ନାଗରିକମାନେ ଟିକେ ଅଧିକ ସର୍ତକ ହୋଇ ଚଳିବା ଉଚିତ। କାରଣ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ସାଧାରଣତ କମ୍‌ ରହିଥାଏ। ତେଣୁ ଥରେ ଜ୍ୱରରେ ଆକ୍ରାନ୍ତ ହେଲେ ସୁସ୍ଥ ହେବା ପାଇଁ ମାତ୍ରାଧିକ ସମୟ ଲାଗିପାରେ। ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ପାଖାପାଖି ୨୦ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି।

Smart Computer Ad
You might also like
error: Content is protected !!