ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଦାବୀ ଦିବସରେ ଧାରଣା କାର୍ଯ୍ଯକ୍ରମ
ବ୍ରହ୍ମପୁର,18/8 [ବିଚିତ୍ର ସାହୁ]: ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଦାବି ଦିବସରେ ରାଜଧାନୀ ଭୁବନେଶ୍ଵର ଲୋୟର ପିଏମ୍ ଜି ଛକଠାରେ ଧାରଣା କାର୍ଯ୍ଯକ୍ରମ ଆୟୋଜିତ ହୋଇ ଯାଇଛି।ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ସମସ୍ଯା ସମୂହର ସମାଧନ କରିବା ପାଇଁ ରାଜ୍ଯସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ଆୟୋଜିତ ଧାରଣାରେ ଶିକ୍ଷକ ନେତା ମାନେ କ୍ଷୋଭ ପ୍ରକାଶ କରିଥିଲେ।ଶିକ୍ଷକ-ଶିକ୍ଷାର୍ଥୀ-ଶିକ୍ଷାୟତନର ୧୭ଦଫାର ବିଭିନ୍ନ ସମସ୍ଯା ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଶିକ୍ଷକ, ଅଧ୍ଯାପକ, ଶିକ୍ଷା କର୍ମଚାରୀ ଉକ୍ତ ଧାରଣା କାର୍ଯ୍ଯକ୍ରମରେ ଯୋଗଦେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।ମହାମାନ୍ଯ ରାଜ୍ଯପାଳ, ମୁଖ୍ଯ ମନ୍ତ୍ରୀ,ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରସ୍ତୁତ ଦାବି ସମ୍ବଳିତ ମାନପତ୍ର ସଭାପତି ଅକ୍ଷୟ କୁମାର ଦାସ ଓ ସାଧାରଣ ସମ୍ପାଦକ ଡଃ ଦୁଷ୍ମନ୍ତ କୁମାର ନାୟକ ସରକାରଙ୍କ ଆମନ୍ତ୍ରଣ କ୍ରମେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କୁ ଭେଟି ଦାବି ସମୂହ ଉପରେ ଆଲୋଚନା କରିଥିଲେ।ଧାରଣାସ୍ଥଳରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବରିଷ୍ଠ ଶିକ୍ଷକ ନେତା ବିବେକାନନ୍ଦ ଦାଶ, ଅଜୟ ସାମଲ,ଦୁର୍ଯ୍ଯୋଧନ ପରିଡା,ଉମାକାନ୍ତ ପାତ୍ର, ବୃନ୍ଦାବନ ମହାପାତ୍ର, ଅଶୋକକୁମାର ଦଳାଇ, ଦିଲିପ କୁମାର ମିଶ୍ର, ବିଭୂତିଭୂଷଣ ପଟ୍ଟନାୟକ, ବିମ୍ବାଧର ପଟ୍ଟନାୟକ, ଧନଞ୍ଜୟ କେଶରୀ ରାଉତରାୟ,ଦିଗମ୍ବର ସାହୁ,କର୍ଣ୍ଣ ଚନ୍ଦ୍ର ଘଡାଇ, ବୈକୁଣ୍ଠ ମହାରଣା ରଞ୍ଜନ କୁମାର ସାହୁ,ବାସନ୍ତି ଦାସ, ସୁବାଷିନୀ ତ୍ରିପାଠୀ,ଦେବେନ୍ଦ୍ର ଗିରୀ,ପ୍ଯାରୀମୋହନ ମହାନ୍ତି ପ୍ରମୁଖ ବୋଧନ ଦେଇ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ।ବିଶ୍ବ ଶିକ୍ଷକ ସଂଘର ସଭାପତି ଡଃ ଅମୀୟ କୁମାର ମହାନ୍ତି,ସିପିଏମ ର ରାଜ୍ଯ ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,ସିପିଆଇ ର ବିଜୟ ଜେନା,କଂଗ୍ରେସର ଶିବାନନ୍ଦ ରାୟ,ସେବାନିବୃତ୍ତ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଲୋକନାଥ ରଥ,ଏଆଇଏସଏଫ୍ ର ସଂଘମିତ୍ରା ଜେନା ପ୍ରମୁଖ ଅଂଶ ଗ୍ରହଣ କରି ଶିକ୍ଷକ ମହାସଂଘର ଦାବିକୁ ନିଜ ନିଜ ଦଳଫରୁ ସମର୍ଥନ ଜଣାଇ ଥିଲେ।2020 ଶିକ୍ଷାନୀତି ପ୍ରତ୍ଯାହର, ସମସ୍ତ ଅନୁଦାନ ଯୋଗ୍ଯ ଶିକ୍ଷାନୁଷ୍ଠାନକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ, ପୁରୁଣା ପେନସନ ପୁନଃ ପ୍ରଚଳନ ତଥା ଚାକିରୀ ସର୍ତ୍ତାବଳୀ ପ୍ରଭୃତି ଦାବୀ ଶୀଘ୍ର ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମହାସଂଘର ଅଧ୍ଯକ୍ଷ କାମରାଜୁ ମହାରଣା ଓ ସାଧାରଣ ସମ୍ପାଦକ ଡକ୍ଟର ଦୁଷ୍ମନ୍ତ କୁମାର ନାୟକ ଏକ ମିଳିତ ବିବୃତ୍ତିରେ ଦାବି କରିଛନ୍ତି।
