ବାଲିଗୁଡା : ୦୬/୦୮:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ ପ୍ରଣୀତା ଦାସ ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି । ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ବିଭାଗୀୟ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ | ଏହାପରେ ସେ ଟିକାବାଲି ବ୍ଲକରେ ପୂର୍ବ ନିର୍ଦ୍ଧାରିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗ ଦେବା ସହ ଟିକାବାଲି, ଜି. ଉଦୟଗିରି ଓ ଚକାପାଦ ବ୍ଲକ ଅଞ୍ଚଳ ପରିଦର୍ଶନ କରିଥିଲେ | ବାଲିଗୁଡା ଅଞ୍ଚଳର ବହୁ ସରକାରୀ କର୍ମଚାରୀ, ବିଭିନ୍ନ ଅନୁଷ୍ଠାନ ର କମିଟି ସଦସ୍ୟ ଉପଜିଲ୍ଲାପାଳଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। କାର୍ଯ୍ୟରେ ଯୋଗ ଦେଉ ଦେଉ ସେ ଅଞ୍ଚଳରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ବୁଝିବା ସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ପଦକ୍ଷେପ ନେବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସେ ୨୦୨୩ ରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୪୨ ରାଙ୍କ ରଖି ଓଡ଼ିଶାରେ ଟପ୍ସର ହୋଇଥିଲେ। ଟ୍ରେନିଂ ନେବା ପରେ କିଛିଦିନ ପାଇଁ ଗଞ୍ଜାମ ସୋରଡ଼ାରେ ପ୍ରୋବେସନ ଭାବେ କାର୍ଯ୍ୟ କରିଥିଲେ। ଏବେ ମସୁରି ସ୍ଥିତ ଆଇଏଏସ୍ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ଟ୍ରେନିଂ ସାରି ବାଲିଗୁଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ନିଜ ଘର ମୟୂରଭଞ୍ଜ ଜିଲା ବାରିପଦାରେ । ବାପା ସିଦାର୍ଥ ଦାସ ଆଇନଜୀବୀ ହୋଇଥିବା ବେଳେ ବଡ଼ବାପା ଦେବବ୍ରତ ଦାସ ଅବସରପ୍ରାପ୍ତ ବିଚାରପତି । ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳର ସର୍ବାଙ୍ଗୀନ ବିକାଶ, ଲୋକଙ୍କ ସମସ୍ୟାର ସମାଧାନ, ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସମସ୍ତଙ୍କ ସହଯୋଗରେ ଉପଖଣ୍ଡର ବିକାଶ ପ୍ରତି ଗୁରୁତ୍ବ ଦେବେ ବୋଲି ନୂତନ ଉପଜିଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।