ବାଲିଗୁଡା:୦୧/୮ :(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଚଳିତ ଶିକ୍ଷାବର୍ଷର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ର ସମ୍ପାଦକ ତୀର୍ଥବାସୀ ଘଡେଇ ଉପଖଣ୍ଡର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ ଶିକ୍ଷାବର୍ଷର ବିଜ୍ଞାନ ମେଳା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ଉପସ୍ଥିତ ଅତିଥିଗଣଙ୍କ ପରିଚୟ ପ୍ରଦାନ କରିବା ସହିତ ମେଳା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବାଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ନିଆରା ଶିକ୍ଷା ପଦ୍ଧତି କୁ ଭୂୟସୀ ପ୍ରଶଂସା କରିବା ସହ ଆଜିର ପ୍ରତିଯୋଗିତା ମୂଳକ ସମାଜରେ ବିଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଆମର ସହଭାଗିତା ସମ୍ପର୍କରେ ଅବଗତ କରାଇଥିଲେ । ପରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକଳ୍ପ ବୁଲି ଦେଖୁଥିଲେ । ଉକ୍ତ ମେଳାରେ ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ଗଣିତ ପତ୍ରବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବୈଦିକ ଗଣିତ ପ୍ରଶ୍ନମଞ୍ଚ , ବିଜ୍ଞାନ ପ୍ରଶ୍ନମଞ୍ଚ, ମୂର୍ତ୍ତିକଳା ଓ ତତ୍କାଳ ଭାଷଣ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତା ଗୁଡିକ ରେ ପ୍ରାୟ ୩୦୦ ଶିଶୁ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟା ମମତା ମହାରଣା ଙ୍କ ତତ୍ତ୍ବାବଧାନରେ ସମସ୍ତ ଗୁରୁଜୀ ଗୁରୁମା ଅତ୍ୟନ୍ତ ସନ୍ତର୍ପଣରେ କାର୍ଯ୍ୟ ପରିଚାଳନା କରିଥିଲେ । ଅପରାହ୍ନରେ ସମାରୋପ ଉତ୍ସବରେ ଏଚ ଡିଏଫ ବ୍ୟାଙ୍କ ର ଶାଖା ପ୍ରବନ୍ଧକ ସୁମିତ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଇତ୍ୟବସରରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ଶେଷରେ ଶାନ୍ତି ମନ୍ତ୍ର ତଥା ବନ୍ଦେ ମାତରଂ ଗାନକରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।
