କାଶୀର ପ୍ରହ୍ଲାଦ ଘାଟରେ ଅବସ୍ଥାନ କରୁଥିବା ସମୟରେ ଗୋସ୍ୱାମୀ ତୁଳସୀ ଦାସ ପ୍ରତିଦିନ ବାଲ୍ମୀକି ରାମାୟଣ ପ୍ରବଚନ ଶୁଣିବାକୁ ଯାଉଥିଲେ । ସେ ସ୍ଥାନକୁ ହନୁମାନ ରୂପ ବଦଳେଇ କଥା ଆରମ୍ଭର ସମସ୍ତଙ୍କ ଆଗରୁ ଆସି ପହଞ୍ଚନ୍ତି ଏବଂ ସମସ୍ତେ ଚାଲିଯିବା ପରେ ଯାଆନ୍ତି । ଗୋଟିଏ ପ୍ରେତର ସୂଚନା ଅନୁସାରେ ତୁଳସୀ ଦାସ ପ୍ରବଚନ ସ୍ଥାନରେ ପହଞ୍ଚି ଏକ ରୋଗିଣା ବୃଦ୍ଧକୁ ଦେଖିଲେ । କଥା ସରିବା ପରେ ସେ ତାଙ୍କ ପାଦ ଦୁଇଟାକୁ ଧରି ଭଗବାନ ରାମଙ୍କ ଦର୍ଶନ କରେଇଦେବା ପାଇଁ ଆକୁଳ ନିବେଦନ କଲେ । ତୁଳସୀ ଦାସଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ କହିଲେ , ଚିତ୍ରକୂଟରେ ସେ ତାଙ୍କୁ ରାମଙ୍କ ଦର୍ଶନ କରେଇଦେବେ । ହନୁମାନଙ୍କ ନିର୍ଦ୍ଦେଶ କ୍ରମେ ତୁଳସୀ ଚିତ୍ରକୂଟରେ ପହଞ୍ଚି ଦେଖିଲେ ଦୁଇଜଣ ସୁନ୍ଦର ରାଜକୁମାର ଘୋଡ଼ାରେ ବସି ଯାଉଛନ୍ତି । ସେମାନଙ୍କ ରୂପକାନ୍ତି ଦେଖି ସେ ଅତ୍ୟନ୍ତ ମୁଗ୍ଧ ହୋଇଗଲେ । କିନ୍ତୁ ରାମ ଲକ୍ଷ୍ମଣଙ୍କୁ ଚିହ୍ନି ପାରିଲେ ନାହିଁ । ପରେ ଯେତେବେଳେ ହନୁମାନ ପ୍ରକୃତ କଥା ଜଣେଇଲେ , ତୁଳସୀ ଦାସ କାନ୍ଦିବାକୁ ଲାଗିଲେ । ତା ଆରଦିନ ପୁଣି ଭେଟ ହେବ ବୋଲି ହନୁମାନ ତାଙ୍କୁ ଆଶ୍ୱାସନା ଦେଇଥିଲେ ।ପ୍ରାତଃ କାଳରେ ତୁଳସୀ ପୂଜା ପାଇଁ ଚନ୍ଦନ ଘୋରୁଛନ୍ତି , ଶ୍ରୀରାମ ଓ ଲକ୍ଷ୍ମଣ ଆସି ତିଳକ କରିବାକୁ ଚନ୍ଦନ ମାଗିଲେ । କାଳେ ତୁଳସୀ ଦାସ ଚିହ୍ନିପାରିବେ ନାହିଁ , ହନୁମାନ ଶୁଆ ରୂପ ଧରି ଗାଇଲେ ,” ଚିତ୍ରକୂଟ କେ ଘାଟ ପର ଭଇ ସ°ତନ କୀ ଭୀର ।ତୁଳସୀ ଦାସ ଚନ୍ଦନ ଘିସେଁ ତିଲକ ଦେତ ରଘୁବୀର ।। ” ଏହି ଦୋହା ପଦକ ଶୁଣି ତୁଳସୀ ଦାସଙ୍କର ପ୍ରଭୁଙ୍କୁ ଚିହ୍ନିବାରେ ଭୂଲ ହେଲାନାହିଁ । ତାଙ୍କର ଆଉ ଦେହଜ୍ଞାନ ରହିଲା ନାହିଁ । ପ୍ରଭୁ ଚନ୍ଦନ ମାଗୁଛନ୍ତି , ସେ କିନ୍ତୁ ପ୍ରଭୁଙ୍କ ରୂପ ମାଧୁରୀ ପାନରେ ବ୍ୟସ୍ତ । ଶେଷରେ ଭଗବାନ ନିଜ ହାତରେ ଚନ୍ଦନ ନେଇ ନିଜ ଲଲାଟ ଏବଂ ତୁଳସୀଙ୍କ ଲଲାଟରେ ଲେପନ କରି ଚାଲିଗଲେ । ତୁଳସୀଙ୍କର ବାହ୍ୟ ଜ୍ଞାନ ନଥିଲା । ପୁଣି ହନୁମାନ ଆସି ତାଙ୍କୁ ସଚେତ କରେଇଲେ । ଏହାପରେ ତୁଳସୀ ଦାସଙ୍କ ଖ୍ୟାତି ବହୁତ ବଢ଼ିଗଲା ଓ ଶହଶହ ଲୋକ ତାଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଆସିବାକୁ ଲାଗିଲେ ।
ସ୍ରୋତ:ସୋସିଆଲ ମିଡ଼ିଆ