ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥା ହେଲେ ଇରାନ ରାଷ୍ଟ୍ରପତି

ଭୁବନେଶ୍ୱର,(ପିଆଇବି):-

ଇରାନର ମହାମହିମ ରାଷ୍ଟ୍ରପତି ଶ୍ରୀ ମାସୁଦ ପେଜେସ୍କିଆନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି। ରାଷ୍ଟ୍ରପତି ପେଜେସ୍କିଆନ ଏହି ଅଂଚଳର ବର୍ତ୍ତମାନର ପରିସ୍ଥିତି, ବିଶେଷକରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ ଏବଂ ତାଙ୍କର ଦୃଷ୍ଟିକୋଣ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନର ଏହି ଉତ୍ତେଜନା ବୃଦ୍ଧି ଉପରେ ଭାରତର ଗଭୀର ଚିନ୍ତା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଶାନ୍ତି ଏବଂ ମାନବତା ପାଇଁ ଠିଆ ହୋଇଛି। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ତୁରନ୍ତ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା ଏବଂ କୂଟନୀତିର ରାସ୍ତା ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ଶୀଘ୍ର ପୁନଃସ୍ଥାପନ ପାଇଁ ଭାରତର ସମର୍ଥନକୁ ପୁନର୍ବାର ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ପ୍ରଦାୟର ନିରାପଦ ପ୍ରତ୍ୟାବର୍ତ୍ତନ ନିମନ୍ତେ ରାଷ୍ଟ୍ରପତି ପେଜେସ୍କିଆନଙ୍କ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ। ଦୁଇ ନେତା ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ କାର୍ଯ୍ୟ ଜାରିରଖିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଭବିଷ୍ୟତରେ ଘନିଷ୍ଠ ସମ୍ପର୍କ ବଜାୟ ରଖିବାକୁ ଦୁଇ ନେତା ସହମତ ହୋଇଛନ୍ତି।

You might also like
error: Content is protected !!