ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ସୁସ୍ଥ, ସଶକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଦେବର୍ଷି ନାରଦ ଯେପରି ତିନିପୁରରେ ଖବରର ବାର୍ତ୍ତାବହ ଥିଲେ ଯାହା ସମାଜ ପାଇଁ ଏକ ସକରାତ୍ମକ ପ୍ରଭାବ ଆଣୁଥିଲା ତାହାକୁ ଏବେବି ଅନୁକରଣ କରାଯିବା ଉଚିତ। ଭାରତ ପ୍ରାଚୀନ କାଳରେ ବିଶ୍ବ ଗୁରୁ ଥିଲା। ଏବେ ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଅଗ୍ରଗତି କରିଛି l ଏବେବି ସାମ୍ବାଦିକଙ୍କ ଦ୍ଵାରା ସତ୍ୟ, ନିରପେକ୍ଷ ଖବର ପରିବେଷଣ ନାରଦଙ୍କ ଯୁଗ ଭଳି ସମାଜ ଗଠନରେ ଗୁରୁତ୍ବ ରହିଛି l ବିଶ୍ବ ସମ୍ବାଦ କେନ୍ଦ୍ର ଦ୍ବାରା ମଙ୍ଗଳବାର ଦେବର୍ଷି ନାରଦ ଜୟନ୍ତୀ ସମାରୋହରେ ମୁଖ୍ୟ ବକ୍ତା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସଏସ) ଉଭୟ ପୂର୍ବ ଓ ପଶ୍ଚିମ ଉତ୍କଳ ପ୍ରାନ୍ତ ପ୍ରଚାର ପ୍ରମୁଖ (ରାଜ୍ୟ ମିଡିଆ ସେଲ୍ ମୁଖ୍ୟ) ସୃଷ୍ଟିଧର ବିଶ୍ବାଳ କହିଛନ୍ତି l ଗୋସାଇଁନୂଆଗାଁ ଗୋପାଳକୃଷ୍ଣ ରଙ୍ଗମଞ୍ଚରେ ଏହି ଅବସରରେ *ଉତ୍କର୍ଷ ଓଡ଼ିଶା ଗଠନରେ ସାମ୍ବାଦିକଙ୍କ ଭୂମିକା* ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ଡଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ଡଃ ବନ୍ଦିତା ପଣ୍ଡା, କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ,ବ୍ରହ୍ମପୁର ପ୍ରେସ୍ କ୍ଲବ୍ ସଭାପତି ଅଶୋକ ବ୍ରହ୍ମା ମଞ୍ଚାସୀନ ଥିଲେ। ବର୍ତ୍ତମାନ ସମୟରେ ସମାଜ ଗଠନ ଓ ସଂସ୍କାରରେ ଗଣମାଧ୍ୟମର ଭୂମିକା ଉପରେ ଡଃ ପାଢ଼ୀ କହିଥିବା ବେଳେ ଡଃ ପଣ୍ଡା ବୈଷୟିକ କୈ।ଶଳର ଉପଯୋଗ କରି ସତ୍ୟ ଖବର ପରିବେଷଣ ଓ ସମାଜ ଉପରେ ତାହାର ପ୍ରଭାବ ଦିଗରେ କହିଥିଲେ। ଶ୍ରୀ ପଟ୍ଟନାୟକ ସକରାତ୍ମକ ଖବର ପରିବେଷଣ ସହ ଆଞ୍ଚଳିକ ଖବରକୁ କିଭଳି ବିଶ୍ବସ୍ତରୀୟ କରିହେବ ତାହା ଦର୍ଶାଇଥିବା ବେଳେ ଶ୍ରୀ ବ୍ରହ୍ମା ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ସମ୍ପର୍କରେ କହିଥିଲେ। ପ୍ରେସ୍ କ୍ଲବ୍ ସଭାପତି ଶ୍ରୀ ବ୍ରହ୍ମାଙ୍କ ସମେତ ଉପସଭାପତି ଅଭୟ ପାଢ଼ୀ, ସମ୍ପାଦକ ପ୍ରହଲ୍ଲାଦ ସାହୁ, ସହସମ୍ପାଦକ ଗୋପାଳ ରେଡ୍ଡୀ ଓ କୋଷାଧ୍ୟକ୍ଷ ଶିବ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦେବର୍ଷି ନାରଦ ଜୟନ୍ତୀ ସମାରୋହ ସମିତି ସଂଯୋଜକ ପ୍ରହଲ୍ଲାଦ ପାଣିଗ୍ରାହୀ ଏଥିରେ ସଭାପତିତ୍ବ କରିଥିବା ବେଳେ ଆରଏସଏସ ସହ ଜିଲ୍ଲା ପ୍ରଚାର ପ୍ରମୁଖ ମାଧବ ନାୟକ ପରିଚାଳନା ସହଯୋଗ କରିଥିଲେ। ସାମ୍ୱାଦିକ ପ୍ରସନ୍ନ ସାହୁ ଏହାକୁ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ସମୀର ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ବୁଦ୍ଧିଜୀବୀ ଓ ସାମ୍ୱାଦିକ ପ୍ରମୁଖ ଉପସ୍ଥିତ ଥିଲେ l
