ବାଲ୍ୟବିବାହ ମୁକ୍ତ ପାଇଁ ସଚେତନତା ରାଲି

ବୁଗୁଡା,(ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଳକ ପୋଚାଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଅକ୍ଷୟ ତୃତୀୟା ଠାରୁ ସପ୍ତାହ ବ୍ୟାପି ବାଲ୍ୟବିବାହ ମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ ବୁଗୁଡା ଶିଶୁ ପ୍ରକଳ୍ପ ଅଧିକାରୀଣି ବବିତା କୁମାରୀ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅଞ୍ଚଳ ପରିଦର୍ଶିକା ଲିଲି ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସମସ୍ତ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ବୈଠକ କରାଯାଇ ବିଷ୍ଣୁଚକ୍ର ଗ୍ରାମକୁ ବାଲ୍ଯବିବାହ ମୁକ୍ତ ଗ୍ରାମରେ ପରିଣତ କରିବା ପାଇଁ ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବୁଝାଯାଇଥିଲା ।

କମ୍ ବୟସରେ ବିବାହ ଏକ ଅପରାଧ ତେଣୁ ନିଜେ ସଚେତନ ରହି ଅନ୍ୟ ମାନଙ୍କୁ ସଚେତନତାର ବାର୍ତ୍ତା ଦେବାପାଇଁ ଏକ ଶପଥ ପାଠ କରାଇ କନ୍ୟା ସନ୍ତାନ କୁ ୧୮ ବର୍ଷ ପୂର୍ବରୁ ବିବାହ ନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ପରିଶେଷରେ ଏକ ରାଲି ମାଧ୍ୟମରେ ବିଷ୍ଣୁଚକ୍ର ଗ୍ରାମର ପ୍ରତ୍ୟେକ ସାହି ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଯଶସ୍ୱିନୀ ପଟ୍ଟନାୟକ, ରଞ୍ଜୁ ସେଠୀ, ଜ୍ୟୋତ୍ସ୍ନା କୁମାରୀ ପରିଡା ଓ ସୁନିତା ବେହେରା ସମେତ ଅଙ୍ଗନବାଡ଼ି ସହାୟିକା ଓ ସମସ୍ତ କିଶୋରୀ ବାଳିକା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।
