ମିଆଁମାର ଭୂକମ୍ପ: ଭଗ୍ନାବଶେଷ ତଳେ ଖୋଜା ଚାଲିଛି ଜୀବନମୃତ୍ୟୁସଂଖ୍ୟା ୧୦୦୦ ପାର: ୧୦,୦୦୦ ଅତିକ୍ରମ କରିପାରେ ମୃତାହତ ସଂଖ୍ୟା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ନୂଆଦିଲ୍ଲୀ : ଭୂକମ୍ପରେ ଥରହର। ଭୂକମ୍ପରେ ଛାରଖାର ହୋଇଯାଇଛି ମିଆଁମାର। ଚାରିଆଡେ ହାହାକାର। ଯୁଆଡ଼େ ଦେଖିବ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ଏଭଳି ଭୟଙ୍କର ଭୂମିକମ୍ପରେ ଜୀବନ ବଞ୍ଚାଇଥିବା ଲୋକେ। ଭଗ୍ନାବଶେଷ ତଳେ ଖୋଜା ଚାଲିଛି ଜୀବନ। ସବୁଆଡେ଼ ଶୁଭୁଛି ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ଆକୁଳ ଚିତ୍କାର। ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବାର ଗୋଟିଏ ଦିନ ପରେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳୁ ଜୀବନ ଖୋଜିବାରେ ଲାଗି ପଡିଛନ୍ତି। ଏଯାବତ୍ ୧୦୦୨ ଲୋକ ପ୍ରାଣ ହରାଇଥିବା ବେଳେ ୨୩୬୭ ଜଣ ଆହତ ହୋଇଛନ୍ତି। ଆମେରିକାର ଏକ ଏଜେନ୍ସି ଚେତାବନୀ ଦେଇଛି ଯେ ମୃତ୍ୟୁ ସଂଖ୍ୟା ୧୦,୦୦୦ ଅତିକ୍ରମ କରିପାରେ। ଭାରତ ସହାୟତା ଦେବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ଭାରତ ବାୟୁସେନାର ଆଇଏଏଫ ସି ୧୩୦ ଜେ ବିମାନରେ ସୋଲାର ଲ୍ୟାମ୍ପ, ଖାଦ୍ୟ ପ୍ୟାକେଟ୍ ଏବଂ ରୋଷେଇ ସାମଗ୍ରୀ ସମେତ ୧୫ ଟନ୍ ରିଲିଫ୍ ସାମଗ୍ରୀ ମିଆଁମାର ପଠାଯାଇଛି। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ଭାରତ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ)ର ୮୦ଟି ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛି ଭାରତ। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଟିମ୍ ପହଞ୍ଚିବ ବୋଲି ଆଶା କରାଯାଉଛି ଏବଂ କମାଣ୍ଡାଣ୍ଟ ପାହ୍ୟାର ଜଣେ ଅଧିକାରୀ ସେମାନଙ୍କ ନେତୃତ୍ୱ ନେବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ‘ଅପରେସନ ବ୍ରହ୍ମା’ ରେ ଭାରତ ଏହି ସହାୟତା ଯୋଗାଇଛି। ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମିଆଁମାରକୁ ମାନବୀୟ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି। ଅନ୍ୟପଟେ ଚୀନ ଓ ଋଷ ଉଦ୍ଧାରକାରୀ ଦଳ ପଠାଇଛି।

Smart Computer Ad
You might also like
error: Content is protected !!