ନିୟମିତ ଦରମା ସହ 7 ଦଫା ଦାବି ନେଇ ଆଶାକର୍ମୀଙ୍କ ଧାରଣା ।
ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ନିୟମିତ ଦରମା ସହ 7 ଦଫା ଦାବିରେ ଗଜପତି ଜିଲ୍ଲା ମୋହନା ମେଡିକାଲ ଆଗରେ ଧାରଣା ଦେଇଛନ୍ତି ଆଶାକର୍ମୀ । ବ୍ଲକରେ କାର୍ଯ୍ୟରତ ଶତାଧିକ ଆଶାକର୍ମୀ ମେଡିକାଲ ଫାଟକ ଆଗରେ ଧାରଣାରେ ବସିଛନ୍ତି । ଗତ 2023 ଏପ୍ରିଲ ମାସ ଠାରୁ ସେମାନଙ୍କୁ ନିୟମିତ ଦରମା ମିଳୁନି । ଏଥିସହ ସେମାନଙ୍କ ପାଇଁ ଆସୁଥିବା ବିଭିନ୍ନ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯାଉନି । ଏଥିପାଇଁ ଗତ 6 ମାସ ତଳେ ସମାନ ଦାବି ନେଇ ମେଡିକାଲ ଆଗରେ ଧାରଣ। ଦେଇଥିଲେ ଆଶାକର୍ମୀ । ସେତେବେଳେ ସେମାନଙ୍କ ଦାବି ପୂରଣ ସହ ନିୟମିତ ଦରମା ପ୍ରଦାନ କରାଯିବ ବୋଲି ମେଡିକାଲ ଭାରପ୍ରାପ୍ତ ଅଧିକାରୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏ ଯାଏଁ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ । ଯେତେଦିନ ପର୍ଯ୍ୟନ୍ତ ଦାବି ପୂରଣ ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଆଶାକର୍ମୀ । ଅନ୍ୟ ପକ୍ଷରେ ଫାଟକ ଆଗରେ ଧାରଣା ଯୋଗୁଁ ରୋଗି ସେବା ବାଧାପ୍ରାପ୍ତ ହେଉଛି । ତୁରନ୍ତ ସେମାନଙ୍କ ଦାବି ନେଇ ଆଲୋଚନା କରାଯିବ ବୋଲି ମେଡିକାଲ ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ।
