ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ: ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୫ରେ ବାହାରିବେ, ବୁଧବାର ଭୋର ୩ଟା ୨୭ରେ ଫ୍ଲୋରିଡ଼ାରେ ପହଞ୍ଚିବେ

ୱାସିଂଟନ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୯ ମାସରୁ ଅଧିକ ସମୟ ଧରି ଅଟକି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ଶେଷରେ ପୃଥିବୀ ପୃଷ୍ଠରେ ଅବତରଣ କରିବାକୁ ଯାଉଛନ୍ତି। ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ପକ୍ଷରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସୂଚୀ ପ୍ରକାଶ କରାଯାଇଛି। ୱିଲିୟମ୍ସ ଓ ୱିଲ୍ମୋର ମାର୍ଚ୍ଚ ୧୮,୨୦୨୫ ମଙ୍ଗଳବାର ସ୍ପେସ୍ଏକ୍ସର କ୍ରୁ ଡ୍ରାଗନ୍ କ୍ୟାପସୁଲରେ ଆଇଏସ୍ଏସ୍‌ରୁ ବାହାରି ପୃଥିବୀକୁ ଯାତ୍ରା ଆରମ୍ଭ କରିବେ। ଏହି ମହାକାଶଯାନ ଆମେରିକୀୟ ଇଷ୍ଟର୍ଣ୍ଣ ଟାଇମ୍ (ଇଟି) ରାତ୍ରି ପ୍ରାୟ ୧ଟା ୫ ମିନିଟ୍‌ (ଭାରତୀୟ ସମୟ ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୫ ମିନିଟ୍‌)ରେ ଆଇଏସ୍ଏସ୍‌ରୁ ବାହାରିବାର କାର୍ଯ୍ୟକ୍ରମ ରହିଛି ଏବଂ ସେହିଦିନ ଅପରାହ୍ଣ ପ୍ରାୟ ୫ଟା ୫୭ ମିନିଟ୍ (ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ ମିନିଟ୍‌)ରେ ଫ୍ଲୋରିଡ଼ା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି। ଅର୍ଥାତ୍‌ ସେମାନଙ୍କୁ ମହାକାଶ କେନ୍ଦ୍ରରୁ ବାହାରି ପୃଥିବୀରେ ପହଞ୍ଚିବା ଲାଗି ପ୍ରାୟ ୧୭ ଘଣ୍ଟା ସମୟ ଲାଗିବ । ନାସା’ ସମଗ୍ର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସିଧା ପ୍ରସାରଣ ତାହାର ଟିଭି, ଅଫିସିଆଲ୍‌ ୱେବ୍‌ସାଇଟ୍ ଓ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଜରିଆରେ କରିବ। ‌ମହାକାଶଚାରୀମାନେ ଫ୍ଲୋରିଡ଼ା ସମୁଦ୍ର ଉପକୂ‌ଳରେ ଅବତରଣ କରିବେ। ସଂପ୍ରତି ସେମାନଙ୍କ ପ୍ରତ୍ୟାବର୍ତ୍ତନ ସମୟ ବୁଧବାରକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁକୂଳ ପାଗକୁ ଦେଖି ଅବତରଣ ଆଗୁଆ କରିବା ପାଇଁ ନାସା ନିଷ୍ପତ୍ତି ନେଇଛି। ଫ୍ଲୋରିଡ଼ାରେ ଅବତରଣ କରିବା ପରେ ମହାକାଶଚାରୀମାନଙ୍କୁ ନାସାର ଜନ୍‌ସନ୍‌ ସ୍ପେସ୍‌ ସେଣ୍ଟରକୁ ନିଆଯିବ। ଏହି ସେଣ୍ଟର ଟେକ୍ସାସ୍‌ର ହ୍ୟୁଷ୍ଟନ୍‌ରେ ରହିଛି। ସେଠାରେ ସେମାନଙ୍କର ଡାକ୍ତରୀ ପରୀକ୍ଷାନିରୀକ୍ଷା କରାଯିବ। ଏହାପରେ ରିକଭରି ପ୍ରୋଟୋକଲ୍‌ ଅନୁସାରେ ସେମାନେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହ ଖାପ ଖୁଆଇବେ। ପରବର୍ତ୍ତୀ ସମୟରେ ସେମାନେ ମହାକାଶ କେନ୍ଦ୍ରରେ ଦୀର୍ଘକାଳ ରହଣିର ଅନୁଭୂତି ସଂପର୍କରେ ବଖାଣିବେ।ଉଲ୍ଲେଖଯୋଗ୍ୟ, ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଆଣିବା ଲାଗି ‘ନାସା’ ପକ୍ଷରୁ ସ୍ପେସଏକ୍ସ କ୍ରୁ-୧୦ ମାର୍ଚ୍ଚ ୧୫ ତାରିଖରେ ପଠାଯାଇଥିଲା। ଫାଲକନ୍‌ ୯ ରକେଟ୍‌ ଜରିଆରେ କ୍ରୁ ଡ୍ରାଗନ୍‌ କ୍ୟାପସୁଲ୍‌କୁ ପଠାଯାଇଛି। ମାର୍ଚ୍ଚ ୧୭ ତାରିଖରେ କ୍ରୁ-୧୦ ମହାକାଶ ଯାନ ଆଇଏସ୍‌ଏସ୍‌କୁ ସଫଳତାର ସହିତ ଡକିଂ କରାଯାଇଛି। ବୋଇଂର ଷ୍ଟାର୍‌ଲାଇନର୍‌ ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁଁ ଉଭୟ ମହାକାଶଚାରୀ ଦୀର୍ଘଦିନ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରହିଛନ୍ତି। ସେମାନଙ୍କର ବିସ୍ତୃତ ରହଣି ସମୟରେ ୱିଲିୟମ୍ସ ଓ ୱିଲ୍ମୋର ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିବା ଏବଂ ଆଇଏସ୍‌ଏସ୍‌ର ପରିଚାଳନା ଦକ୍ଷତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

Smart Computer Ad
You might also like
error: Content is protected !!