ଆତ୍ମଜ୍ଞାନୀ ଯୋଗୀ ଗୁରୁ ସ୍ୱାମୀ ପୂର୍ଣାନନ୍ଦ
ଆତ୍ମଜ୍ଞାନୀ ଯୋଗୀ ଗୁରୁ ସ୍ୱାମୀ ପୂର୍ଣାନନ୍ଦ
[ଜନ୍ମ ତିଥି ଅବସରରେ]
ପିଣ୍ଡ ବ୍ରହ୍ମାଣ୍ଡତତ୍ତ୍ଵର ଦାର୍ଶନିକ ତତ୍ତ୍ବ ସମୂହକୁ ଲୋକାଭିମୁଖୀ କରିବାର ପ୍ରୟାସ, ସିଦ୍ଧ ସାଧକ ଅଚ୍ୟୁତ, ଅନନ୍ତ ଆଦି ପଞ୍ଚସଖା ଓ ଭୀମଭୋଇଙ୍କ ପରେ ଯଦି କେହି ଜଣେ କରିଥାନ୍ତି ସେ ହେଉଛନ୍ତି ଆତ୍ମଜ୍ଞାନୀ ଯୋଗୀଗୁରୁ ସ୍ୱାମୀ ପୂର୍ଣାନନ୍ଦ ଗୋସ୍ଵାମୀ ।ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକରେ, ରୁଷିକୂଲ୍ୟା ନଦୀ ତଟରେ ଅବସ୍ଥିତ ହଂସପୁର ଗ୍ରାମରେ ମାତା ଚିନା ଦେବୀ ଓ ପିତା କ୍ଷେତ୍ରବାସୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ଏଇ ମହତ୍ମା ସିଦ୍ଧ ସାଧକ ପବିତ୍ର ଦୋଳ ପୂର୍ଣିମା ତିଥିରେ ୧୮୬୮ ମସିହାରେ । ।ପୂର୍ଣାନନ୍ଦ ସ୍ଵାମୀଙ୍କ ଆବିର୍ଭାବର ପୂର୍ବ ସୂଚନା କିପରି ଅନ୍ୟ ଦୂରଦର୍ଶୀ, ଜ୍ଞାନୀ ସାଧକ ମାନେ ଉଲ୍ଲେଖ କରିଥିଲେ ତାହାହିଁ ସଂକ୍ଷେପରେ ବର୍ଣନା କରାଯାଇଛି । ସମଗ୍ର ଭାରତ ବର୍ଷ ପରି ପବିତ୍ର ଓଡ଼ିଶା ମାଟିରେ ଜନ୍ମ ନେଇଥିବା ସିଦ୍ଧ ସାଧକ ପୂର୍ଣାନନ୍ଦ ଗୋସ୍ଵାମୀଙ୍କ ସଂପର୍କରେ ‘ଅମର ଯୁମର ସଂହିତାରେ ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ଯେ ତାଙ୍କର ଦଶମ ରୂପ ହେଉଛି ‘ପୂର୍ଣାନନ୍ଦ ’ ଅବତାର । ‘କଳି ଶେଷେ ପୂର୍ଣାନନ୍ଦ – ନାମ ହୋଇବ ଅସକନ୍ଦ’ ମାଳିକାରେ ବର୍ଣନା ଅଛି- ଗରୁଡ଼ ଜନମ ହେବେ ଗଞ୍ଜାମ ବ୍ରହ୍ମପୁରରେ ଭୀମ ଜନ୍ମ ହୋଇଥିବେ ହଂସନାଥ ଠାରେ ।” ଉପରୋକ୍ତ ପଦ୍ୟ ପଂକ୍ତି ମଧ୍ୟ ଆତ୍ମଜ୍ଞାନ ସମ୍ବଳିତ ଭାବଧାରାର ସୂଚନା ଦିଏ । ଆଲୋଚକ ଓ ଭକ୍ତପ୍ରେମୀଙ୍କ ମତରେ ମାଳିକା ବର୍ମିତ ଗରୁଡ଼ ଓ ଭୀମ ହେଉଛନ୍ତି ସ୍ୱାମୀ ପୂର୍ଣାନନ୍ଦ । ତାଙ୍କର ପ୍ରିୟ ଶିଷ୍ୟ ପରମ ପୂଜନ ଗୀତାରେ ବର୍ଣନା କରିଛନ୍ତି-‘ ନମସ୍ତେ ଗୁରୁ ଗରୁଡ଼ ନମସ୍ତେ ଗୁରୁ ପରଂବ୍ରହ୍ମ ।’ପୂର୍ଣାନନ୍ଦ ଗୋସ୍ବାମୀଙ୍କ ସୁଳ ଶରୀର ଭୀମ କାୟ ଥିଲା । ତାଙ୍କର ସଶକ୍ତ ଶରୀର ଥିବାରୁ ସେଥିରେ ‘ଭୀମ’ ପ୍ରାୟ ଓ ସାଧନାରେ ବି ‘ଭୀମ’ ଅର୍ଥାତ୍ ଶିବ ଯୋଗୀ ମଧ୍ଯ ଥିଲେ । ଯୋଗୀଥିବାରୁ ତାଙ୍କ ଶିରରେ ସପ୍ତଫଣୀ ଧାରଣ କରିଥିଲେ । ମାଳିକାରେ ବର୍ଣ୍ଣନା ଅନୁଯାୟୀ-‘ସେତେବେଳେ ହଂସମଣି ହେବେ ସପ୍ତଫଣୀ କଳିଯୁଗ ଉକ୍ତମାନେ ଥିବେ ଏହା ଜାଣି ।’’ ସନ୍ଥ ହାଡ଼ି ଦାସ ତାଙ୍କ ମାଳିକାରେ ଲେଖୁଥିଲେ- ଗଞ୍ଜାମ ହଂସପୁର ଠାରେ – ଧ୍ଵଜା ପ୍ରକଟ ହେବ ବାରେ ଉଦିତ ହେବେ ପୂର୍ଣାନନ୍ଦ-ଜଗତ ହୋଇବ ଆନନ୍ଦ ।”ଅନ୍ଧକବି ମହିମା ଧର୍ମର ପ୍ରଚାରକ ଭୀମ ଭୋଇ ଲେଖୁଥିଲେ –‘ପୂର୍ଣାନନ୍ଦ ପୂର୍ଣବ୍ରହ୍ମ ଅଟନ୍ତି ଏହି ଚିହ୍ନି ଏହାଙ୍କୁ ଧ୍ଯାୟୀ ନୁହେଁ ଅଳ୍ପ ବହୁତ, କିଛି ନୁହଁଇ ଊଣା ତେଜ ବିକାଶୁ ଅଛି ଯେହ୍ନେ ନୁହେଁ ପୁରୁଣା ପାରିହେବ ଯଦି ଭବ ବାସନା ବାର ।”ଏକ ଅପ୍ରକାଶିତ ତାଳପତ୍ର ପାଣ୍ଡୁଲିପିରେ ବର୍ତନା ଅଛି-‘‘ଋଷିକୂଲ୍ୟା ନଦୀର କଂସାରୀଗଣ୍ଡ ତୀରରେ ପୂର୍ଣାନନ୍ଦ ଜନ୍ମ ହେବେ, ତାଙ୍କ ଦେହରେ ଶଙ୍ଖ, ଚକ୍ର ଚିହ୍ନଥୁବ, ସେ ଏକାକ୍ଷର ମନ୍ତ୍ର ପ୍ରଚାର କରିବେ । ଇତ୍ୟାଦି… ।” ଋଷିକୂଲ୍ୟା ନଦୀର ଉତ୍ତର ବାଙ୍କ ଠାର ଚିନାମାଳି ଗର୍ଭୂଜାତ ହେବେ ଯୋଗଶ୍ୱର ଏକାକ୍ଷର ମନ୍ତ୍ର ଗୋଟି ତାଙ୍କର ଭଜନ ନାମ ବୋଲାଇଥିବେଟି ପରିପୂର୍ଣ ବ୍ରହ୍ମ ।” ସେହିପରି ଅତ୍ୟତ୍ର ବର୍ଣନା ଅଛି- ଶୁଣ ଅଚ୍ୟୁତ ଦେଇ ମନ – ତୋହର ହେବ ବାର ଜନ୍ମ ଅଚ୍ୟୁତାନନ୍ଦ, ଶ୍ୟାମାନନ୍ଦ-ରାମାନନ୍ଦ ଯେ ଗୋପୀନନ୍ଦ ବଲ୍ଲଭା ନନ୍ଦ, ଗୋପନନ୍ଦ – ହରି ନନ୍ଦ ଯେ ପୂର୍ଣାନନ୍ଦ ଏତେ ଯେ ବାର ଜନ୍ମ ତୋର-ଜନମ କରଣ କୂଳର ଯେତେବେଳେ ଯେ ପୂର୍ଣାନନ୍ଦ-କଳିରେ ଜନ୍ମ ଆଦି କନ୍ଦ ସେତେବେଳେରେ କଳିଶେଷ- ଏଥର ଶୁଣରେ ରହସ୍ୟ।’ ଗୁରୁନାନକ ମଧ୍ଯ ଭବିଷ୍ୟତ ବାଣୀ କରିଥିଲେ- ‘“ସେ ଜନ୍ମ ହେବାର ଠିକ୍ ଚାରିଶହ ବର୍ଷ ପରେ ପଞ୍ଚନଦୀର ଦେଶରେ ପୂର୍ଣବ୍ରହ୍ମ ପରମେଶ୍ଵର ଜନ୍ମଗ୍ରହଣ କରି ଈଶ୍ଵର ତତ୍ତ୍ଵକୁ ଆତ୍ମଜ୍ଞାନ ରେ ପ୍ରତ୍ୟକ୍ଷ ଭାବେ ବୁଝାଇବେ ।” ଅନ୍ୟତ୍ର ଏପରି ବି ବର୍ଣ୍ଣନା ଅଛି ଯେ- ”ଜନ୍ମ ହୋଇବେ ପୂର୍ଣାନନ୍ଦ ସଂସାରୁ ଦୂର ହେବ ଖେଦ ।” ଅନେକ ସାଧୁ, ସନ୍ଥ, ସିଦ୍ଧ, ସାଧକ ମାନଙ୍କ ଜନ୍ମର ପୂର୍ବ ସୂଚନା ଶାସ୍ତ୍ର, ପୁରାଣମାନଙ୍କରେ ମିଳୁଥିଲେ ବି ଅନେକ ଏହାକୁ ଅବିଶ୍ୱାସ କରିଥାନ୍ତି, କପୋଳକଳ୍ପିତ ଭାବେ ବିଚାର କରନ୍ତି । ସଂସାରରେ ସବୁକଥା ଯେ ବିଶ୍ବାସ ଯୋଗ୍ୟ ଏକଥା କୁହାଯାଇପାରେନା । ଅବିଶ୍ବାସୀ ମନୁଷ୍ୟର ମନରେ ବିଶ୍ୱାସନୀୟତା ସୃଷ୍ଟି ପାଇଁ ବେଳେବେଳେ ଅନ୍ତଦୃଷ୍ଟି ଭାବନା ଉଦ୍ରେକ କରିବାକୁ ପଡ଼ିଥାଏ ।”ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର ” ବିଶ୍ଵାସରେ ଭଗବାନ ପ୍ରାପ୍ତ ହୁଅନ୍ତି । ତାଙ୍କର ଦିବ୍ଯ ଲୀଳା କେବଳ ଅନୁଭବରେ ହିଁ ସଂଚରିତ ହୋଇଥାଏ l‘ବ୍ରହ୍ମାଣ୍ଡରେ ଯାହା ଅଛି, ଏ ପିଣ୍ଡେ ବଖାଣି-ଗୁରୁ ଶିଷ୍ୟଙ୍କର । ଏ ଯେ ଗୁପତ କାହାଣୀ । ’- ପ.ପୂ. ଗୀତା ଧର୍ମ ସାଧନ ପାଇଁ ଇଁ ଶରୀର ହେଉଛି ଶ୍ରେଷ୍ଠ ମାଧ୍ୟମ । ସଶକ୍ତ, ଉପଯୁକ୍ତ ପାତ୍ର ନଥିଲେ ଦୁଗ୍ଧ ପରି ଅମୂଲ୍ୟ ଦ୍ରବ୍ଯ ଧାରଣ କରିବା ଅସମ୍ଭବ । ଏକ କାଗଜ କିମ୍ବା ଅପାତ୍ରରେ ଏହାର ସଂରକ୍ଷଣ ସମ୍ଭବ ହୁଏ । ନାହିଁ । ତଦନୂରୂପ ଜ୍ଞାନ ସଂରକ୍ଷଣ, ସାଧନ କ୍ଷେତ୍ର ପାଇଁ ସୁସ୍ଥ ଶରୀର ଆବଶ୍ୟକ । ଏହି ଶରୀର ମଧ୍ୟରେ ସଂସାରର ସମସ୍ତ ଲୀଳା ପ୍ରକଟିତ ହେଉଛି । ଯାହା କେବଳ ସିଦ୍ଧ ସାଧକ, ଆତ୍ମଜ୍ଞାନୀ, ତନ୍ତ୍ରଦର୍ଶୀ ଗୁରୁମାନଙ୍କୁ ହିଁ ଉପଲବ୍ଧି ହୋଇଥାଏ । ପରବର୍ତ୍ତୀ ସମୟରେ ଗୁରୁଶିଷ୍ୟ—ପରଂପରାକ୍ରମେ ଯେତେବେଳେ ତାହା ଶିଷ୍ୟମାନଙ୍କ ଭିତରେ ପ୍ରସାରିତ ହୁଏ ସେତେବେଳେ ଲୋକାଭିମୁଖୀ ହୋଇଥାଏ । । ତେଣୁ ‘ଶରୀରମ୍ ଇଦଂ ଖଳୁ ଧର୍ମ ସାଧନମ୍’ ବୋଲି କୁହାଯାଇଛି । ଶରୀର ତତ୍ତ୍ବ, ଆତ୍ମଜ୍ଞାନର ଦିବ୍ୟଦ୍ରଷ୍ଟାମାନେ ଆମକୁ ସେସବୁ ସରଳ ଭାବରେ ଶିକ୍ଷା ଦେଇ ଗୁରୁପଦବାଚ୍ଯ । ହୋଇଥାନ୍ତି । ତେଣୁ ସ୍ୱାମୀ ପୂର୍ଣାନନ୍ଦ କହିଛନ୍ତି– ‘ବ୍ରହ୍ମାଣ୍ଡେ ଖୋଜିଲେ ବାବୁ କିଛି ନ ମିଳଇ ତେଣୁ ତୋତେ ଏ ପିଣ୍ଡରେ ଦେଲି ମୁଁ ଚିହ୍ନାଇ ।’ଗୁରୁଶିଷ୍ୟ ପରଂପରାରର ଅଖଣ୍ଡ ପ୍ରବାହ । ଆଜି ସେଇ ମହାତ୍ମା ପୁରୁଷଙ୍କ ପୂଣ୍ୟ ଜନ୍ମ ତିଥିରେ ହଜାର ହଜାର ପୂର୍ଣାନନ୍ଦ ପ୍ରେମୀ ଭକ୍ତଙ୍କ ସମାବେଶ । ହରିବୋଲ, ହୁଳହୁଳିଧ୍ଵନି, ଭଜନ, କୀର୍ତ୍ତନରେ ଝଙ୍କୃତ ହଂସପୁରଗ୍ରାମ । ଆଧ୍ୟାତ୍ମିକ ତତ୍ତ୍ୱକୁ ଶରୀର ଭିତରେ ହାତମାରି ସୂଚୀତ କରି ଆତ୍ମଜ୍ଞାନର ପ୍ରସ୍ତର ଓ ପ୍ରସାର କରିବାପାଇଁ ତାଙ୍କର ପ୍ରଚେଷ୍ଟା ସୁଦୂର ରେଙ୍ଗୁନ୍ ଠାରୁ ଓଡ଼ିଶା ପର୍ଯ୍ୟନ୍ତ ଏପରିକି ଓଡ଼ିଶା ବାହାରେ ମଧ୍ଯ ପରିବ୍ୟାପ୍ତ ଥିଲା । ତଥାପି ଏହି ମାର୍ଗ ପ୍ରଦର୍ଶିତ ଯୋଗସାଧନା ଏକ କଷ୍ଟସାଧ୍ଯ ମାଧ୍ୟମ ହୋଇଥିବାରୁ ଭକ୍ତମାନେ ସାଧନାଠାରୁ ଧନାଠାରୁ ଦୂରେଇ ଯାଇ ଅନେକ କେବଳ ଗୁରୁଭକ୍ତିକୁ ଆଧାର କରି ଭକ୍ତି ନୈବେଦ୍ୟ ଅର୍ପଣ କରୁଥିବା ଦେଖାଯାଉଛି । କନା ପଡ଼ି କର୍ପୂର ଉଡ଼ିଯିବା ପରି ଜ୍ଞାନ ଅଛି ସାଧନା ନାହିଁ, ଭକ୍ତି ଅଛି ଭାବନା ନାହିଁ l ତଥାପି ଓଡ଼ିଶା ମାଟିରେ ଓ ବାହାରେ ଏହି ନାମକୁ ପ୍ରଚାର କରି ସାଧନାବ୍ରତୀ ମାନଙ୍କୁ ଆମର ହୃଦୟରୁ ପ୍ରଣାମ ଓ ଗୁରୁମାନ୍ୟ ଜଣାଉଛି ।
ଓଁ ଶ୍ରୀଗୁରୁ

ଅର୍ଜୁନ ଘଡ଼େଇ
ଅବସରପ୍ରାପ୍ତ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଦାଣ୍ଡମୁକୁନ୍ଦପୁର, ପିପିଲି, ପୁରୀ
ଯୋଗାଯୋଗ – ୯୪୩୮୦୪୮୬୧୫