ବେତାଳ ବରଦ ତୀର୍ଥକ୍ଷେତ୍ର
ପାପ କର୍ମର ଫଳ ସର୍ବଦା ଦୁଃଖ ଦାୟକ ହୋଇଥାଏ । ଯିଏ ଯେତେବଡ ଶକ୍ତିଶାଳୀ ବ୍ୟକ୍ତି ହୋଇଥିଲେ ମଧ୍ୟ ନିଜେ କରିଥିବା କର୍ମଫଳ ସଦା ସର୍ବଦା ଭୁଞ୍ଜିବାକୁ ପଡିଥାଏ । ଏହି କର୍ମ ଫଳରୁ ଦେବତା ମାନେ ମଧ୍ୟ ବର୍ତ୍ତି ପାରି ନାହାନ୍ତି ତେବେ ସାଧାରଣ ମାନବ କଥା କଣ କହିବା । ଆସନ୍ତୁ ଜାଣିବା ପୌରାଣିକ କଥା ଉପରେ ଆଧାରିତ ଯକ୍ଷଲୋକର ଦୁଇ ବୀରଙ୍କ କଥା ।ମହର୍ଷି ବିଶ୍ବାମିତ୍ରଙ୍କ ପୁତ୍ର ଗାଲବ ମୁନି ଜଣେ ବହୁତ ବଡ ତପସ୍ଵୀ ସହିତ ଜ୍ଞାନୀ ଥିଲେ । ବେଦ ଧର୍ମଶାସ୍ତ୍ରର ଜ୍ଞାତାରୂପେ ଜଗତରେ ସେ ବିଖ୍ୟାତ । ସତ୍ୟନିଷ୍ଠା ଓ ତପୋବଳରେ ଗଙ୍ଗାମାତାଙ୍କୁ ରାଜସ୍ଥାନର ମରୁ ଅଞ୍ଚଳରେ ପ୍ରକଟ କରାଇଥିଲେ । ତାଙ୍କର ଗୋଟିଏ ସୁନ୍ଦର କନ୍ୟା ରତ୍ନଟିଏ ଥିଲା ରୂପ ଗୁଣରେ ଧନୀ ସେହି । ତାହାର ନାମ କାନ୍ତିମତୀ । ସେହି କନ୍ୟା ନିଜ ପିତାଙ୍କର ପାଶରେ ରହି ସର୍ବଦା ତାଙ୍କର ସେବାରେ ତତ୍ପର ଥାଏ । ପୂଜା ନିମନ୍ତେ ଫୁଲ ତୋଳି ଆଣେ । ସ୍ବହସ୍ତରେ ଆଶ୍ରମ ଖଡକି ସୁନିର୍ମଳ କରେ। ବନରୁ ସମିଧ ଆଣି ଯଜ୍ଞ ନିମନ୍ତେ ରଖେ । ପୂଜା ସ୍ଥାନକୁ ଲିପା ପୋଛା କରି ସମସ୍ତ ହବନ ସାମଗ୍ରୀ ଯୋଗାଇ ଦିଏ । ନଦୀରୁ ଜଳ ଆଣେ ଏବଂ ଫଳମୂଳ ଓ ଭୋଜନର ବ୍ୟବସ୍ଥା କରେ । ଏହିପରି ନାନା ରୂପେ କାର୍ଯ୍ୟକରି ଅନଳସ ଚିତ୍ତରେ ପିତାଙ୍କର ସେବାରେ ନିରନ୍ତର ଲାଗିରହିଥାଏ । ଦିନକର କଥା କାନ୍ତିମତୀ ପୁଷ୍ପ ତୋଳି ଆଣିବାକୁ ବନକୁ ଗଲା । ଦୂରରୁ ନାନାରଙ୍ଗର ପୁଷ୍ପ ଦେଖି ତାହାକୁ ଆଣିବା ନିମନ୍ତେ ବନ ଭିତରକୁ ଚାଲିଗଲା । ଗୋଟି ଗୋଟି କରି ପୁଷ୍ପତୋଳି ନିଜ ପୁଷ୍ପାଧାରେ ରଖୁଥିଲା । ଏତିକିବେଳେ ତା’ର ପିତାଙ୍କ କଥା ସ୍ମରଣ ପଡିଲା । ଆସିବା ବେଳେ ପିତା କହିଥିଲେ ଶୀଘ୍ର ଫେରିବା ନିମନ୍ତେ । ପିତାଙ୍କ ବଚନ ସ୍ମରଣ ହେଲା କ୍ଷଣି ତର ତର ହୋଇ ବନରୁ ଆଶ୍ରମ ଅଭିମୁଖେ ଗମନ କଲା ସେ ସୁନ୍ଦରୀ । ସେହି ସମୟରେ ଆକାଶ ମାର୍ଗରେ ଦକ୍ଷ ଲୋକର ଦୁଇ ବୀର ସୁଦର୍ଶନ ଓ ସୁକର୍ଣ୍ଣ ନିଜ ବିମାନରେ ବସି ଗମନ କରୁଥିଲେ । ସୁଦର୍ଶନଙ୍କ ଦୃଷ୍ଟି କାନ୍ତିମତୀ ଉପରେ ପଡିଲା । ଯୁବତୀ ଶିରୋମଣୀ କାନ୍ତିମତୀ କୁ ନିରେଖିଦେଖି ମୋହିତ ହୋଇଗଲା ଦକ୍ଷ କୁମର । ଋଷିକନ୍ୟା ଥିଲା ପରମ ସୁନ୍ଦରୀ । ସାକ୍ଷତ ରତିଦେବୀ ପରାଏ ସେ ଦିଶୁଥିଲା । ରୂପ ଯୌବନରେ ପୂର୍ଣ୍ଣ ସେ ଯୁବତୀକୁ ଦେଖି ସୁଦର୍ଶନ କାମବାଣରେ ପୀଡିତ ହେଲା । ଦୁଇଭାଇ ମଧ୍ୟରେ ସୁଦର୍ଶନ ଜ୍ୟେଷ୍ଠ ଥିଲା ।ବିମାନକୁ ଭୂପୃଷ୍ଠରେ ରହିବା ପାଇଁ ଆଦେଶ ଦେଇ ଦକ୍ଷ କୁମର । କାନ୍ତିମତୀର ରୂପରେ ନିଜର ଧୈର୍ଯ୍ୟ ହରାଇ ହର୍ଷ ଉତ୍ଫୁଲ୍ଲିତ ନୟନରେ ବାରମ୍ବାର ସେଇ ପୂର୍ଣ୍ଣଚନ୍ଦ୍ର ବଦନକୁ ଚାହିଁ ଚାହିଁ ଚାଲିଗଲା ତା’ର ନିକଟକୁ । ଦକ୍ଷ କୁମର ସୁଦର୍ଶନକୁ ଦେଖି କ୍ଷଣ ଆଚମ୍ବିତ ହୋଇ ଚାହିଁଲା ସେ ସୁନ୍ଦରୀ । ସୁଦର୍ଶନ ଅତି କୋମଳ କଣ୍ଠରେ କହିଲା — ହେ ଭଦ୍ରେ ! କାହାର କନ୍ୟା ଅଟ ତୁମ୍ଭେ କହ ? ରୂପ ଯୌବନରେ ପରିପୂର୍ଣ୍ଣ ହୋଇ ଘୋର ବନରେ ବୁଲୁଅଛ କାହିଁକି ? ତୁମ୍ଭର ତୁଲ୍ୟ ରୂପବତୀ ନାରୀ ଆମ୍ଭେ ନିଜ ଜୀବନ କାଳରେ ଦେଖିନାହୁଁ ଦେବ ଲୋକରେ ମଧ୍ୟ ତୁମ୍ଭ ସମ ରୂପବତୀ କେହି ନାହିଁ । ତୁମ୍ଭର ଏହି ଅପ୍ରତିମ ରୂପକୁ ଦେଖି ମନ୍ମତ ବାଣର ଘାତରେ ଦୁଃଖୀ ହେଉଅଛୁ । ତୁମ୍ଭର ଏହି ରୂପଗୋଟି ମନକୁ ମୋର ଅତି ଆହ୍ଲାଦିତ କରିଛି । ମୁଁ ହେଉଛି ସୁକଣ୍ଠ ନାମକ ବିଦ୍ୟାଧରଙ୍କ ସୁତ । ମୋର ନାମ ସୁଦର୍ଶନ । ରୂପ ଯୌବନରେ ପରିପୂର୍ଣ୍ଣ ମୁହିଁ । ଆଖିରେ ଦେଖୁଛ ନିଜ ବିଷୟରେ ଅଧିକ ଆଉ କଣ କହିବି । ହେ ସୁନୟନା ! ମତେ ବରଣ କର । ତୁମ୍ଭର କୃପାଦୃଷ୍ଟି ପଡିଲେ ଆଜି ମୋର ପ୍ରାଣ ରହିବ । ତୁମ୍ଭେ ମତେ ବରଣ କରିବ ଯେବେ ଅତୁଳ ସୁଖ ସମ୍ପଦ ଭୋଗ କରିବ । ଭୂଲୋକର ସମସ୍ତ ସୁଖ ସମ୍ପଦ ତୁମ ପାଦତଳେ ଅର୍ପଣ କରିବି । ଦକ୍ଷଲୋକର ମହାରାଣୀ ହୋଇ ଜୀବନ ଆନନ୍ଦରେ ଅତିବାହିତ କରିବ । ତୁମ୍ଭକୁ ଦୁର୍ଲଭ ହୋଇ କୌଣସି ବସ୍ତୁ ରହିବ ନାହିଁ । ହେ ପ୍ରାଣପ୍ରିୟେ ! ମୋ ଉପରେ ଦୟାକରି ଏହିକ୍ଷଣି ମତେ ସ୍ବୀକାର କର । ଦକ୍ଷ କୁମର ସୁଦର୍ଶନଙ୍କ ବଚନ ଶୁଣି ସେହି ସୁଲକ୍ଷଣୀ ଧର୍ମ ସଙ୍ଗତ ବଚନ କହିଲା — ହେ ବୀର ! ମୁଁ ମହାତ୍ମା ଗାଲବ ଋଷିଙ୍କର କନ୍ୟା କାନ୍ତିମତୀ । ପିତାଙ୍କର ପାଶରେ ଅଛି ବିଭାହୋଇ ନାହିଁ । ପିତା ମୋର ଏହି ବନରେ ରହି ତପସ୍ୟା କରୁଛନ୍ତି । ତାଙ୍କରି ସେବା କରି ମୁଁ ଦିନ ବିତାଉଛି । ତାଙ୍କରି ପୂଜା ନିମନ୍ତେ ଫୁଲ ତୋଳିବାକୁ ଏହି ବନକୁ ଆସିଥିଲି । ଫୁଲ ତୋଳୁ ତୋଳୁ ସମୟ ଗଡିଗଲା । ଏଠି ଅଧିକ ସମୟ ରହିଲେ ପିତା କୋପ କରିବେ । ଫୁଲତୋଳା କାର୍ଯ୍ୟ ଶେଷ ହୋଇଗଲା ମୋର ଆଉ ଏଠି ରହିବାର ପ୍ରୟୋଜନ କିଛି ନାହିଁ । ତେଣୁ ଏଠାରୁ ମୁଁ ଯାଉଛି । ହେ ଦକ୍ଷ କୁମର ! ଆଉ ଏକ କଥା କହୁଛି ଶୁଣ । ବିବାହ ପୂର୍ବରୁ ପିତାଙ୍କର ଅଧୀନ ହୋଇ କନ୍ୟାମାନେ ଥାଆନ୍ତି । ସ୍ବାଧୀନ ହୋଇ କୌଣସି କାର୍ଯ୍ୟ କରିବା ତାହା ନିମନ୍ତେ ସମ୍ଭବ ନୁହେଁ । ଯେହେତୁ ମୁଁ ପିତାଙ୍କର ଅଧୀନରେ ଅଛି । ମୋର ନିମନ୍ତେ ଯାହା ଭଲ ହେବ ସେହି ବିଚାର ସେ କରନ୍ତି । ଯଦ୍ୟପି ଇଚ୍ଛା କରୁଛ ମତେ ପାଇବାକୁ । ମୋ ପିତାଙ୍କର ପାଶରେ ଯାଇ ନିଜ ମନକଥା ଜଣାଅ । ତାଙ୍କରି ଆଜ୍ଞା ହେଲେ ନିଶ୍ଚୟ ମୁଁ ତୁମ୍ଭକୁ ବରଣ କରିବି । ଏହିପରି କହି କାନ୍ତିମତୀ ସେଠାରୁ ଅତିଶୀଘ୍ର ଯିବାକୁ ତତ୍ପର ହେଲା । ଦକ୍ଷ କୁମର ସୁଦର୍ଶନ ଦେଖିଲା କାନ୍ତିମତୀ ତାହାର ନିବେଦନକୁ ହତାଦର କରି ଚାଲି ଯାଉଛି । ମଦନରେ ପୀଡିତ ସେ ଦକ୍ଷ ହିତାହତ ଜ୍ଞାନ ହରାଇ ସେହି କନ୍ୟା ପଛରେ ଗୋଡାଇଲା । ତାହାର କେଶକୁ ଆକର୍ଷଣ କରି ଧରି କହିଲା ରେ ମୁଢା ! ମୋ ନିବେଦନକୁ ପ୍ରତ୍ୟାହାର କରି ଚାଲି ଯାଉଛୁ କୁଆଡେ ? ଏହିକ୍ଷଣି ତତେ ବଳ ପୂର୍ବକ ନେଇଯିବି ରହ । ଏପରି କହି ଦକ୍ଷ କୁମାର କାନ୍ତିମତୀର କେଶକୁ ଧରି ଟାଣିଲା । କାନ୍ତିମତୀ ଯନ୍ତ୍ରଣାରେ କାନ୍ଦି କାନ୍ଦି ନିଜ ପିତାଙ୍କୁ ଡାକି ବୋଇଲା — ହେ ପିତା ! ରକ୍ଷା କର ମତେ । ଦକ୍ଷ କୁମର ମୋର କେଶକୁ ଓଟାରି ଧରିଛି । ଶୀଘ୍ର ଆସ ପିତା ଏହି ଦୁଷ୍ଟ ମୋର ହରଣ କରିବାକୁ ଉଦ୍ଧତ ହେଉଛି । ଏପରି କହି ତରୁଣୀ କାନ୍ଦିଲା ଉଚ୍ଚ ସ୍ବରରେ । ସେ ତରୁଣୀର କାନ୍ଦିବା ଶୁଣି ସେଠାରେ ଥିବା ସମସ୍ତ ଋଷି ମୁନି ମାନେ ଗାଲବ ମୁନିଙ୍କୁ ଆଗରେ ରଖି ତାଙ୍କ ପଛେ ପଛେ ବନକୁ ଆସିଲେ ଯେଉଁଠି କାନ୍ତିମତୀ କ୍ରନ୍ଦନ କରୁଥିଲା । ଋଷି ଦେଖିଲେ ଦକ୍ଷ କୁମର ତାଙ୍କ କନ୍ୟାର କେଶକୁ ଟାଣିଧରି ନିଜ ସହିତ ବଳପୂର୍ବକ ନେଇ ଯିବାକୁ ଚେଷ୍ଟା କରୁଛି । ସୁକର୍ଣ୍ଣ ତାପାଖରେ ଥାଇ ଦେଖୁଛି ଶିନା କିଛି କରୁ ନାହିଁ । ସେ କ୍ରୋଧରେ ଚିତ୍କାର କରି କହିଲେ ରେ ପାମର ! ନିର୍ବଳ ଉପରେ ବଳ ପ୍ରୟୋଗ କରିବା ସର୍ବଦା ଅପରିହାର୍ଯ୍ୟ ଏବଂ ଏକ ନାରୀର ବିନା ସ୍ବୀକୃତିରେ ତା ‘ସହିତ ସମ୍ପର୍କ ସ୍ଥାପନ କରିବା ଧର୍ମ ସଙ୍ଗତ ନୁହେଁ ତଥାପି ତୁ ପାପୀ ଦୁରାଚାରୀ ତୋ ମନରେ ତିଳେମାତ୍ର ଭୟ ନାହିଁ ଏପରି ଦୁଷ୍କର୍ମ କରୁଛୁ । ମୁଁ ତତେ ଅଭିଶାପ ଦେଉଛି ଏହି ପାପକର୍ମ ଫଳରେ ତୁ ମାନବ ଜନ୍ମ ଲଭି ବହୁତ କଷ୍ଟ ଭୋଗିବା ପରେ ବେତାଳ ରୂପରେ ରହି ରକ୍ତ ମାଂସ ଖାଇ ନାନା ସ୍ଥାନ ବୁଲିବୁ । ରାକ୍ଷସ ମାନଙ୍କ ପରି ବେତାଳ ମାନେ ସବୁବେଳେ ବୁଲୁଥାନ୍ତି ସ୍ତ୍ରୀ ଲୋକଙ୍କୁ ଦେଖିଲେ ଟଣା ଓଟଣା କରନ୍ତି । ତୁ ସେପରି କର୍ମ କରିଲୁ ତେଣୁ ତୁ ବେତାଳ ହୁଅ । ତୋ ଭାଇ ତୋ ପାଶେ ଥାଇ ଦେଖୁଥିଲା ବାରଣ କରିଲା ନାହିଁ ତେଣୁ ସେ ମଧ୍ୟ ମାନବ ଜନମ ନେଉ କିନ୍ତୁ ସେ ତୋ ପରି ପାପକର୍ମ କରୁନଥିଲା ତେଣୁ ବେତାଳ ନହୋଇ ରହୁ । ଋଷିଙ୍କ ଶାପ ପାଇ ଦୁଇଭାଇ ଭୟରେ ଥରି ଉଠିଲେ । ଦୁହେଁ ଋଷିଙ୍କର ପାଦରେ ପଡି କ୍ଷମା ଯାଚନା କରି ପଶ୍ଚାତାପ ଲୁହରେ ମୁନିଙ୍କ ପାଦ ଧୋଇଦେଲେ । ପରମ ଦୟାଳୁ ମୁନି ଗାଲବ ଦୁହିଁଙ୍କୁ କ୍ଷମାକରି କହିଲେ ମୋହର ବଚନ କେବେ ଅନ୍ୟଥା ହେବ ନାହିଁ କିନ୍ତୁ ତୁମ୍ଭେ ମାନେ ଯେବେ ବିଜ୍ଞପ୍ତି କୌଣୁବ କୁ ସାକ୍ଷତ କରିବ ସେତେବେଳେ ଯାଇ ସୁକର୍ଣ୍ଣ ଶାପରୁ ମୁକ୍ତି ପାଇବ କିନ୍ତୁ ସୁଦର୍ଶନକୁ ନିଜ କର୍ମଫଳ ଭୁଞ୍ଜିବାକୁ ପଡିବ । ଗାଲବ ମୁନି ଦକ୍ଷ କୁମର ଦୁହିଁଙ୍କୁ ଅଭିଶାପ ଦେଇ ନିଜ ପୁତ୍ରୀକୁ ଧରି ସେଠାରୁ ଆଶ୍ରମକୁ ଚାଲିଗଲେ । ଶାପ ଯୋଗୁଁ ଦକ୍ଷ କୁମର ଦୁହିଁଙ୍କ ସମସ୍ତ ଶକ୍ତି ଚାଲିଗଲା । ନିର୍ବଳ ହୋଇ ଦୁହେଁ ବିଷାଦ ମନରେ ଅନେକ ଦୂର ଗତିକରିବା ପରେ ଯମୁନା ତଟରେ ପହଞ୍ଚିଲେ । ସେଠାରେ ଗୋବିନ୍ଦ ସ୍ବାମୀ ନାମରେ ଏକ ବ୍ରାହ୍ମଣ ରହୁଥିଲା । ସର୍ବଦା ଇଷ୍ଟପୂଜା ସଦାଚାରରେ ରତ ରହି ନିଜ କର୍ମ କରୁଥିଲା । ସେହି ବ୍ରାହ୍ମଣଙ୍କୁ ଦେଖି ଦୁଇ ଭାଇ ମନରେ ଚିନ୍ତନ କଲେ ଏହି ବ୍ରାହ୍ମଣ ଆମର ପିତା ହେଲେ ନିଶ୍ଚୟ ଆମର ମଙ୍ଗଳ ହେବ । କ୍ଷୁଧା ତୃଷାରେ ଦୁର୍ବଳ ଯୋଗୁଁ ବ୍ରାହ୍ମଣଙ୍କୁ ମନରେ ଚିନ୍ତନ କରି କରି ସେଠାରେ ନିଜ ପ୍ରାଣ ତ୍ୟାଗ କଲେ । କିଛି କାଳ ଉପରାନ୍ତେ ସେଦୁହେଁ ବ୍ରାହ୍ମଣ ଗୃହରେ ପୁତ୍ର ରୂପରେ ଜନ୍ମ ହୋଇଲେ । ଗୋବିନ୍ଦ ସ୍ବାମୀ ନିଜ ଦୁଇ ପୁତ୍ରର ନାମ ବିଜୟ ଓ ଅଶୋକଦତ୍ତ ରଖିଲେ। ଜ୍ୟେଷ୍ଠ ଭାଇର ନାମ ବିଜୟ ଓ କନିଷ୍ଠ ଭାଇର ନାମ ଅଶୋକଦତ୍ତ । ସେହି ଦୁଇଭାଇ ନିଜ ପିତା ମାତାଙ୍କ ପାଶରେ ରହି କିଛି ଦିନ ସୁଖରେ ବଢିଲେ । ଯେବେ ଯୌବନରେ ପ୍ରବେଶ କରିଲେ ସେହି ସମୟରେ ସେରାଜ୍ୟରେ ଅନାବୃଷ୍ଟି ହେଲା । ବାରବର୍ଷ ପର୍ଯ୍ୟନ୍ତ ମେଘ ବର୍ଷିଲା ନାହିଁ । ଯମୁନା ତଟରେ ଥିବା ଦେଶମାନଙ୍କରେ ଦୁର୍ଭିକ୍ଷ ପଡିଲା । ଲୋକମାନେ ଅନାହାରରେ ମରିଲେ । ଦ୍ବାଦଶ ବର୍ଷ ପର୍ଯ୍ୟନ୍ତ ଭୀଷଣ ଦୁର୍ଭିକ୍ଷ ପଡିବାରୁ ସେଠାରେ ଥିବା ଜୀବଜନ୍ତୁ ସବୁ ନଷ୍ଟ ହେବାକୁ ଲାଗିଲେ । ଗୋବିନ୍ଦ ସ୍ବାମୀ ନିଜ ପରିବାର ଜନଙ୍କ ଜୀବନ ରଖିବା ପାଇଁ ସେସ୍ଥାନ ଛାଡି କାଶି ଅଭିମୁଖେ ଯାତ୍ରା କରିଲେ । କିଛି ବାଟ ଅତିକ୍ରମ କରିବା ଉପରାନ୍ତ ତୀର୍ଥରାଜ ପ୍ରୟାଗ ପଡିଲା । ପବିତ୍ର ଜଳରେ ସ୍ନାନକରି ବଟବୃକ୍ଷକୁ ଦର୍ଶନ କରିଲେ । ସେ ବଟବୃକ୍ଷ ତଳେ ଏକ ଯତି ବସିଥିଲେ । ଗଳାରେ ତାଙ୍କର ମୁଣ୍ତମାଳ ଲମ୍ବିଥିଲା ଦେହରେ ଭସ୍ମ ଲେପନ ହୋଇଥିଲା । ସେଯତିଙ୍କୁ ଦେଖି ଗୋବିନ୍ଦ ସ୍ବାମୀ ଶ୍ରଦ୍ଧାରେ ପ୍ରଣାମ କରିଲା । ଯତି ବୋଇଲେ ହେ ଦ୍ବିଜ ! ବିଜୟଦତ୍ତ ତୁମ୍ଭର ଜ୍ୟେଷ୍ଠ ପୁତ୍ର ପରା । ଆଜି ଏହି କୁମର ସହିତ ବିଚ୍ଛେଦ ହେବ ତୁମ୍ଭର । ମୁନିଙ୍କ ମୁଖରୁ ପୁତ୍ର ବିଚ୍ଛେଦ ବଚନ ଶୁଣି ବ୍ରାହ୍ମଣ ଅତି ବିସ୍ମୟ ହେଲା ଏବଂ ଯଥାଶୀଘ୍ର ସେସ୍ଥାନ ଛାଡି ଆଗକୁ ଚାଲିଗଲା । ସଙ୍ଗରେ ଦୁଇ ପୁତ୍ର ଭାରିଯା ଥିଲେ କିଛି ଦୂର ଚାଲିବା ପରେ ସୂର୍ଯ୍ୟାସ୍ତ ହେବାଦେଖି ଏକ ଶୂନ୍ୟ ଦେବାଳୟରେ ରହି ଦ୍ବିଜ ନିଜର ସନ୍ଧ୍ୟା ବନ୍ଦନା ଆଦି କର୍ମ କରିଲା । ଚାଲି ଚାଲି ଆସିଥିବା ଯୋଗୁଁ ଅଶୋକ ଦତ୍ତ ନିଜ ମାତାଙ୍କ କୋଳରେ ନିଦ୍ରାଗଲା କିନ୍ତୁ ବିଜୟଦତ୍ତ ଶ୍ରମାକୁଳ ହୋଇ ତାଦେହରେ ଶୀତ ଜ୍ବର ପ୍ରବେଶିଲା । ଜ୍ବୋରର ପ୍ରଭାବରେ ବାତେ ରମ୍ଭାତରୁ ପରି କମ୍ପିଲା ବିଜୟଦତ୍ତ ।ପୁତ୍ର କମ୍ପିବା ଦେଖି ଗୋବିନ୍ଦ ସ୍ବାମୀ ପୁତ୍ରକୁ ଜାବୁଡି ଧରିଲେ କିନ୍ତୁ ପୁତ୍ରର ଶରୀର ଅହରହ ଥରୁଥିଲା । ବେଳକୁ ବେଳ ତାଦେହ ଅତ୍ୟଧିକ କମ୍ପନ ହେଲା । ବିଜୟଦତ୍ତ ବ୍ୟାକୁଳ ହୋଇ କହିଲା ହେ ପିତା ! ଜ୍ବରରେ ମୋ ଦେହ କମ୍ପୁଛି । କେଉଁଠାରୁ ଅନଳ ଆଣି ଜଳାଅ ତେବେ ଯାଇ ମୋଦେହର ଶୀତ ଯିବ । ପୁତ୍ର ଆକୁଳ ଦେଖି ଗୋବିନ୍ଦ ସ୍ବାମୀ ଅଗ୍ନି ଆଣିବାକୁ ତତ୍କ୍ଷଣାତ୍ ଗଲା । ରାତିଅଧରେ ଅନଳ ନିମନ୍ତେ ବହୁତ ଖୋଜିଲା । କିନ୍ତୁ କେଉଁଠାରେ ନିଆଁ ଟିକକ ପାଇଲେ ନାହିଁ । ଶେଷକୁ ନିରାଶ ହୋଇ ସେ ପୁତ୍ର ପାଶକୁ ଫେରି ଆସିଲା । ବିଜୟ ଦତ୍ତକୁ ଦେଖି କହିଲେ — ପୁତ୍ର ବହୁତ ସ୍ଥାନ ଖୋଜିଲି କିନ୍ତୁ କେଉଁଠାରେ ଅନଳ ଟିକକ ମଧ୍ୟ ପାଇଲି ନାହିଁ । ବର୍ତ୍ତମାନ ଅର୍ଦ୍ଧରାତ୍ରୀର ସମୟ ଲୋକମାନେ କବାଟ କିଳି ଦେଇ ଶୋଇଛନ୍ତି । ଡାକିଲେ କେହି ମଧ୍ୟ ଶୁଣୁ ନାହାନ୍ତି କିଛି କ୍ଷଣ ଅପେକ୍ଷା କର ପ୍ରଭାତ ହେବାକ୍ଷଣି ଲୋକଙ୍କ ଠାରୁ ଅନଳ ମାଗି ଆଣିବି । ପିତାଙ୍କ ଠାରୁ ନିରାଶ ବଚନ ଶୁଣି ବିଜୟ କହିଲା — ହେ ତାତ ! ତୃଷାରପାତ ହୋଇ ମୋଦେହର ଶୀତ ଅଧିକ ହେଉଛି । ଯେମିତି ହେଲେ ମୋ ନିମନ୍ତେ ଅଗ୍ନି ଆଣିଦିଅ । ଏ ଶୀତର ପୀଡା ମୁଁ ସହ୍ୟ କରିପାରୁ ନାହିଁ । ମତେ ଲାଗୁଛି ତୁମେ ମତେ ମିଛ କହୁଅଛ । ଦେଖ ଦୂରରେ ଅଗ୍ନି ଜଳୁଛି । ତାର ଶିଖା ଉଠି ମେଘମାଳାକୁ ଗ୍ରାସିଲା ପରି ଦେଖା ଯାଉଛି । ତେଣୁ ମୁଁ ଅନୁରୋଧ କରୁଛି ତୁମ୍ଭକୁ , ଯଥାଶୀଘ୍ର ଯାଇ ସେଅଗ୍ନି ଆଣିଦିଅ । ପୁତ୍ର ମୁଖରୁ ଶୁଣି ଗୋବିନ୍ଦ ସ୍ବାମୀ ବୁଝାଇ କହିଲେ — ହେପୁତ୍ର ! ମୁଁ ତତେ ମିଛ କହିନାହିଁ । ଚାରିଆଡେ ଖୋଜି ମଧ୍ୟ ମୁଁ ଅଗ୍ନି ପାଇଲି ନାହିଁ । ଏଯେଉଁ ଅଗ୍ନିର ତେଜ ଦୂରରେ ଦେଖାଯାଉଛି । ସେ କଥା ତୁ ଜାଣିନାହୁଁ କହୁଛି ଶୁଣ । ଗ୍ରାମପୁର ନାହିଁ ସେଇଟା ଶ୍ମଶାନଘାଟ । ମୃତଶବ ମାନେ ସେଠାରେ ପୋଡାଯାଏ । ଯେଉଁ ଅଗ୍ନି ଦିଶୁଛି ତତେ ତାହା ଚିତାଅଗ୍ନି ଅଟେ । ତାହାକୁ ସେବନ କରିବା ଅନୁଚିତ । ଅମଙ୍ଗଳ ଚିତା ଅନଳ ଯିଏ ସେବନ କରିବ ତାହାର ଆୟୁଷ କ୍ଷୟ ହୋଇବ । ଏହି କାରଣ ଯୋଗୁଁ ମୁଁ ସେଇ ଅନଳ ଆଣିଲି ନାହିଁ । ପିତାଙ୍କ ମୁଖର ଏପରି ବଚନ ଶୁଣି ପୁତ୍ର କହିଲା — ଭୋପିତା ! ତାହା ଯଜ୍ଞ ଅନଳ ହେଉ ଅବା ଚିତା ଅନଳ ହେଉ ଶୀଘ୍ର ଯାଇ ଆଣ ସେଥିରେ ମୋଶୀତ ଛାଡିବ । ଆୟୁଷ କ୍ଷୟ ହେବା କଥା କହିଲ ତୁମ୍ଭେ । ସେ ଅନଳ ନପାଇଲେ ମରିବି ଏହିକ୍ଷଣି ନିଶ୍ଚୟ । ଏହାକୁ ବିଚାର କରି ଯଥାଶୀଘ୍ର ଯାଅ । ମୋର ଜୀବନକୁ ତୁମ୍ଭେ ବଞ୍ଚାଇଦିଅ । ପୁତ୍ର ସ୍ନେହରେ ବିବଶ ହୋଇ ଗୋବିନ୍ଦ ସ୍ବାମୀ ପୁତ୍ରର ଜୀବନ ରକ୍ଷା କରିବା ନିମନ୍ତେ ଶ୍ମଶାନ ଘାଟକୁ ଗଲା । ଉଦ୍ବେଗରେ ଥରି ଥରି ତାପଛେ ପଛେ ବିଜୟ ଦତ୍ତ ମଧ୍ୟ ଚାଲିଗଲା । ଦୁହେଁ ଚିତାଅଗ୍ନି ପାଶରେ ପହଞ୍ଚିଲେ ଯାଇ । କିଛି ସମୟ ମଧ୍ୟରେ ଅଗ୍ନିତେଜରେ ବିଜୟ ଦତ୍ତର ଶୀତ ଛାଡିଗଲା । ଦେହର କମ୍ପ ଛାଡିଯିବାରୁ ବିଜୟଦତ୍ତ ଚିତାକୁ ଭୟ ନକରି ନିରେଖି ଦେଖିଲା କିଛି କ୍ଷଣ । ଚିତାରେ ଅସ୍ଥି ଜଳୁଥିଲା ଦେଖି ପଚାରିଲା ହେ ତାତ ! ଏହି ଯେଉଁ ବାର୍ତ୍ତୁଳ ଆକାରରେ ଦିଶୁଛି ତାହା କିଶ କୁହ ? ଦେବୀପ୍ୟମାନ ହୋଇ ଏପଦାର୍ଥ ଏଠି ଜଳୁଛି କାହିଁ । ପୁତ୍ର ମୁଖରୁ ଏପରି ବଚନ ଶୁଣି ବ୍ରାହ୍ମଣ ବୁଝାଇ କହିଲେ — ବତ୍ସ ! ପଚାରିଲୁ ଯାହା କହୁଛି ଶୁଣେ । ନିଆଁ ମଧ୍ୟରେ ଯେଉଁ ବାର୍ତ୍ତୁଳ ଦ୍ରବ୍ୟ ଦିଶୁଛି ତତେ । ରକ୍ତପଦ୍ମ ପରାଏ ହୋଇଛି ସେହି । ଏହା ନରକପାଳ ଏଥିରେ ମାଂସ ବସା ଯୁକ୍ତ କପାଳ ହେବାରୁ ବାର୍ତ୍ତୁଳ ଆକାରରେ ଦେଖା ଯାଉଛି । ପିତାଙ୍କ ମୁଖରୁ ଏପରି ବଚନ ଶୁଣି ପାଖରେ ଥିବା ଏକ ଶୁଷ୍କ କାଷ୍ଠ ଖଣ୍ତରେ ସେ ନର କପାଳ ଉପରେ ପ୍ରହାର କରିଲା । ପ୍ରହାର ଘାତରେ ନରମୁଣ୍ତ ଫାଟି ତାଭିତରେ ଥିବା ରକ୍ତ ଛିଟା ଉଡି ବିଜୟ ମୁଖରେ ପଡିଲା । ସେ ରକ୍ତକୁ ବିଜୟଦତ୍ତ ଜିହ୍ବରେ ଚାଟି ଚାଟି ଖାଇବାକୁ ଲାଗିଲା । ରକ୍ତର ସ୍ବାଦ ପାଇ ନିଜ ହାତରେ ନର କପାଳ ଧରି ବଳକା ରକ୍ତକୁ ଭୁଞ୍ଜିଲା । ରକ୍ତସ୍ବାଦ କପାଳ ଗ୍ରହଣ କରୁ କରୁ ସେ ଦ୍ବିଜପୁତ୍ର ବିରାଟ ଆକାରରେ ପରିଣତ ହେଲା । ଆଖି ଦୁଇଟି ତାର ଉଲୁକା ପରି ଦେଖାଗଲା । ଦାନ୍ତ ଗୁଡିକ ବାହାରକୁ ବାହାରି ଲମ୍ବି ଆସିଲା । ନାଶିକା ତାର ବିଶାଳ କାୟ ଗୁମ୍ପା ପରି ଦେଖାଗଲା । କେଶ ଗୁଡିକ ଲମ୍ବି ମେଘମାଳାକୁ ସ୍ପର୍ଶକଲା । ହସ୍ତ ଗୁଡିକ ବଢି ପାଖରେ ଥିବା ବିଶାଳ ବୃକ୍ଷ ଗୁଡିକୁ ବାଜିବା ଦ୍ବାରା ସେ ବୃକ୍ଷ ଗୁଡିକ ଉପୁଡି ପଡିଲେ । ଏକ ବିକଟାଳ ଅଟ୍ଟହାସ୍ୟ କରି ଦିଗ ବିଦିଗକୁ କମ୍ପନ କରିଲା । କ୍ଷଣକରେ ପିଶାଚ ପାଲଟି ଥିବା ନିଜ ପୁତ୍ରକୁ ଦେଖି ଦ୍ବିଜ ଭୟରେ କାତର ହୋଇ ସେହିଠାରେ ଠିଆ ହୋଇଥିଲେ । ପୂର୍ଣ୍ଣ ରୂପରେ ପିଚାଶ ହେବାପରେ ସମ୍ମୁଖରେ ନିଜ ପିତାଙ୍କୁ ଦେଖି ଗୋଟିଏ ହସ୍ତରେ ଉଠାଇ ଆଣି ଖାଇବା ପାଇଁ ଉଦ୍ଧତ ହେବା ବେଳେ । ଆକାଶ ବାଣୀ ଶୁଣାଗଲା — ରେ ମୁର୍ଖ ଏତେ ବଡ ଜଘନ୍ୟ କର୍ମ କର ନାହିଁ । ପୂର୍ବ କର୍ମଫଳ ଯୋଗୁଁ ବେତାଳ ହୋଇଲୁ । ଜାଣି ଜାଣି ଏବେ ପିତୃ ବଧ କରୁଛୁ କାହିଁକି ? ରେ ପାପୀ ! ଯଦି ସଦ୍ ଗତି ଚାହୁଁଛୁ ତେବେ ନିଜ ପିତାଙ୍କୁ ଛାଡିଦିଅ । ଆକାଶବାଣୀ ଶୁଣି ସେ ପିଶାଚ ନିଜ ପିତାଙ୍କୁ ଛାଡି ଶୂନ୍ୟ ମାର୍ଗରେ ବେତାଳଗଣଙ୍କ ପାଶକୁ ଚାଲିଗଲା । ଦ୍ବିଜ କୁମରକୁ ଦେଖି ଯେତେ ଥିଲେ ବେତାଳ ରୁଣ୍ତ ହେଲେ । ତାହାର ବିଶାଳକାୟ ଶରୀର ଓ ଶକ୍ତି ଦେଖି କହିଲେ — କପାଳ ସ୍ପୋଟନ ହେବାରୁ ଏହି ବ୍ରହ୍ମଣ କୁମାର ବେତାଳ ଦେହ ପାଇଲା ତେଣୁ ଏହାର ନାମ ଆଜିଠାରୁ କପାଳସ୍ପଟନ ହେବ । ଏବଂ ଆମ ବେତାଳ ମାନଙ୍କର ପ୍ରାଧାନ ବଲାଇବ । ଏହିପରି ବିଚାରକରି ବେତାଳ ମାନେ କପାଳ ସ୍ପଟନକୁ ନିଜ ସହିତ ରଖିଲେ । ସେ ବେତାଳ ମାନଙ୍କର ଏକ ନୃପତି ଥିଲା ତାହାର ନାମ ନରଅସ୍ଥି । ସେ ମହାବଳୀ କପାଳସ୍ପଟନକୁ ଦେଖି ନିଜ ମନ୍ତ୍ରୀ ରୂପରେ ପାଶରେ ରଖିଲା । ବେତାଳ ଗଣଙ୍କ ସଙ୍ଗରେ ରହି କିଛି କାଳ ବିତିଯିବା ପରେ ଦିନେ ଚିତ୍ରସେନ ନାମକ ଏକ ଦକ୍ଷରାଜ ଆସି ସେଇ ବେତାଳ ମାନଙ୍କ ସହିତ ଯୁଦ୍ଧ କରିଲା । ସେହି ଯୁଦ୍ଧରେ ନରଅସ୍ଥି ଜୀବନ ହରାଇଲା । ରାଜା ନିହିତ ହେବାଦେଖି କପାଳସ୍ପଟନ ସେବେତାଳ ମାନଙ୍କ ରାଜା ହୋଇ ରାଜୁତି କରିଲା । ମହାବଳୀ କପାଳସ୍ପଟନ ରାଜାହେବା ଦେଖି ଯେତେଥିଲେ ବେତାଳ ସମସ୍ତେ ଆଶି ତାର ଅଧୀନସ୍ଥ ହୋଇଲେ । ନିଜପୁତ୍ର ବେତାଳ ହେବା ଦେଖି ସେ ଦ୍ବିଜ ଦୁଃଖରେ ମନ ସନ୍ତାପ କରି ନିଜ ପତ୍ନୀ ଓ କନିଷ୍ଠ ପୁତ୍ର ପାଖକୁ ଗଲା । ସକଳ ବୃତ୍ତାନ୍ତ ଭାର୍ଯ୍ୟା ଆଗରେ ଗୋବିନ୍ଦ କହିଲା । ବିଜୟ ଦତ୍ତକୁ ହରାଇ ତିନିଜଣ ଉଚ୍ଚସ୍ବରରେ ବିଳାପ କରୁଥିଲେ । ତିନିଜଣଙ୍କ ବିଳାପ ଦେଖି ଆଖ ପାଖର ଲୋକ ରୁଣ୍ତ ହୋଇ ଦେଖିଲେ । ଦ୍ବିଜର କଷ୍ଟଦେଖି କିଛି ଲୋକ ବୁଝାଇଲେ ଯାଇ । ସେହି ଲୋକ ମାନଙ୍କ ଭିତରେ ସମୁଦ୍ର ଦତ୍ତ ନାମକ ଏକ ବଣିକ ଥିଲା । ଏହିମାନଙ୍କ କଷ୍ଟ ଦେଖି ତାର ମନ ବହୁତ ବ୍ୟଥିତ ହେଲା । ସେ ବୁଝାଇ ଶୁଝାଇ ନିଜ ଗୃହକୁ ନେଇଗଲା । ସେଠାରେ ଦ୍ବିଜ ନିଜ ପତ୍ନୀ ପୁତ୍ର ସହିତ ବିଧିର ବିଧାନ ବିଚାର କରି ରହିଲା । ଦ୍ବିଜର କନିଷ୍ଠ କୁମର ଅଶୋକ ଦତ୍ତ ଅତି ବୁଦ୍ଧି ସହ ବଳବାନ ଥିଲା । ସବୁ ବିଦ୍ୟା ପଢି କାଳକ୍ରମେ ଏକ ସୁପଣ୍ତିତ ହୋଇ ଲୋକଙ୍କ ମଧ୍ୟରେ ଖ୍ୟାତ ହେଲା । ତାହାର ସମାନ ପଣ୍ତିତ ସେ ସମୟରେ କେହି ନଥିଲେ । ମାଲବିଦ୍ୟା ସାଧନ କରି ଅଶୋକଦତ୍ତ ଯେତେ ଆଖ ପାଖରେ ମାଲ ଥିଲେ ସମସ୍ତଙ୍କୁ ହରାଇଲା । ଏପରି କିଛି କାଳ ଅତିକ୍ରମ ହେବାପରେ । କାଶୀଧାମରେ ସେତେବେଳେ ପ୍ରତାପ ମୁକୁଟ ରାଜା ଥିଲେ । ତାଙ୍କ ଦରବାରକୁ ଏକ ମାଲଯୋଦ୍ଧା ଆସି କାଶୀ ରାଜାଙ୍କୁ ଲଲକାରୀ କହିଲା — ହେ ରାଜା ! କିଏ ଅଛି ତୁମ ଦେଶରେ ତାହାକୁ ଆଣ ମୋ ସହିତ ଲଢି ମତେ ହରାଇବ । ତାହାକୁ ମୁଁ ଆହ୍ବାନ କରୁଛି । ନଚେତ୍ ନିଜ ପରାଜୟ ସ୍ବୀକାର କରି ଏହି ରାଜ୍ୟ ଛାଡି ଚାଲିଯାଅ । ସେହି ମାଲର ବଚନ ଶୁଣି ପ୍ରତାପ ମୁକୁଟ ଚିନ୍ତାରେ ପଡିଲେ । ନିଜ ମନ୍ତ୍ରୀକୁ ଡକାଇ କହିଲେ — ହେ ମନ୍ତ୍ରୀବର ! ଯଥାଶୀଘ୍ର ଏକ ବଳବାନ୍ ମାଲ ଖୋଜିଆଣ ଯିଏ ଏହି ରାଜ୍ୟର ମାନ ରକ୍ଷା କରିବ । ରାଜାଙ୍କ ମୁଖରୁ ଏପରି ବଚନ ଶୁଣି ମନ୍ତ୍ରୀ ଦ୍ବିଜ କୁମର ଅଶୋକଦତ୍ତ କୁ ଡକାଇ ଆଣିଲେ । ରାଜାଙ୍କ ଆଜ୍ଞା ପାଇ ଦ୍ବିଜସୁତ ଯଥାଶୀଘ୍ର ଆସିଲା ଦରବାରକୁ । ରାଜା ଅଶୋକ ଦତ୍ତକୁ ଦେଖି କହିଲେ — ହେ ବୀର ! ଆମ୍ଭେ ତୁମ୍ଭର ବଳର ପ୍ରଶଂସା ବହୁତ ଶୁଣିଛୁ । ତୁମ୍ଭେ ମାଲ ବିଦ୍ୟାରେ ନିପୁଣ ହୋଇଅଛ। ଆମ ରାଜ୍ୟକୁ ଏକ ଦୁର୍ଜନ ଆସିଛି ନିଜ ବଳର ଗାରିମା ଦେଖାଇ କହୁଛି ତାହା ସହିତ ଯୁଦ୍ଧ ଲଢିବା ନିମନ୍ତେ । ତୁମ୍ଭେ ତାହା ସହିତ ଲଢି ଜୟଶିରୀ ଆରହଣ କର । ଦକ୍ଷିଣ ଦେଶରୁ ଆସି ବଳଗର୍ବେ ଆଣ୍ଟପଣ ବହୁତ କହୁଛି । ସେ ମହାମଲ୍ଲ କେତେ ବୀରଙ୍କ ଜୀବନ ନେଇଛି ତେଣୁ ତାହା ବଳବପୁ ଦେଖି ତାହା ସହିତ ଲଢିବାକୁ କେହି ଆଗଭର ହେଉ ନାହାନ୍ତି । ଯଦି ତୁମେ ତାହାକୁ ହରାଇବ ଯାହା ଅଭିଳାଷ ତୁମ୍ଭର ଥିବ ସେହି ସବୁ ଆମ୍ଭେ ପୂରା କରିବୁ । ଅଦେୟ ହେଲେ ମଧ୍ୟ ତାହାକୁ ଆମ୍ଭେ ଦେବୁ ଏହା ଆମର ସତ୍ୟ ବଚନ । ରାଜାଙ୍କର ବଚନ ଶୁଣି ଅଶୋକଦତ୍ତ ଦକ୍ଷିଣରୁ ଆସିଥିବା ମାଲବ ସହିତ ଯୁଝିବା ନିମନ୍ତେ ପ୍ରସ୍ତୁତ ହେଲା । ରାଜା ଏକ ବିଶାଳ ସଭାର ଆୟୋଜନ କରିଲେ । ଯେଉଁଠି ରାଜ୍ୟର ସମସ୍ତ ଲୋକ ବସି ସେହି ଯୁଦ୍ଧ ଦେଖିବେ । ଏକ ସୁଉଚ୍ଚ ସ୍ଥାନରେ ରାଜା ନିଜେ ବସି ସିଂହାସନ ଉପରେ ଦୁହିଁଙ୍କ ଯୁଦ୍ଧ ଦେଖିଲେ । କିଛି କ୍ଷଣ ମଧ୍ୟରେ ମଲ୍ଲ ଯୁଦ୍ଧ ଆରମ୍ଭ ହୋଇଲା । ଦୁଇ ଯୋଦ୍ଧାରଙ୍କ କୌଶଳ ଦେଖି ନଗର ବାସୀ ଆଚମ୍ବିତ ହୋଇଗଲେ । ଲଢିବା ବେଳେ ବୀର ଅଶୋକ ଦତ୍ତ ଦକ୍ଷିଣ ମାଲ ଅଙ୍ଗରେ ବିଷମ ଆଘାତ କରିଲା । ସେହି ଆଘାତରେ ଆଖି ତରାଟି ତକ୍ଷଣେ ପ୍ରାଣ ଛାଡି କଦଳି ବୃକ୍ଷ ପରାଏ ତଳେ ଲୋଟି ପଡିଲା । ଦକ୍ଷିଣକୁ ଆସିଥିବା ମଲ୍ଲ ମରିବା ଦେଖି ପ୍ରଜା ମାନେ ଆନନ୍ଦରେ ଅଶୋକଦତ୍ତର ଜୟ ଜୟକାର କରିଲେ । ରାଜା ଆନନ୍ଦରେ ଅଶୋକଦତ୍ତ କୁ ବହୁ ଧନ , ଗ୍ରାମ ଦେଇ ବସ୍ତ୍ର ଆଭୂଷଣରେ ସମ୍ମାନିତ କରି ନିଜ ପାଶରେ ରଖିଲେ । ଏହିପରି କେତେ ଦିନ ବିତିଯିବା ପରେ ଦିନେ ରାଜା ଅଶୋକ ଦତ୍ତକୁ ନିଜ ସଙ୍ଗତରେ ନେଇ ସନ୍ଧ୍ୟା ସମୟରେ ଅଶ୍ବ ଅରୋହଣ କରିବାକୁ ଗଲେ । କିଛି ଦୂର ଯିବା ପରେ ନିର୍ଜନ ପ୍ରଦେଶରେ ସେହି ସମୟରେ ଶୁଭିଲା ତାଙ୍କୁ ଏକ ଦୀନସ୍ବର । ଆଦୂରରେ ଥାଇ କେହି ଜଣେ ଡାକୁଥିଲା । କହୁଥିଲା — ହେ ରାଜନ ! କୃପାକରି ମତେ ରକ୍ଷାକର ଅଳ୍ପମାତ୍ର ଅପରାଧ କରିଥିଲି ମୁହିଁ । ମୋକଥା ନଶୁଣି ଦଣ୍ତପାଳ ମତେ ଶୁଳିରେ ବସାଇ ଦେଇଛି । ଚାରିଦିନ ହେଲା ଶୁଳରେ ବସିଛି । ଯନ୍ତ୍ରଣାରେ ପୀଡିତ ହୋଇ ମଧ୍ୟ ପିଣ୍ତରୁ ପ୍ରାଣ ଯାଉ ନାହିଁ । ଦୁଷ୍କୃତ କାରୀ ସେ ଲୋକମାନେ ମତେ କଷ୍ଟ ଦେଇଛନ୍ତି କେବେ ସୁଖରେ ରହି ପାରିବେ ନାହିଁ । କେଜାଣି କେଉଁ ଜନ୍ମରେ କେତେ ପାପ କରିଥିଲି ଶୂଳରେ ବସି ମଧ୍ୟ ଜୀବନ ଯାଉନାହିଁ । ତୃଷାର ଆକୁଳ ହେଉଛି ମୋର ଜୀବନ । ପିଇବାକୁ ମୁନ୍ଦାଏ ପାଣି ଦିଅ ମତେ । ରାଜା ସେଦୀନର ବଚନ ଶୁଣି ଅଶୋକଦତ୍ତ କୁ ଚାହିଁ କହିଲେ — ହେ ଅଶୋକ ! ଦେଖ ଏହି ଶୂଳାର୍ପିତ ବ୍ୟକ୍ତିକୁ । କେତେ କଷ୍ଟ ସହୁଛି ତୃଷାରେ ବ୍ୟାକୁଳ ହୋଇ ପାଣି ମୁନ୍ଦାଏ ମାଗୁଛି । ତୁମ୍ଭେ ଯାଇ ଯଥାଶୀଘ୍ର ପାଣି ଦିଅ । ତୃଷାର୍ଥକୁ ଜଳଦେବାଠାରୁ ବଡ ଧର୍ମ ନାହିଁ ସଂସାରରେ ଆଉ କିଛି । ରାଜାଙ୍କ ଆଦେଶ ପାଇ ଅଶୋକ ଦତ୍ତ ଜଳଘଟନେଇ ସେ ତୃଷାତୁର ବ୍ୟକ୍ତି ପାଖକୁ ଗଲା । ଦେଖିଲା ଶୂଳ ଥିବା ସ୍ଥାନଟି ଶ୍ମଶାନରେ ରହିଛି ଚତୁର୍ଦିଗରୁ ନିଶାଚର ଗଣଙ୍କ ବିକଟାଳ ସ୍ବର ଶୁଣାଯାଉଛି । ପାଶରେ କିଛି ଶବ ଦହନ ହେଉଛି ଏବଂ କିଛି ଶବ ଦହନ ହୋଇସାରି ଭସ୍ମରେ ପରିଣତ ହୋଇଛି । ଅଶୋକ ଦତ୍ତ ଶ୍ମଶାନ ଭିତରକୁ ନିର୍ଭୟରେ ଆଗକୁ ବଢି ଚାଲିଲା । ହାତରେ ଜଳଧରି ଶୂଳର୍ପିତ ବ୍ୟକ୍ତି ସମ୍ମୁଖରେ ଠିଆ ହୋଇ ପାଣି ଦେବାକୁ ଉଦ୍ୟତ ହେବା ବେଳେ ଏକ ନବଯୁବା ସ୍ତ୍ରୀ ଆସି ପହଞ୍ଚିଲା । ନବ ଯୌବନରେ ପରିପୂର୍ଣ୍ଣ ରୂପସୀ ନାରୀକୁ ଦେଖି ଅଶୋକ ଦତ୍ତ ନିର୍ଭୟରେ ପଚାରିଲା — ହେଭଦ୍ରେ ! କିଏ ତୁମ୍ଭେ ? ଏହି ଶ୍ମଶାନର ଭ୍ରମଣ କରୁଛ କାହିଁକି ? ଅର୍ଦ୍ଧରାତ୍ରୀ ସମୟ ଏହା । ଏହି ନିର୍ଜନ ଶ୍ମଶାନର ଦେଖିବାକୁ ଅତି ଭୟଙ୍କର । ତୁମେ ଏଠି କେଉଁ କାରଣ ଯୋଗୁଁ ରହିଛ । ଏହି ବ୍ୟକ୍ତି ତ ଶୂଳରେ ବସିଛି । ଏହାକୁ ଚାହିଁ ତୁମ୍ଭେ ତଳେ ଠିଆ ହେବାର କାରଣ କିଶ ହୋଇପାରେ ? ମୋର ସନ୍ଦେହ ଦୂର କର ଗୋ ସୁନ୍ଦରୀ । ଅଶୋକଦତ୍ତ ଙ୍କ ପ୍ରଶ୍ନ ଶୁଣି ସେ ରମଣୀ ବୋଇଲା — ହେ ପୁରୁଷ ଶ୍ରେଷ୍ଠ ! ଏ ହେଉଛନ୍ତି ମୋର ସ୍ବାମୀ । ଏହାର ଭାରିଯା ମୁଁ । ଶୂଳରେ ବସାଇଲା ଏହାକୁ ଦଣ୍ତଦେଇ ରାଜା । କୃପଣ ଯେପରି ନିଜର ଧନକୁ ତ୍ୟାଗକରେ ନାହିଁ ଦେଖ ମୋ ସ୍ବାମୀଙ୍କ ଶରୀରରୁ ପ୍ରାଣ ସେହିପରି ଯାଉ ନାହିଁ । ୟାଙ୍କର ମରଣ କାଳ ହେବାରୁ ମୁଁ ଆସି ଏଠାରେ ଜଗି ରହିଛି । ଇଏ ମରିଲେ ଏହାର ମୃତ ଶବକୁ ଧରି ଅନଳରେ ମୁଁ ପ୍ରବେଶ କରି ଏହାସହ ପରଲୋକ ଗମନ କରିବି । ଏହିପରି ଆଶା ରଖି ମନରେ ମୋ ସ୍ବାମୀକୁ ଜଗି ରହିଛି ଏହି ଶ୍ମଶାନରେ । ତୃଷିତ ହୋଇ ମୋସ୍ବାମୀ ବାରମ୍ବାର ଜଳ ମାଗୁଛନ୍ତି । ଶୂଳରେ ଥିବା ଯୋଗୁଁ ମୋର ହାତ ପାଉ ନାହିଁ । ତେଣୁ ଅତି ଦୁଃଖ ମନରେ ଏଠାରେ ରହିଛି । ଶୂଳସ୍ଥିତ ଅବସ୍ଥାରେ ନିଜ ଗ୍ରୀବାକୁ ଟେକି ଦେଖ କିପରି ଜଳ ଦିଅ କହୁଛନ୍ତି । ଖମ୍ବତଳେ ଥିବା ଯୋଗୁଁ ମୋ ହାତ ପାଉ ନାହିଁ । ଯେତେଥର ଚେଷ୍ଟା କରିଲେ ମଧ୍ୟ ଜଳ ଦେଇ ପାରୁ ନାହିଁ । ତରୁଣୀର ଆକୁଳ ବଚନ ଶୁଣି ଅଶୋକଦତ୍ତ ମନରେ ଦୟା ଆସିଗଲା । ସେ କହିଲା ହେ ମାତ ! ମୋର ସ୍କନ୍ଦରେ ଆରୋହଣ କରି ସ୍ବାମୀକୁ ତୋହର ଜଳପାନ କରାଅ । ଅଶୋକଦତ୍ତ ଙ୍କ କଥା ମାନି ସେ ନାରୀ ଅତି ଖିପ୍ର ଗତିରେ କନ୍ଧ ଉପରକୁ ଉଠିଲା । ଜଳପାତ୍ର ହାତରେ ଧରି କନ୍ଧରେ ଠିଆ ହେଲା । ଅଶୋକ ଦତ୍ତ ସେ ସମୟରେ ତଳକୁ ମୁହଁ ପୋତି ଠିଆ ହୋଇଥିଲା । ସେତେବେଳେ ହଠାତ୍ ତା ଶରୀର ଉପରେ ରକ୍ତର ବୁନ୍ଦାମାନେ ଟପ୍ ଟପ୍ ହୋଇ ପଡିଲା । ଅଶୋକଦତ୍ତ ଆଶ୍ଚର୍ଯ୍ୟ ହୋଇ ରକ୍ତ କେଉଁଆଡୁ ଝରି ପଡିଲା ବିଚାର କରି ଉପରକୁ ମୁଣ୍ତ ଉଠାଇ ଦେଖିଲା । କନ୍ଧରେ ଠିଆ ହୋଇ ସେନାରୀ ଶୂଳରେ ବସିଥିବା ବ୍ୟକ୍ତିକୁ ଖାଉଥିଲା । ଏହାଦେଖି କ୍ରୋଧଭର ହୋଇ ସେନାରୀର ନୁପୂର ମଣ୍ତିତ ପାଦକୁ ଓଟାରି ଧରିଲା । ଅଶୋକଦତ୍ତ ଧରିବା ଦେଖି ସେନାରୀ ନୁପୂର ଛାଡି ସେଠାରୁ ଶୂନ୍ୟରେ ଅଦୃଶ୍ୟ ହୋଇଗଲା । ଅତି ଭୟଙ୍କର ଦୃଶ୍ୟ ଦେଖି ଅଶୋକଦତ୍ତ ତତ୍କ୍ଷଣାତ୍ ସେଠାରୁ ପଳାଇ ଆସିଲା । ରାଜା ନିକଟକୁ ଆସି ନୂପୁର ଗୋଟିକ ରାଜାଙ୍କ ହସ୍ତରେ ଦେଇ ସମସ୍ତ ବୃତ୍ତାନ୍ତ କହିଲା । ରାଜା ଅଶୋକଦତ୍ତର ସାହାସ ଦେଖି ଅନେକ ପ୍ରଶଂସା କରିଲେ । ରାଜ୍ୟକୁ ଫେରିଯାଇ ନିଜ କନ୍ୟା ମନଲେଖାକୁ ଅଶୋକ ଦତ୍ତ ସହିତ ବିଭା କରାଇ ଦେଲେ । କିଛି ଦିନ ଉପରାନ୍ତେ ଦିନେ ନୃପତିଙ୍କ ଦୃଷ୍ଟି ପଡିଲା ସେହି ମଣି ଖଚ୍ଚିତ ନୂପୁର ଉପରେ । ରାଜା ମନରେ ବିଚାର କରିଲେ ଯଦି ଏହା ସମାନ ଆଉ ଏକ ନୂପୁର ମିଳନ୍ତା ତେବେ ରାଣୀଙ୍କ ପାଦରେ ତାହା ଶୋଭା ବଢାନ୍ତା । ନୂପୁର ବିଷୟରେ ବିଚାର କରି ରାଜା ଚିନ୍ତିତ ରହିଲେ କିନ୍ତୁ କାହା ଆଗରେ ନିଜର ମନର କଥା ଜଣାଇଲେ ନାହିଁ । ରାଜାଙ୍କ ମନସ୍ଥିତି ଦେଖି ଅଶୋକଦତ୍ତ ଠେଉରାଇ ଦେଲା । ସେ ମନରେ ବିଚାର କରିଲା ମୁଁ ପୂର୍ବରେ ଶ୍ମଶାନକୁ ଯାଇ ନିର୍ଭୟରେ ନୂପୁର ପାଇ ଆଣିଥିଲି । ଯାହାଠାରୁ ଏହି ନୂପୁର ଆଣିଛି ତାହାର ଆଉଗୋଟିଏ ପାଦରେ ନିଶ୍ଚୟ ଏହାର ଯୋଡି ନୂପୁର ଥିବ । ସେ ନାରୀ କେଉଁ ଠାରେ ଥିବ ? ତାହାକୁ ମୁଁ ପାଇବି କିପରି ? ଏପରି ନାନା ବିଚାର କରି ଉପାୟ ପାଞ୍ଚିଲା ମନରେ । ଭାବିଲା ଅର୍ଦ୍ଧରାତ୍ରୀ ସମୟରେ ସେସ୍ଥାନକୁ ଯାଇ ମହାମାଂସ ବିକ୍ରୟ କରିବି । ମନ୍ତ୍ର ବଳରେ ଭୂତପ୍ରେତ ବେତାଳ ମାନଙ୍କୁ ଆହ୍ବାନ କରିବି । ମାଂସ କିଣି ସେମାନେ ଖାଇବାକୁ ଆସିବା ସମୟରେ ସେ ରାକ୍ଷସୀ ମଧ୍ୟ ନିଶ୍ଚୟ ଆସିବ । ତାହାକୁ ସେତେବେଳେ ଧରି ତାର ପାଦରୁ ନୂପୁର ଛଡାଇ ଆଣିବି । ସହସ୍ର ବେତାଳ କିମ୍ବା କୋଟିଏ ରାକ୍ଷସ ଆସନ୍ତୁ । ସମସ୍ତଙ୍କୁ ନିଜ ବାହୁ ବଳରେ ନାଶ କରିବି । ମୋର କେହି କିଛି କ୍ଷତି କରି ପାରିବେ ନାହିଁ । ଏପରି ସ୍ଥିର କରି ମନକୁ ଦ୍ବିଜ ନନ୍ଦନ ସେରାତ୍ରୀରେ ଶ୍ମାଶାନ ଅଭିମୁଖେ ଗମନ କରିଲା । କିଛି କ୍ଷଣ ମଧ୍ୟରେ ଶ୍ମଶାନରେ ପହଞ୍ଚି ମହାମାଂସ ପସରାକୁ ବାଢିଦେଇ ମନ୍ତ୍ର ବଳରେ ଭୂତ ପ୍ରେତ ରାକ୍ଷସ ମାନଙ୍କୁ ଡାକିଲା । ତାହାର ଡାକ ଶୁଣି ଯେତେଥିଲେ ଭୂତ ,ପ୍ରେତ ,ରାକ୍ଷସ, ପିଶାଚ, ବେତାଳ ଗଣ ସମସ୍ତେ ଅତି ଆନନ୍ଦରେ ସେଠାକୁ ଆସିଲେ । ଅଶୋକକୁ ଦେଖି ନିଶାଚର ଗଣ କହିଲେ — ଶୀଘ୍ର ଦିଅ ଆମକୁ ମାଂସ ଯାହାକୁ ଭକ୍ଷଣ କରିଲେ ଆମର ଆତ୍ମା ସନ୍ତୋଷ ହେବ । ବହୁତ ରାକ୍ଷସୀ ମାନେ ନିଜ ମାତାଙ୍କ ସହିତ ଅଶୋକ ସମ୍ମୁଖକୁ ଆସିଲେ । ସେହି ସମସ୍ତ ରାକ୍ଷସୀ ମାନଙ୍କ ମଧ୍ୟରେ ପୂର୍ବ ରାକ୍ଷସୀ ଥିଲା ଦେଖି ଅଶୋକଦତ୍ତ ଚିହ୍ନି ପାରିଲା । ତାହାକୁ ଦେଖି କହିଲା –ତୋର ଗୋଟିଏ ନୂପୁର ମୁଁ ଆଗରୁ ନେଇଛି । ଅନ୍ୟ ନୂପୁରଟି ମତେ ସମର୍ପଣ କର ତା ବଦଳରେ ଏହି ମାଂସ ଦେବି ତତେ । ରାକ୍ଷସୀ ଅଶୋକଦତ୍ତ ସାହସ ଦେଖି ଅତି ଆନନ୍ଦ ଚିତ୍ତରେ କହିଲା — ତୁ ସତ୍ୟ କହିଲୁ ଏହା ଆଗରୁ ମୋ ପାଦରୁ ଟାଣି ତୁ ଗୋଟିଏ ନୂପୁର ନେଇ ଯାଇଛୁ । ଅନ୍ୟ ନୂପୁର ଦେଉଛି ଭୟନକରି ନେଇଯାଅ । ଏପରି କହି ବିଦ୍ୟୁକେଶି ଆନନ୍ଦ ଚିତ୍ତରେ ନିଜ ପାଦରୁ ଆଉଗୋଟିଏ ନୂପୁର କାଢି ଅଶୋକ ହାତରେ ଧରାଇ କହିଲା — ତୋର ବୀରପଣରେ ମୁଁ ସନ୍ତୁଷ୍ଟ ହେଲି ମୋର ଏହି କନ୍ୟା ବିଦ୍ୟୁପ୍ରଭାକୁ ତୁ ଗ୍ରହଣ କର । ଏହାର ଉପଯୁକ୍ତ ବର ମତେ ମିଳୁନଥିଲା । ତତେ ଦେଖିବା ପରେ ମୋର ଚିନ୍ତାଦୂର ହେଲା । ବିଦ୍ୟୁପ୍ରଭା ଅତ୍ୟନ୍ତ ରୂପବତୀ ଥିଲା ତାହାକୁ ଦେଖି ଅଶୋକ ଆନନ୍ଦ ହୋଇ ଗ୍ରହଣ କରିଲା । ନିଜ ପୁତ୍ରୀକୁ ଅଶୋକ ହସ୍ତରେ ଦେଇ ରାକ୍ଷସୀ ଏକ ସ୍ବର୍ଣ୍ଣପଦ୍ମ ଭେଟି ସ୍ବରୂପ ସମର୍ପଣ କରିଲା । ଅଶୋକ ନିଜ ଶାଶୁ ବିଦ୍ୟୁକେଶି ଠାରୁ ବିଦାୟ ନେଇ , ନୂପୁର ସ୍ବର୍ଣ୍ଣ ପଦ୍ମ ସହିତ ବିଦ୍ୟୁପ୍ରଭାକୁ ସଙ୍ଗରେ ଧରି ସ୍ବସ୍ଥାନକୁ ଗଲା । ରାଜାଙ୍କ ପାଶକୁ ଯାଇ ପ୍ରବେଶ ହୋଇ ସକଳ ଘଟଣା ଜଣାଇଲା ଅଶୋକ ରାଜାଙ୍କ ହସ୍ତରେ ନୂପୁର ଦେଲା । ରାଜା ପ୍ରତାପ ମୁକୁଟ ନୂପୁର ପାଇ ଅଶୋକଦତ୍ତକୁ ବହୁତ ପ୍ରଶଂସା କରି ଅନେକ ରତ୍ନ ବସ୍ତ୍ର ଅଳଙ୍କାର ଦେଲେ । ଏହିପରି କିଛି କାଳ ବିତାଯିବା ପରେ ଅଶୋକଦତ୍ତ ଦିନେ ନିଜ ପତ୍ନୀ ବିଦ୍ୟୁପ୍ରଭାକୁ ଏକାନ୍ତରେ ପାଖରେ ବସାଇ ପଚାରିଲା ହେ ପ୍ରୀୟେ ! ତୁମ୍ଭର ମାତା ଏହି ସୁବର୍ଣ୍ଣ ପଦ୍ମ କାହୁଁ ଆଣିଥିଲେ କୁହ ? ଆଉ କେତେ ପଦ୍ମ ରହିଛି ସେଠାରେ । କେଉଁ ସ୍ଥାନରେ ଏହା ଫୁଟିଛି କହ ? ତାହାକୁ ଆଣିବା ନିମନ୍ତେ ମନ କରିଛି ମୁହିଁ । ଯଦି ଜାଣିଅଛ ଶୀଘ୍ର କହ ମନରେ କୌଣସି ଛଦ୍ମ ନରଖି । ସ୍ବାମୀଙ୍କର ପ୍ରିୟ ବଚନ ଶୁଣି ବିଦ୍ୟୁପ୍ରଭା କହିଲା — ହେବୀର ଶ୍ରେଷ୍ଠ ! ଯାହା ପଚାରିଲ କହୁଛି ଶୁଣ । କପାଳସ୍ପଟନ ନାମକ ଏକ ବେତାଳାଧିପତି ଅଛି । ବେତାଳଗଣଙ୍କ ରାଜ୍ୟକୁ ସେହି ରାଜୁତି କରୁଛି । ସେ ରାଜ୍ୟ ଭିତରେ ଏକ ଦିବ୍ୟ ସରୋବର ରହିଛି ଯହିଁରେ ଅନେକ ସୁବର୍ଣ୍ଣ ପଦ୍ମ ଫୁଟୁଛି । ଥରେ ତୁମ୍ଭ ଶାଶୁ ନିଜ ସଖୀ ରାକ୍ଷସୀ ମାନଙ୍କ ସହିତ ଜଳକ୍ରୀଡା କରିବାକୁ ସେଠାକୁ ଯାଇଥିଲା । ଆସିବା ବେଳେ ଏକ ସ୍ବର୍ଣ୍ଣ ପଦ୍ମ ତୋଳିଆଣି ରଖିଥିଲା । ମୋର ବିବାହ ବେଳେ ଯୌତୁକ ରୂପେ ତୁମ୍ଭକୁ ଦେଲା । ଅଶୋକ ସମସ୍ତ କଥା ଶୁଣି କହିଲା — ହେପ୍ରୀୟେ ! ଚାଲଯିବା ସେସ୍ଥାନକୁ ଆଜି ଯେଉଁଠାରେ ସୁବର୍ଣ୍ଣ ପଦ୍ମ ଫୁଟୁଛି । ମତେ ଦେଖାଇଲେ ମୁଁ ସେହି ଫୁଲ ଗୁଡିକୁ ନିର୍ଭୟରେ ତୋଳି ଆଣିବି । ନିଜ ସ୍ବାମୀର ଆଦେଶ ପାଇ ବିଦ୍ୟୁପ୍ରଭା ସେଇକ୍ଷଣି ନେଇଗଲା ଅଶୋକକୁ ଧରି କାଞ୍ଚନହ୍ରଦ ନିକଟକୁ । ଅଶୋକ ଦେଖିଲା ହ୍ରଦରେ କାଚକେନ୍ଦୁ ସମ ସୁଶ