ଶ୍ରୀପଞ୍ଚମୀ ବା ସରସ୍ୱତୀ ପୂଜା
ଛତ୍ରପୁର(ଏସ.ଏମ.ପି):-କଜ୍ଵଳ ପୂରିତ ଲୋଚନଧାରେ,
ସ୍ତନଯୁଗ ଶୋଭିତ ମୁକୁତାହାରେ ll
ବୀଣାପୁସ୍ତକ ରଞ୍ଜିତ ହସ୍ତେ ,
ଭଗବତୀ ଭାରତୀଦେବୀ ନମସ୍ତେ ll
ଅଇଲେ ସରସ୍ଵତୀ ନିର୍ମଳମନେ,
ରତ୍ନବିଭୂଷିତ କୁଣ୍ଡଳ କର୍ଣ୍ଣେ ll
ଗଳାରେ ଗଜମୋତି ମୁକୁତାହାର ,
ଦିଅ ମା’ ସରସ୍ଵତୀ ବିଦ୍ୟା ଭଣ୍ଡାର ” ll
ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ ଏହି ପୂଜା l ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା କରାଜାଏ l ମା ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନ ବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି l ମା ସରସ୍ୱତୀ ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ଅଶେଷ କୃପା ପ୍ରଦାନ କରିଥାନ୍ତି l
ମାଘମାସ ଶୁକ୍ଳ ପଞ୍ଚମୀକୁ ଶ୍ରୀପଞ୍ଚମୀ ବା ବସନ୍ତପଞ୍ଚମୀ ଭାବେ ପାଳନ କରାଯାଏ । ଋତୁରାଜ ବସନ୍ତ ମନ୍ଦ ମଳୟରେ ଫୁଲର ସୁରଭି ଭରି ସ୍ୱାଗତ କରେ ବିଦ୍ୟାଦାୟିନୀ ମା' ସରସ୍ୱତୀଙ୍କୁ ମାଘ ଶୁକ୍ଳ ପଞ୍ଚମୀରେ । ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର । ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ । ମା' ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା' ସରସ୍ୱତୀ, ମା' ଲକ୍ଷ୍ମୀ , ମା' କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି ।ଗଣେଶ ଯେପରି ବିଦ୍ୟାଦାତା, ବିଘ୍ନ ବିନାଶକ ଓ ମଙ୍ଗଳକାରୀ, ସରସ୍ୱତୀ ମଧ୍ୟ ସେହିରି ବିଦ୍ୟା ସହିତ ଅନ୍ୟାନ୍ୟ ବହୁ ଗୁଣର ଅଧିକାରିଣୀ ।ଆମ ପୁରାଣରେ ଥିବା ବର୍ଣ୍ଣନା ଅନୁସାରେ ସରସ୍ୱତୀ ହେଉଛନ୍ତି ସମସ୍ତ ଜ୍ଞାନ, ବିଜ୍ଞାନ, କଳା, ବୃଦ୍ଧି, ମେଧା, ଧାରଣା, ତର୍କଶକ୍ତି ଆଦିର ଦେବୀ ।
ସରସ୍ୱତୀ ପିତାମହ ବ୍ରହ୍ମାଙ୍କର ପତ୍ନୀ । ମାତ୍ର ବ୍ରହ୍ମାଙ୍କର ମୁଖରୁ ତାଙ୍କର ସୃଷ୍ଟି ହୋଇଥିବାରୁ ସେ ବ୍ରହ୍ମାଙ୍କର କନ୍ୟା ବୋଲି ମଧ୍ୟ ପୁରାଣମାନଙ୍କରେ ବର୍ଣ୍ଣନା କରାଯାଇଛି । ସେଥିରେ କୁହାଯାଇଛି, ବ୍ରହ୍ମାଙ୍କ ହୃଦୟରୁ କାମଦେବ, ଭ୍ରୂଲତାରୁ କ୍ରୋଧ, ଅଧରୋଷ୍ଠରୁ ଲୋଭ ଏବଂ ଅନ୍ୟାନ୍ୟ ଅଙ୍ଗରୁ ସମୁଦ୍ରମାନେ ଓ ନିଋତି ଜାତ ହୋଇଥିଲେ । ସରସ୍ୱତୀ ଜାତ ହୋଇଥିଲେ ବ୍ରହ୍ମାଙ୍କ ମୁଖରୁ । ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣନା ଅଛି, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା ପରମ ରୂପବତୀ କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିଲେ । ତାହା ଶୁଣି କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ ।ଯେଉଁଦିନ ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା, ସେହିଦିନଟି ଥିଲା ମାଘ ଶୁକ୍ଳ ପଞ୍ଚମୀ । ତାହା ‘ଶ୍ରୀପଞ୍ଚମୀ’ ଭାବରେ ପ୍ରସିଦ୍ଧ । କାରଣ ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ । ପୁଣି ସରସ୍ୱତୀ, ବୁଦ୍ଧି,ଐଶ୍ୱର୍ଯ୍ୟ, ଧର୍ମ ଓ ଅର୍ଥ ଆଦି ପୁରୁଷାର୍ଥ, ଅଣିମା ଓ ଲଘିମା ଆଦି ସିଦ୍ଧି ଏବଂ ସୌନ୍ଦର୍ଯ୍ୟ ଓ ମଙ୍ଗଳକୁ ମଧ୍ୟ ତାହା ବୁଝାଏ । ଏଣୁ ସରସ୍ୱତୀଙ୍କ ଆବିର୍ଭାବ ଦିବସ ମାଘ ଶୁକ୍ଳ ପଞ୍ଚମୀକୁ ‘ଶ୍ରୀପଞ୍ଚମୀ' ରୂପେ ପାଳନ କରାଯାଏ । ସେହିଦିନ ସରସ୍ୱତୀଙ୍କର ବିଶେଷ ପୂଜା କରାଯାଏ ।
ବେଦ, ପୁରାଣ, ରାମାୟଣ, ଗୀତା ଆଦିକୁ ସରସ୍ୱତୀଙ୍କ ସ୍ୱରୂପ ବୋଲି ଗ୍ରହଣ କରାଯାଏ । ତେଣୁ ସରସ୍ୱତୀଙ୍କ ମୂର୍ତ୍ତି ନ ଥାଇ ମଧ୍ୟ ମୂର୍ତ୍ତି ପ୍ରତିବଦଳରେ ଏସବୁ ଗ୍ରନ୍ଥକୁ ସରସ୍ୱତୀ ରୂପେ ପୂଜା କରାଯାଏ । ଏଣୁ ମୂର୍ତ୍ତିକୁ ଯେପରି ଅପବିତ୍ର ସ୍ଥାନରେ ରଖିବା ଅନୁଚିତ, ପୁସ୍ତକକୁ ମଧ୍ୟ ସେପରି ଅପବିତ୍ର ସ୍ଥାନରେ ରଖିବା ବା ଅନାଦର କରିବା ଅନୁଚିତ ।ସରସ୍ୱତୀଙ୍କୁ ମଧ୍ୟ ସଂଗୀତର ଦେବୀ ଭାବରେ ଅନେକେ ଉପାସନା କରିଥାଆନ୍ତି । ସେ ହସ୍ତରେ ଧାରଣ କରିଥିବା ବୀଣା ତାଙ୍କର ସଂଗୀତପ୍ରିୟତାର ସୂଚକ ।
ସରସ୍ୱତୀଙ୍କ ନାମ ଓ ସ୍ୱରୂପ ସମ୍ପର୍କରେ ପୁରାଣମାନଙ୍କରେ ବହୁ ବର୍ଣ୍ଣନା ରହିଛି । ସେ ପ୍ରଭାମୟୀ ହୋଇଥିବାରୁ ତାହାଙ୍କର ନାମ ସୁପ୍ରଭା । ନୈମିଷାରଣ୍ୟରେ ଶୌନକାଦି ଋଷିଙ୍କ ସମ୍ମୁଖରେ ସେ ଥରେ କାଞ୍ଚନାକ୍ଷି ରୂପରେ ପ୍ରକଟ ହୋଇଥିଲେ । ପ୍ରୟାଗର ସରସ୍ୱତୀ ଖୁବ୍ ପ୍ରସିଦ୍ଧ । ଉତ୍ତରକୋଶଳ, କୁରୁକ୍ଷେତ୍ର, ହିମାଳୟ ଆଦି ସ୍ଥାନରେ ସେ କୃପାକରି ନଦୀ ରୂପରେ ପ୍ରକଟ ହୋଇଥିଲେ । ଏହିସବୁ ସ୍ଥାନରେ ତାଙ୍କର ନାମ ମନୋରମା, ସୁରେଣୁ, ଓଘବତୀ ଓ ବିମଳୋଦକ । ବହୁ ମୂର୍ତ୍ତିରେ ସେ ହଂସ ଉପରେ ବିରାଜିତା ଥିବା ଦେଖାଯାଏ । ସେ ହାର ଓ ଚନ୍ଦ୍ରମା ଆଦିରେ ବିଭୂଷିତା । କୁନ୍ଦଫୁଲ ପରି ତାଙ୍କର ବର୍ଣ୍ଣ ଶୁଭ୍ର ଓ ଉଜ୍ଜ୍ୱଳ । ତାହାଙ୍କ ମୁଖରେ ସର୍ବଦା ମଧୁର ସ୍ମିତହସ ଶୋଭାପାଉଥାଏ । ହସ୍ତରେ ପୁସ୍ତକ, ବୀଣା, ଅମୃତମୟ ଘଟ ଓ ଅକ୍ଷମାଳା ଧାରଣ କରି ସେ ଶ୍ୱେତପଦ୍ମ ଉପରେ ବିରାଜମାନ କରିଥାଆନ୍ତି ଓ ବିଦ୍ୟାଦାନ କରନ୍ତି ।
ଓଁ ସିଂହସ୍ୟୋ ପରିଦତ୍ତ ଦକ୍ଷ ଚରଣମ୍ ବିଭ୍ରାଜମାନାମ୍ ଶୁଭ୍ରାମ୍
ବୀଣା ପୁସ୍ତକ ଖଡ୍ଗ ଶୂଳମ୍ ଦଧତି ଦକ୍ଷୈଃ କରୋମ୍ବାରୁଭୈଃ।
ଘଣ୍ଟା କାର୍ମୁକ ପଟିସାଂସୁରକଚା ବାମୈ କରୈଃ ବିଭ୍ରତିମ୍
ବିଦ୍ଧନ୍ତି ମହିଷନମାମି ବରଦା ବାକ୍ ଦେବତାଂ ଶାରଦା।।
ଝଙ୍କଡ଼ ବାସିନୀ ଦେବୀ ଶାରଳା ଅଷ୍ଟଭୂଜା ମହିଷମର୍ଦ୍ଦିନୀ l ଦେବୀ ଦକ୍ଷିଣ ହସ୍ତ ଗୁଡିକ ରେ ଖଡ୍ଗ, ଶୂଳ ବୀଣା , ପୁସ୍ତକ ଆଦି ଏବଂ ବାମ ଭୁଜ ଗୁଡିକରେ ଢାଲ , ଘଣ୍ଟା, କାର୍ମୁକ ଏବଂ ମହିଷମର୍ଦ୍ଦିନୀ ର କେଶ ଧାରଣ କରିଥାନ୍ତି l ଦେବୀଙ୍କର ଗୋଟିଏ ପାଦ ସିଂହପୂଷ୍ଠରେ ଥିବାବେଳେ ଅନ୍ୟ ପାଦଟି ଭୂମିସ୍ପର୍ଶ କରୁଅଛି l ମହିଷାସୁର ମା'ଙ୍କ ବାମ ପାଦ ତଳେ ଉଦ୍ୟତ ଭାବେ ଥିବା ବେଳେ ସିଂହଟିଏ ତାକୁ ଗ୍ରାସ କରୁଛି ଓ ମା ତାକୁ ଶୂଳ ଦ୍ୱାରା ନିଜେ ବଧ କରୁଛନ୍ତି ମହିଷମର୍ଦ୍ଦିନୀ ହୋଇଥିବା ସତ୍ତ୍ବେ ହସ୍ତ ରେ ବୀଣା ପୁସ୍ତକ ଧାରଣ କରିବା ଦେବୀ ଙ୍କ ଠାରେ ଏକ ବିଲକ୍ଷଣ ।
ଦେବୀମାନେ ଶସ୍ତ୍ର କିମ୍ବା ଶାସ୍ତ୍ର ଧାରିଣୀ ହୋଇଥିଲେ ମଧ୍ଯ ମା ଶାରଳାଙ୍କ ପାଖରେ ଏହାର ଏକ ବ୍ୟତିକ୍ରମ ଦେଖାଯାଏ l ମା ଶାରଳା ଉଭୟ ଶସ୍ତ୍ର ଓ ଶାସ୍ତ୍ର ଧାରଣ କରିଛନ୍ତି ଯାହାକି କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତରେ ମଧ୍ଯ ବିରଳ l ସେଥିପାଇଁ ମା ଶାରଳାଙ୍କୁ ମହିଷମର୍ଦ୍ଦିନୀ ଶ୍ରୀଦୁର୍ଗା ହିସାବରେ ଗ୍ରହଣ କରାଗଲେ ମଧ୍ୟ , ତା ଅପେକ୍ଷା ଅଧିକ ଭାବରେ ସେ ଗ୍ରହଣୀୟା ହୋଇଛନ୍ତି ମା ସରସ୍ୱତୀ ବାଗଦେବୀ ବା ବିଦ୍ୟାଦାୟିନୀ ଭାବରେ l
ମା ଶାରଳା ଶକ୍ତିମୟୀ ଚଣ୍ଡୀ ନୁହନ୍ତି, ଜ୍ଞାନ ପ୍ରଦାୟିନୀ ସରସ୍ଵତୀ ମଧ୍ୟ। କୃଷିକାରୀ ସିଦ୍ଧେଶ୍ୱର ମା’ଙ୍କୁ ଆରାଧନା କରି ସାରଳା ଦାସ କବି ରୂପେ ପରିଚିତ ହୋଇଥିଲେ। ଓଡ଼ିଶାର ପ୍ରାଚୀନ ଶକ୍ତିପୀଠମାନଙ୍କ ମଧ୍ୟରୁ ଶାରଳାଙ୍କ ପୀଠ ଅନ୍ୟତମ। ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀ ବୋଲି ମା’ଶାରଳାଙ୍କୁ ଗ୍ରହଣ କରାଯାଇଛି। ମା’ଶାରଳାଙ୍କ ପୂଜା ଉପାସନାରେ ଏକ ସମୟରେ ତୁଳସୀ ଓ ବେଲପତ୍ର ଲାଗିଥାଏ।ମାଆ ଏକାଧାରରେ ପରମ ବୈଷ୍ଣବୀ ଓ ନିତ୍ୟଚଣ୍ଡୀ ଅଟନ୍ତି।ମାଆ ଅଷ୍ଟଭୁଜା ସିଂହ ବାହିନୀ। ପ୍ରତିଦିନ ମା’ଙ୍କର ମାର୍ଜନା ପରେ ସର୍ବପ୍ରଥମେ ଶୁଖିଲା ମହାପ୍ରସାଦ ଭୋଗ ଅର୍ପଣ କରାଯାଏ। ମା’ଙ୍କୁ ବିରିପିଠା ବଳି ଓ କଂସା ପାତ୍ରରେ ପଇଡ଼ ପାଣି ନୈବେଦ୍ୟ ଦିଆଯିବାର ବିଧି ରହିଛି।
ଯେଉଁ ଦେବୀଙ୍କର ଦକ୍ଷିଣ ପାଦ ସିଂହର ଶିର ଉପରେ ଶୋଭା ପାଉଛି। ଯେଉଁ ଦକ୍ଷିଣ ଭୁଜ ମାନଙ୍କରେ ବୀଣା-ପୁସ୍ତକ-ଖଡ୍ଗ ଏବଂ ତ୍ରିଶୂଳ ଦ୍ଵାରା ମହିଷାସୁରର ବକ୍ଷକୁ ବିଦୀର୍ଣ୍ଣ କରିଛନ୍ତି ।
ବାମ କର ମାନଙ୍କରେ ଘଣ୍ଟା-ଢାଲ-ଧନୁ ଓ ଶେଷ ହସ୍ତରେ ମହିଷାର ପୁଛକୁ ଧାରଣ କରି ଶୋଭା ପାଉଛନ୍ତି । ସେହି ସିଂହବାହିନୀ ବରଦାୟିନୀ ମହିଷାମର୍ଦ୍ଦିନୀ ମା’ ଶାରଳାଙ୍କୁ ମୁଁ ଶତଶତ ପ୍ରଣିପାତ ଜଣାଉଛି I