ପରୀକ୍ଷାର ପ୍ରସ୍ତୁତି – ଏକ ସମୀକ୍ଷା ବିରଞ୍ଚି ନାରାୟଣ ଦାସ ଅଧ୍ୟକ୍ଷ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନ

ପରୀକ୍ଷା ଜୀବନର ଏକ ଅଭିନ୍ନ ଅଙ୍ଗ ଏଵଂ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଏହା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ବ୍ୟକ୍ତିତ୍ଵ ର ବିକାଶ ତଥା ସମାଜରେ ବ୍ୟକ୍ତିକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ସେଥିପାଇଁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ବୟସ ନିର୍ବିଶେଷରେ ପ୍ରାୟ ସମସ୍ତେ ପରୀକ୍ଷା କୁ ଗୁରୁତ୍ଵ ର ସହ ଗ୍ରହଣ କରନ୍ତି। ପରୀକ୍ଷା ସବୁ ବର୍ଗର ବିଦ୍ୟାର୍ଥୀ ମାନଙ୍କ ମନରେ ଆଶା ଓ ଆଶଙ୍କା ର ଦ୍ଵନ୍ଦ ସୃଷ୍ଟି କରିଥାଏ। ତେଣୁ ଏ ବିଷୟରେ ସମ୍ୟକ୍ ଆଲୋଚନା ହେବା ଅତି ଆବଶ୍ୟକ।ଅତୀତରେ ଗୁରୁକୁଳ ଏଵଂ ନାଳନ୍ଦା ,ତକ୍ଷଶିଳା, ବିକ୍ରମ ଶିଳା ଆଦି ବିଶ୍ଵବିଦ୍ୟାଳୟ ମାନଙ୍କ ରେ ମୌଖିକ ପରୀକ୍ଷା ହେଉଥିଲା। ଆଚାର୍ଯ୍ୟ ଗୁରୁ କିମ୍ବା ଅବଧାନ ଛାତ୍ର ମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ସେମାନଙ୍କର ମୂଲ୍ୟାଙ୍କନ କରୁଥିଲେ। ବିଦ୍ୟାର୍ଥି ମାନେ ବିଦ୍ୟା କୁ ଆନନ୍ଦ ତଥା ଗମ୍ଭୀରତା ସହିତ ନେଇ ଶିକ୍ଷକଙ୍କ ତତ୍ବାବଧାନରେ ବିଦ୍ୟା ଲାଭ କରି ପରୀକ୍ଷାରେ ସଫଳତା ର ସହ ଉତ୍ତୀର୍ଣ୍ଣ ହେଉଥିଲେ। ଅସଫଳ ହେଉଥିବା ଛାତ୍ର ମାନଙ୍କୁ ପୁନଃ ଶିକ୍ଷ୍ୟା ପ୍ରଦାନ କରାଯାଇ ଆବଶ୍ୟକ ସୁଧାର କରାଯାଉଥିଲା।ଆଧୁନିକ ଯୁଗରେ ପରୀକ୍ଷା ର ସ୍ୱରୂପ ବ୍ୟାପକତା ଏବଂ ମୂଲ୍ୟାଙ୍କନ ପଦ୍ଧତି ରେ ବୈପ୍ଲବିକ ପରିବର୍ତ୍ତନ ଆସିଛି। ପ୍ରତିଯୋଗିତାର ଘୋଡ଼ା ଦୌଡ଼ ରେ ଜ୍ଞାନ ଅର୍ଜନ ର ପିପାସା ମୁଖ୍ୟ ସ୍ଥାନ ନ ନେଇ ପରୀକ୍ଷା ଅଙ୍କ ସର୍ବସ୍ବ ହୋଇଯାଇଅଛି। ପିତାମାତା ସାଙ୍ଗସାଥୀ ଏଵଂ ଶିକ୍ଷକ କେବଳ ମାର୍କ ବା ନମ୍ବର ରଖିବା ଉପରେ ଜୋର୍ ଦେଉଛନ୍ତି। ଏହାଦ୍ବାରା ପିଲାମାନେ ପରୀକ୍ଷାର ଚାପରେ ଦବିଗଲା ପରି ଅନୁଭବ କରୁଛନ୍ତି ଏବଂ ଏହା ସେମାନଙ୍କର ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶ ରେ ବାଧା ସୃଷ୍ଟି କରୁଛି। ପରୀକ୍ଷା ଯେତେ ପାଖେଇ ଆସୁଛି, ଛାତ୍ରଛାତ୍ରୀ ମାନେ ସେତେ ଅଧିକ ମାନସିକ ଅବସାଦ, ଚିନ୍ତା, ଏଵଂ ଚାପର ଶିକାର ହେଉଛନ୍ତି। ସେମାନଙ୍କୁ ପ୍ରକୃତ ମାର୍ଗଦର୍ଶନ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ଅଟେ।ବାପା ମାଆ ଏଵଂ ଅଭିଭାବକ ପରୀକ୍ଷା ପୂର୍ବରୁ ଏଵଂ ପରୀକ୍ଷା ସମୟରେ ପିଲାମାନଙ୍କ ସହିତ ଅତ୍ୟନ୍ତ ସମ୍ବେଦନଶୀଳ ବ୍ୟବହାର କରିବା ଉଚିତ୍। ସେମାନଙ୍କର ଖାଦ୍ୟପେୟ ତଥା ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ର ଧ୍ୟାନ ରଖିବା ସହିତ ସେମାନଙ୍କର ଉତ୍ସାହ ବର୍ଦ୍ଧନ କରିବା ଅବଶ୍ୟକ। ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ଅନାବଶ୍ୟକ ଚିନ୍ତା ନ କରି ସେମାନଙ୍କର ସଂଙ୍କାମୋଚନ କରିବା ସହିତ ଉପଯୁକ୍ତ ପ୍ରେରଣା ଏଵଂ ମାର୍ଗଦର୍ଶନ ଦେଲେ ପ୍ରାକ୍ ପରୀକ୍ଷା ଜନିତ ଚାପ କମ୍ ହେବ ଏଵଂ ମନୋବଳ ତଥା ଆତ୍ମବିଶ୍ବାସ ବଢିବ ।ପରୀକ୍ଷା ର ପ୍ରସ୍ତୁତି ନିମନ୍ତେ ପ୍ରଧାନ ଆଚାର୍ଯ୍ୟ ବା ଅଧ୍ୟାପକ ଶିକ୍ଷକ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ଆବଶ୍ୟକ। ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ଏକ ଗୃହ ସମୟ ସାରଣୀ ବା ଟାଇମ ଟେବୁଲ୍ ପ୍ରସ୍ତୁତ କରି ପରୀକ୍ଷା ପାଇଁ ପ୍ରସ୍ତୁତି କଲେ ସଫଳତା ସୁଗମ ହୋଇଥାଏ। ଶିକ୍ଷକ ମାନେ ଅଭିଭାବକଙ୍କ ସହମତି ନେଇ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ପାଠପଢା ସମ୍ଭନ୍ଧିୟ ସନ୍ଦେହ ଦୂର କରିବା ସହିତ ସେମାନଙ୍କୁ ପରୀକ୍ଷା ପରବର୍ତ୍ତୀ ଭବିଷ୍ୟତ ଓ ବିଷୟଚୟନ କିମ୍ବା କାର୍ଯ୍ୟପନ୍ଥା ସମ୍ବନ୍ଧରେ ମଧ୍ୟ ପରାମର୍ଶ ଦେଇପାରିବେ ଏଵଂ ଏହା ପିଲାମାନଙ୍କୁ ପ୍ରୋତ୍ସାହିତ କରିବ ।ସୂଚନା ଏବଂ ପ୍ରଧ୍ୟୋଗିକି ର ସଠିକ୍ ପ୍ରୟୋଗ କରି ମଧ୍ଯ ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାକୁ ନିର୍ଭୀକ ଭାବରେ ସମ୍ମୁଖୀନ ହେବାରେ ସହାୟତା କରାଯାଇପାରିବ। ଟେଲିଫୋନ, ମେସେଜ, ଇମେଲ ଏଵଂ ୱାଟସ୍ ଆପ୍ ମାଧ୍ୟମରେ ଛାତ୍ର ତଥା ଅଭିଭାବକ ମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି ଆବଶ୍ୟକତା ଅନୁସାରେ ସାହାଯ୍ୟ କରିପାରିବେ। ବିଦ୍ୟାଳୟ ଦ୍ଵାରା ଏ ଦିଗରେ ସ୍ବତନ୍ତ୍ର ଇମେଲ କିମ୍ବା ସହାୟତା ଫୋନ ନଂବର୍ ଜାରି କରାଗଲେ ଛାତ୍ରଛାତ୍ରୀ ମାନେ ଅଧିକ ଉପକୃତ ହେବେ।ଆମ ସମସ୍ତଙ୍କର ମନେ ରଖିବା ଉଚିତ୍ ଯେ ଜୀବନରେ ପରୀକ୍ଷା ମହତ୍ୱପୂର୍ଣ୍ଣ ହେଲେ ମଧ୍ୟ ଏହା ଅନ୍ତିମ ଲକ୍ଷ୍ୟ ନୁହେଁ। ଆଗକୁ ପ୍ରଗତି ଏଵଂ ଉନ୍ନତି କରିବା ପାଇଁ ଏହା ଏକ ମାଧ୍ୟମ ମାତ୍ର। ପରୀକ୍ଷାକୁ ନେଇ ଚିନ୍ତିତ କିମ୍ବା ଭୟଭୀତ ହେବାର କିଛି ଆବଶ୍ୟକତା ନାହିଁ। ପରୀକ୍ଷାରେ ସଫଳତା ବା ଅସଫଳତା ସଫଳ ଜୀବନର ମୂଲ୍ୟାଙ୍କନ ର ମାନଦଣ୍ଡ ନୁହେଁ। ସଂପୂର୍ଣ୍ଣ ଜୀବନକାଳ ମଧ୍ୟରେ ଆମକୁ ଅନେକ ସମସ୍ୟା ଏଵଂ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ସମସ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ କୌଣସି ଥିରେ ଅସଫଳ ହେଲେ ନିରାଶ ବା ହତାଶ ହେବା ବୁଦ୍ଧିମତ୍ତା ର ପରିଚୟ ନୁହେଁ। ପରୀକ୍ଷା କୁ ସରଳ ସହଜ ଏଵଂ ସାବଲୀଳ ଢଙ୍ଗରେ ଗ୍ରହଣ କଲେ କେବଳ ସଫଳତା ମିଳେନି ବରଂ ଆନନ୍ଦ ଏଵଂ ଖୁସି ପ୍ରାପ୍ତ ହୁଏ। ପିଲାମାନଙ୍କୁ ଏହା ଶିକ୍ଷା ଦିଆଯିବା ଦରକାର ଯେ ଜୀବନ ଏକ ଯୁଦ୍ଧ କ୍ଷେତ୍ର। ଏଠାରେ ଅନେକ ଛୋଟଛୋଟ ଲଢେଇ ହୁଏ। ଏଵଂ ସେଥିରେ ହାରିବା ଜିତିବା ଲାଗିରହେ କିନ୍ତୁ ମୁଖ୍ୟ ଲକ୍ଷ ଜୀବନ ଯୁଦ୍ଧ କୁ ଜିତିବା ହେବା ଉଚିତ୍।ସେହିପରି ପରୀକ୍ଷା ରେ ଗୋଟିଏ ବା ଦୁଇଟି ପ୍ରଶ୍ନ ର ଉତ୍ତର ନ ଆସିଲେ ହତୋତ୍ସାହିତ ନ ହୋଇ ଆତ୍ମ ବିଶ୍ବାସ ର ସହିତ ସମସ୍ତ ପ୍ରଶ୍ନ ର ଉତ୍ତର ଲେଖିବା ପାଇଁ ଚେଷ୍ଟା କଲେ ନିଶ୍ଚିତ ସଫଳତା ମିଳିବ। ଏହା ପ୍ରମାଣିତ ଏଵଂ ସନ୍ଦେହ ରହିତ ଅଟେ।

You might also like
error: Content is protected !!