ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର,(ବିଚିତ୍ର ସାହୁ):-

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ “ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ” ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ଛତ୍ରପୁର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଅଧ୍ୟକ୍ଷତା କରି “ନାଲସା ଜାଗୃତି ଯୋଜନା–୨୦୨୫” ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ସେ ସାଧାରଣ ଲୋକଙ୍କୁ ନିଶୁଳ୍କ ଆଇନ ସହାୟତା, ନ୍ୟାୟ ପ୍ରାପ୍ତିର ସୁବିଧା ଏବଂ ସଚେତନତାର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।ଛତ୍ରପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ପୂଜା ଦେ ଜେଜେ ସିପିସି ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଓ ଶିଶୁ ନ୍ୟାୟ ବ୍ୟବସ୍ଥାର ବିଭିନ୍ନ ପ୍ରାସଙ୍ଗିକ ଦିଗ ଉପରେ ଉପସ୍ଥାପନ କରିଥିଲେ ।ସେହିପରି ଛତ୍ରପୁର ଉପଖଣ୍ଡିୟ ନ୍ୟାୟିକ ମାଜିଷ୍ଟ୍ରେଟ ଶ୍ରୀମତୀ ବିଷ୍ଣୁପ୍ରିୟା ସାମନ୍ତରାୟ ନିଶୁଳ୍କ ଆଇନ ସେବା ପ୍ରଦାନ ବ୍ୟବସ୍ଥା ଓ ଏହାର ସୁଫଳ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଜେଏମଏଫସି ଶ୍ରୀମତୀ ସ୍ୱାଗତିକା ସ୍ୱାଇଁ ନ୍ୟାୟ ପ୍ରଦାନ ପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଆଇନ ପ୍ରତି ସଚେତନ ହେବାକୁ ପ୍ରେରଣା ଦେଇଥିଲେ ।କଲେଜର ଅଧ୍ୟକ୍ଷ ସ୍ୱାଗତ ଭାଷଣରେ ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ସଚେତନତା ବୃଦ୍ଧି କରୁଥିବା କଥା କହିଥିଲେ । କଲେଜର ପ୍ରଶାସନିକ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଶ୍ରୀ ବ୍ୟୋମକେଶ ନାୟକଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା ।

Smart Computer Ad
You might also like
error: Content is protected !!