ବାଲିଗୁଡା : ୦୪/୦୩ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ଏହାର ଆସପାସ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ଧୁମଧାମରେ ପାଳିତ ହୋଇଯାଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ପିଲାଠୁ ବୃଦ୍ଧ, ଯୁବକ-ଯୁବତୀ ଓ ମହିଳାମାନେ ରଙ୍ଗ ଓ ଅବିରରେ ମାତି ଉଠିଥିଲେ। କିଛି ସମୟ ପାଇଁ ସମଗ୍ର ପରିବେଶ ରଙ୍ଗୀନ ହୋଇଯାଇଥିଲା।ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇ “ବୁରା ନା ମାନୋ ହୋଲି ହୈ” ବୋଲି ଶୁଭେଚ୍ଛା ଜଣାଇଥିଲେ। ଫଗୁଣର ଫଗୁରେ ଭିଜି ନାଚ-ଗୀତରେ ସମସ୍ତେ ମସଗୁଲ୍ ହୋଇଥିଲେ।ହୋଲି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର, ବାଲିଗୁଡା ଓ ରାଧାକୃଷ୍ଣ ମନ୍ଦିର, ବାଲିଗୁଡା ପକ୍ଷରୁ ରାଧା-ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଗାଁ ପରିକ୍ରମା କରାଯାଇଥିଲା। ପ୍ରତ୍ୟୁଷରୁ ଭକ୍ତମାନେ ମନ୍ଦିରରେ ସମୂହ ଦୀପଦାନ କରିବା ସହ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ସଂଗଠନର ସଦସ୍ୟମାନେ ହୋଲି ପର୍ବର ମୂଳ ଲକ୍ଷ୍ୟ ହେଉଛି ପ୍ରେମ, ସାମ୍ପ୍ରୀତି ଓ ଏକତାକୁ ବୃଦ୍ଧି କରିବା ବୋଲି ମତ ପ୍ରକାଶ କରିଥିଲେ। ସମାଜରେ ଅପସଂସ୍କୃତି ଓ ଅପକାର୍ଯ୍ୟରୁ ଦୂରେଇ ରହି ପୂର୍ବ ଗୌରବକୁ ଫେରାଇ ଆଣିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଯାଇଥିଲା। ହୋଲି କେବଳ ରଙ୍ଗ ଖେଳିବା ନୁହେଁ, ବରଂ ହୃଦୟକୁ ହୃଦୟ ସହିତ ଯୋଡ଼ିବାର ଏକ ପବିତ୍ର ପରମ୍ପରା ବୋଲି ଉଲ୍ଲେଖ କରାଯାଇଥିଲା।ଅନ୍ୟପଟେ, କୌଣସି ଅଘଟଣ ନଘଟିବା ପାଇଁ ପୋଲିସ ବିଭାଗ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ଲକିଂ-ଚେକିଂ ସହ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଥିବାରୁ ହୋଲି ପର୍ବ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା।