ବାଲିଗୁଡା, ୧୦/୦୨ (ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଚାଲିଥିବା ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ–୨୦୨୬ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଗତକାଲି ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚରେ ଯୁନାଇଟେଡ଼ ସ୍ପୋର୍ଟ୍ସ କ୍ଲବ ବରଗଡ଼ ଓ ଜେ.ଡି. କ୍ଲବ ଫୁଲବାଣୀ ମଧ୍ୟରେ ହୋଇଥିବା ହାର୍ଡଫାଇଟ୍ ମୁକାବିଲାରେ ଫୁଲବାଣୀ ଦଳ ୩-୧ ଗୋଲରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଏହି ବିଜୟ ସହ ଆସନ୍ତା ୧୧ ତାରିଖରେ ଫୁଲବାଣୀ ଦଳ ଫାଇନାଲ ମ୍ୟାଚରେ ସମ୍ବଲପୁର ସହ ମୁକାବିଲା କରିବ।ଖେଳ ଆରମ୍ଭ ପୂର୍ବରୁ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ବିଧାୟକ ଶ୍ରୀ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ଉପଦେଷ୍ଟା ଶେଖ ସାଦିକ, ଉପସଭାପତି ସତ୍ୟନାରାୟଣ ପାଢ଼ୀ ଓ ସମ୍ପାଦକ ସୁଶାନୁ କୁମାର ଦାସ ପ୍ରମୁଖ ଦୀପ ପ୍ରଜ୍ଜ୍ୱଳନ ଓ ପ୍ରଥମ ସଟ ଦେଇ ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିଲେ।ଫୁଲବାଣୀ ଜେ.ଡି. କ୍ଲବର ୧୧ ନମ୍ବର ଖେଳାଳି ଜିତୁ ମୁଦୁଲି ସର୍ବଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଥିଲେ। ମ୍ୟାଚରେ ଗୋଲ



କରିଥିବା ଖେଳାଳି ସଂଜିତ ଖାରା, ସୋନୁ ସାନା ଓ ଦୁଇଟି ଗୋଲ କରିଥିବା ଜିତୁ ମୁଦୁଲିଙ୍କୁ ବିଧାୟକ ଶ୍ରୀ କହଁରଙ୍କ ଦ୍ୱାରା ପ୍ରତ୍ୟେକଙ୍କୁ ୧୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା।ମ୍ୟାଚକୁ ମୁଖ୍ୟ ରେଫେରୀ ଭାବେ ଏମ.ଡି. ଶେଖଲିନ ଓ ଅନ୍ୟ ରେଫେରୀ ବିଶ୍ୱନାଥ କହଁର, ଶମ୍ଭୁନାଥ ମଲ୍ଲିକ ଏବଂ କାମାକ୍ଷା ପ୍ରସାଦ ପ୍ରଧାନ ପରିଚାଳନା କରିଥିଲେ।ଏହା ସହ ଆଜି ୧୦ ତାରିଖରେ ବରଗଡ଼ ଓ ଭୁବନେଶ୍ୱର ମଧ୍ୟରେ ଏକ ଆକର୍ଷଣୀୟ ମହିଳା ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବ। ଆସନ୍ତା ୧୧ ତାରିଖରେ ଫାଇନାଲ ମ୍ୟାଚ ସହିତ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ, ଏଥିରେ ରାଜ୍ୟର ବହୁ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଖେଳ ଆୟୋଜନକୁ ସଫଳ କରିବା ପାଇଁ ଉପଦେଷ୍ଟା ମଣ୍ଡଳୀର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ ସହ ସମସ୍ତ ସଦସ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସକ୍ରିୟ ଭାବେ ସହଯୋଗ କରିଥିଲେ।