ବାଲିଗୁଡ଼ା, ୬/୨ ସୁକାନ୍ତ କୁମାର ତ୍ରିପାଠୀ:କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ କ୍ରୀଡା ସଂଘ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ପ୍ରଥମ ସେମି-ଫାଇନାଲ ମ୍ୟାଚ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚରେ ସମ୍ବଲପୁର ଏଫସି ଓ ସୁନ୍ଦରଗଡ଼ ଦୋସ୍ତି ବ୍ରଦର ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିଥିଲା।ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ବଲପୁର ଏଫସି ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରି ୧–୦ ଗୋଲରେ ସୁନ୍ଦରଗଡ଼ ଦୋସ୍ତି ବ୍ରଦରକୁ ପରାଜିତ କରି ଫାଇନାଲକୁ ପ୍ରବେଶ କରିଛି। ଏହା ପୂର୍ବରୁ ଗ୍ରୁପ୍ ‘ଏ’ର ଉଦଘାଟନୀ ମ୍ୟାଚରେ ସମ୍ବଲପୁର ଏଫସି ଖୋର୍ଦ୍ଧା ଡାୟମଣ୍ଡ କ୍ଲବକୁ ୪–୧ ଗୋଲରେ ହରାଇଥିଲା।ପ୍ରଥମ ସେମି-ଫାଇନାଲ ଜିତିବା ପରେ ସମ୍ବଲପୁର ଏଫସି ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଖେଳିବ।ତୃତୀୟ ଦିନର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସହରର ବିଶିଷ୍ଟ ବ୍ୟବସାୟୀ ରାଜକିଶୋର ଦାସ, ଡାକ୍ତର ବିଚିତ୍ରାନନ୍ଦ ଆଚାର୍ଯ୍ୟ, ଗୋପବନ୍ଧୁ ସାହୁ, ସୁରେନ୍ଦ୍ର କୁମାର ପାତ୍ର ଓ ସଂଘର ଉପ-ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ ଯୋଗ ଦେଇ ଖେଳାଳି ଓ କ୍ରୀଡା ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ଡାକ୍ତର ବିଚିତ୍ରାନନ୍ଦ ଆଚାର୍ଯ୍ୟ କହିଥିଲେ ଯେ,

ବାଲିଗୁଡ଼ା ଉପଖଣ୍ଡ କ୍ରୀଡା ସଂଘ କନ୍ଧମାଳ ଜିଲ୍ଲାର ଏକ ଅଗ୍ରଣୀ କ୍ରୀଡା ସଂଗଠନ ଭାବେ ଅଞ୍ଚଳର କ୍ରୀଡାବିତଙ୍କୁ ଉତ୍ତମ ଭିତ୍ତିଭୂମି ଯୋଗାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି।ଦୀର୍ଘଦିନ ପରେ ବାଲିଗୁଡ଼ାରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ସଂଘର ସଭାପତି ତଥା ବାଲିଗୁଡ଼ା ଉପ-ଜିଲ୍ଲାପାଳ ପ୍ରଣୀତା ଦାସ ଓ ସମସ୍ତ ସଦସ୍ୟଙ୍କୁ ଅତିଥିମାନେ ଧନ୍ୟବାଦ ଜଣାଇଥିଲେ।ସଂଘର ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ ଅତିଥି ପରିଚୟ, ମଞ୍ଚ ସଞ୍ଚାଳନ ଓ ଉଦଘୋଷକ ଭାବେ ମୁଖ୍ୟ ଭୂମିକା ନିର୍ବାହ କରିଥିବାବେଳେ ସହ-ଉଦଘୋଷକ ଭାବେ ରଞ୍ଜନ କୁମାର ନାୟକ ସହଯୋଗ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ କ୍ରୀଡା ସଂଘର ସମସ୍ତ ସଦସ୍ୟ ଶିବାନନ୍ଦ ପଟ୍ଟନାୟକ, ଏ.ଶ୍ରୀନିବାସ ଦୋରା, ମାନସ ରଞ୍ଜନ ଆଚାର୍ଯ୍ୟ, ରଞ୍ଜିତ କୁମାର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ଗଙ୍ଗାଧର ପଣ୍ଡା, ଭଗବାନ ପଣ୍ଡା,ସୂର୍ଯ୍ୟ ନାରାୟଣ ସୁଆର,ସୁଜିତ କୁମାର ପାଳ,ଦିବାକର ବେହେରା,ସମୀର କୁମାର ପଟ୍ଟନାୟକ,ସୌମ୍ୟରଞ୍ଜନ ନାୟକ,ରୂପକ କୁମାର ନାୟକ,ଦେବୀ ରଞ୍ଜନ ନାୟକ, ସୁଶ୍ରୀ ପଙ୍କଜିନି ବେହେରା ଓ ରୀତାଞ୍ଜଳି ପାତ୍ର ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଛନ୍ତି।