ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର,ପିଆଇବି: ଓଡିଆ, ବଙ୍ଗଳା, ଅହମିଆ, ସାନ୍ତାଳୀ, ବୋଡୋ, ମଣିପୁରୀ, ନେପାଳୀ, ମୈଥିଳି ଆଦି ପୂର୍ବାଞ୍ଚଳୀୟ ଭାଷାରେ ସୃଷ୍ଟି ହୋଇଛି ଅଗଣିତ କାଳଜୟୀ ସାରସ୍ବତ କୃତି। ଗଦ୍ୟ, ପଦ୍ୟ, ନାଟକ ତଥା ସମାଲୋଚନା କ୍ଷେତ୍ରରେ ଏସବୁ ଭାଷାର ସାମୂହିକ ଅବଦାନ ଭାରତୀୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି। ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ। ଏଭଳି ମତ ପ୍ରକାଶ କରିଛନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଉଦ୍ୟମରେ ଆୟୋଜିତ ଦ୍ୱିଦିବସୀୟ ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀର ବକ୍ତାମାନେ। ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଆୟୋଜିତ ଏହି ଲେଖକ ସମ୍ମିଳନୀର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ ତଥା ସୁପରିଚିତ ନାଟ୍ୟକାର ପ୍ରଫେସର ବିଜୟ କୁମାର ଶତପଥୀ । ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତଏହି ଅଧିବେଶନରେ ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟରେ ସାଂପ୍ରତିକ ଧାରା ଶୀର୍ଷକରେ ଆଲୋଚନା କରିଥିଲେ ଗୁଆହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟକାମ ବରଥାକୁର (ଅହମିଆ), ଆଇଏଲଏସଆର କୋଲକାତାର ନିର୍ଦ୍ଦେଶକ ଡକ୍ଟର ସ୍ୱାତୀ ଗୁହା (ବଙ୍ଗଳା) ଏବଂ ବିଶିଷ୍ଟ ଗବେଷକ ଡକ୍ଟର ଅସିତ ମହାନ୍ତି (ଓଡ଼ିଆ) । ପ୍ରଫେସର ଶତପଥୀ ନିଜ ବକ୍ତବ୍ୟରେ ଓଡିଆ ସମେତ ଅନ୍ୟାନ୍ୟ ଭାଷାର ସାଂପ୍ରତିକ ନାଟକର ଧାରା ସମ୍ପର୍କରେ ଆଲୋଚନା କରିଥିଲେ। ପରବର୍ତ୍ତୀ ଅଧିବେଶନରେ ସାହିତ୍ୟ ଅକାଦେମିର ସାନ୍ତାଳୀ ପରାମର୍ଶ ମଣ୍ଡଳୀର ଆବାହକ ଚୈତନ୍ୟ ପ୍ରସାଦ ମାଝୀଙ୍କ ସଭାପତିତ୍ୱରେ କ୍ଷୁଦ୍ରଗଳ୍ପ ପାଠ କରିଥିଲେ ସୋରଖାଇବାମ ଦେବେନ୍ଦ୍ର ମୈତେଇ (ମଣିପୁରୀ), ଚିରଶ୍ରୀ ଇନ୍ଦ୍ରସିଂ (ଓଡ଼ିଆ) ଏବଂ କାଳିଚରଣ ହେମ୍ବ୍ରମ (ସାନ୍ତାଳୀ) । ଶ୍ରୀ ମାଝୀ କ୍ଷୁଦ୍ରଗଳ୍ପର ସୃଷ୍ଟି ଏବଂ ଗୁରୁତ୍ବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ତିମ ଅଧିବେଶନରେ ବିଶିଷ୍ଟ କବି ଡକ୍ଟର ଆଶୁତୋଷ ପରିଡ଼ାଙ୍କ ସଭାପତିତ୍ୱରେ କବିତା ପାଠ କରିଥିଲେ ଥାନେଶ୍ୱର ଗୋୟାରି (ବୋଡ଼ୋ), କ୍ଷେତ୍ରିମାୟୁମ ରାଜେନ ସିଂହ (ମଣିପୁରୀ), ମିଲନ ଥୁଲୁଙ୍ଗ ରାଇ (ନେପାଳୀ), ପବିତ୍ର ମୋହନ ଦାଶ (ଓଡ଼ିଆ) ଏବଂ ରକ୍ଷକ ନାୟକ (ଓଡ଼ିଆ) । ଡକ୍ଟର ପରିଡା କବିତାର ସାମାଜିକ ଆବେଦନ ସମ୍ପର୍କରେ କହିଥିଲେ। ପଠିତ କବିତାଗୁଡିକରେ ଗାନ୍ଧୀ ଏବଂ ବୁଦ୍ଧଙ୍କ ଠାରୁ ଆରମ୍ଭ କରି ସାଂପ୍ରତିକ ଘଟଣାବଳୀ ପ୍ରତୀକାତ୍ମକ ଭାବେ ପ୍ରତିଫଳିତ ହୋଇଥିଲା। ନିମନ୍ତ୍ରିତ ଲେଖକମାନଙ୍କୁ ସାହିତ୍ୟ ଅକୋଦମିର ପୂର୍ବାଞ୍ଚଳୀୟ ଉପଦେଷ୍ଟା ପରିଷଦର ଆବାହକ ଗୌରହରି ଦାସ ଏବଂ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଅକାଦେମି କୋଲକାତା କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ । ଏହି କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା, ଗବେଷକ, ସାହିତ୍ୟପ୍ରେମୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

You might also like
error: Content is protected !!