ଜଗନ୍ନାଥ ସଂସ୍କୃତି ର ଅନନ୍ୟ ପରମ୍ପରା ପଞ୍ଚମହାଦେବ ଙ୍କ କନ୍ୟାଚୋରୀ ନୀତି। ହେଁ, ମହାଦେବ ଙ୍କ କନ୍ୟାଚୋରୀ!

ଖୋର୍ଦ୍ଧା(ସଞ୍ଜୀବ କୁମାର):-

ଜଗନ୍ନାଥ ସଂସ୍କୃତି ର ଅନନ୍ୟ ପରମ୍ପରା ପଞ୍ଚମହାଦେବ ଙ୍କ କନ୍ୟାଚୋରୀ ନୀତି। ହେଁ, ମହାଦେବ ଙ୍କ କନ୍ୟାଚୋରୀ!  

କଥାଟା ଟିକେ ଅଡ଼ୁଆ ଶୁଭୁଥିବ ନିହାତି , ଭଲା ମହାଦେବ କେବେ କନ୍ୟାଚୋରି କଲେ ଆଉ କାହିଁକି କଲେ କେହିତ ଜାଣି ନାହାଁନ୍ତି। ତେବେ ଏ ନିଆରା ପରମ୍ପରା କେବଳ ପୁରୁଷୋତ୍ତମ ରେ ଶିବ ବିବାହ ପୂର୍ବରୁ ଦେଖିବାକୁ ମିଳେ। ମହାପ୍ରଭୁ ଙ୍କୁ ଆଧାର କରି ଉତ୍କଳ ର ସମସ୍ତ ଯାନିଯାତ୍ରା ର ସ୍ରୁଷ୍ଟି ଆଉ ପୁଣି ପୁରୁଷୋତ୍ତମ ରେ ସବୁ ପୂଜା ଉତ୍ସବ ରେ ମହାପ୍ରଭୁ ଙ୍କ ଲୀଳା ର ଛିଟା ଟିକେ ଅଧିକ , ହବନାହିଁ ବା କେମିତି ପୁରୁଷୋତ୍ତମ ମହାପ୍ରଭୁ ଙ୍କ କଟକ ପୁଣି ନିତ୍ଯ ଲୀଳା ଖେଳ ର ବାସସ୍ଥଳୀ। ମହାପ୍ରଭୁ ଙ୍କ ପ୍ରାୟତଃ ସବୁ ଉତ୍ସବ ରେ ମହାଦେବ ତାଙ୍କ ସହଚର ରୂପେ ଥାଆନ୍ତି ସେ ଚନ୍ଦନ ର ଚାପ ଖେଳ ହେଉ କି ଦୋଳଯାତ୍ରା ର ଫଗୁ ଖେଳ ସେହିପରି ମହାପ୍ରଭୁ ତ ଲୀଳାଧର ନଟନାଗର ତାଙ୍କର କୌଣସି ଲୀଳା ସାଧାରଣ ଭାବେ ହୁଏନାହିଁ। ଯେପରି ଚୋରି କରି ଦୟଣା ପିନ୍ଧିବା ହେଉ କି ମହାଦେଇ ଋକ୍ମିଣୀ ଙ୍କୁ ହରଣ କରି ବିବାହ କରିବା ଏ ସବୁ ମହାପ୍ରଭୁ ର ନାଟୁଆ ଲୀଳା ର ଗୋଟିଏ ଗୋଟିଏ ଉଦାହରଣ ଓ ମହାପ୍ରଭୁ ଙ୍କୁ ନେଇ ତାଙ୍କର ପାତ୍ରମନ୍ତ୍ରୀ ଓ ଭକ୍ତଗଣ। ତ ଶ୍ରୀକ୍ଷେତ୍ର ରେ ମହାଦେବ ଙ୍କ କନ୍ୟାଚୋରୀ ନୀତି ମହାପ୍ରଭୁ ଙ୍କ ଋକ୍ମିଣୀ ହରଣ ନୀତି ର ଅବଲୋକନ ଅଟେ।

ଏବେ ବୁଝିବା କନ୍ୟାଚୋରି ନୀତି ର ଆବଶ୍ଯକ କଣ? ଶ୍ରୀକ୍ଷେତ୍ର ରେ ମହାପ୍ରଭୁ ଙ୍କ ସେବାପୂଜା ପାଇଁ ମୁଖ୍ଯତଃ ସାତସାହି ରେ ସେବାୟତ ପରିବାର ବସବାସ କରନ୍ତି। ମହାପ୍ରଭୁ ଙ୍କ ସେବାପୂଜା ପାଇଁ ରାଜାଙ୍କ ସମୟରୁ ଏହି ସାତ ସାହି ର ସ୍ଥାପନା ଏଥିରେ ବସବାସ କରୁଥିବା ସେବାୟତ ମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକ ଙ୍କ ଜୀବନ ଯାପନ ପଦ୍ଧତି ଠାରୁ ସଂପୂର୍ଣ୍ଣ ଭିନ୍ନ ଅଟେ। ସେବକ ର ଜୀବନ ରେ ବହୁତ ପ୍ରତିବନ୍ଧକ ରହିଥାଏ। ଯେପରି ସେବକ ଅଠରନଳା ଡେଇଁ ସେପାଖେ ବିବାହ କରିପାରିବ ନାହିଁ। ସେବାୟତ ପାଇଁ ସେହି ଅନୁରୂପ ସେବକ କୂଳ ସହ କେବଳ ବିବାହ ବାନ୍ଧି ପାରିବ, ପୁରୀ ଛାଡି ବାହାରେ ଚାକିରି କରିପାରିବ ନାହିଁ। ମଦ୍ଯ, ମାଛ ମାଂସ ,ବୈଶ୍ୟା ଠାରୁ ନିବୃତ ରହିବ। ଏପରି ବହୁତ ବାରଣ ରହିଛି। ସେବକ ର ଜୀବନ ଜଗନ୍ନାଥ ଙ୍କ ଠାରୁ ଆରମ୍ଭ ହୋଇ ଜଗନ୍ନାଥ ଙ୍କ ଠାରେ ସରେ । ତେଣୁ ସେବକମାନଙ୍କ ମନୋରଞ୍ଜନ , ଉତ୍ସାହ ଭରିବା ପାଇଁ ପୂଜା ନୀତି ଉତ୍ସବ ଆଡ଼ରେ ଏ ସବୁ ପରମ୍ପରା ଖଞ୍ଜା। ସେ ରାମଲୀଳା ର ସାହିଯାତ ହେଉ କି କୃଷ୍ଣଲୀଳା କି ଗୋସାଣୀ ଯାତ, ଇନ୍ଦ୍ର ହାତୀ, କି ମହାଦେବ ଙ୍କ କନ୍ୟାଚୋରୀ ନୀତି ଏ ସବୁ ପରମ୍ପରା ସେବକ ସାହି ମଧ୍ଯରେ ଆଗ୍ରହ ଉତ୍ସାହ ଓ ଜାଗ୍ରତ ରଖିବା ପାଇଁ ସ୍ରୁଷ୍ଟି ହୋଇଛି। 

   ମହାଦେବ ଙ୍କ କନ୍ୟାଚୋରୀ ର ଆଉ ଏକ ଚିନ୍ତାଧାରା ରହିଛି। ମହାପ୍ରଭୁ ଙ୍କ ବଡ଼ଦେଉଳ ଗୋଟିଏ କାର୍ଯ୍ୟାଳୟ କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରତ୍ୟେହ ୩୬ ପାଟଣା ସେବକ ଗୋଷ୍ଠୀ ପାଳି ଖଟନ୍ତି । ସେହିପରି ଦେବାଦେବୀ ମଧ୍ଯ ବିଭିନ୍ନ ଦାୟିତ୍ୱ ରେ ରହି ମହାପ୍ରଭୁ ଙ୍କୁ ସେବା ଦେଉଥାନ୍ତି। ମହାପ୍ରଭୁ ଙ୍କ ମହାମନ୍ତ୍ରୀ ଓ ଭଣ୍ଡାର ରକ୍ଷକ ରୂପେ ଶ୍ରୀ ଶ୍ରୀ ଲୋକନାଥ ମହାଦେବ ନିୟୋଜିତ ଥାଆନ୍ତି। ସେହିପରି ବଡ଼ଦେଉଳ ର ଆୟ ବାୟର ହିସାବ ନିମନ୍ତେ ଶ୍ରୀ ଜମ୍ବେଶ୍ଵର ମହାଦେବ ନିୟୋଜିତ ଅଛନ୍ତି ବର୍ଷକୁ ଦୁଇ ଥର ରତ୍ନ ସିଂହାସନ ରୁ ଶ୍ରୀ ଶ୍ରୀ ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ଵର ଙ୍କ ଦେଉଳ ବିଜେ ହୋଇ ତାଙ୍କ ପାଖରୁ ବାର୍ଷିକ ଆୟବ୍ୟୟ ଅଟକଳ ର ହିସାବ ଆଣନ୍ତି। ତେଣୁ ସମସ୍ତ ପଂଚ ମହାଦେବ ନିଜ ମନ୍ଦିର ରେ ନରହି ବଡ଼ଦେଉଳ ରେ ବର୍ଷ ତମାମ ନିଜର ଚଳନ୍ତି ପ୍ରତିମା ରୂପେ ଅବସ୍ଥାନ କରନ୍ତି। ଆଉ ସେହି ପଞ୍ଚମହାଦେବ ଙ୍କ ସ୍ବ ସ୍ବ ପାର୍ବତୀ ଉକ୍ତ ମହାଦେବ ମନ୍ଦିର ରେ ନରହି ସେବକ ଙ୍କ ଘରେ କନ୍ଯା ରୂପେ ରୁହନ୍ତି ବର୍ଷକ ରେ ଏହି ଶିବ ବିବାହ ସମୟ ରେ ପଞ୍ଚମହାଦେବ ବଡ଼ଦେଉଳ ରୁ ବିବାହ ପାଇଁ ନିଜ ଦେଉଳ କୁ ବିଜେ କରନ୍ତି। ବିବାହ ପୂର୍ବରୁ ମହାଦେବ ମାନେ ତା ପୂର୍ବ ଦିନ ରାତ୍ରି ରେ ଉକ୍ତ ସେବକ ଙ୍କ ଘରୁ ନିଜ ନିଜ ପାର୍ବତୀ ଙ୍କୁ ଚୋରି କରି ସାହି ସାହି ରେ ବୁଲି ଭୋଗ ଖାଇ ନିଜ ଦେଉଳ ବାହୁଡ଼ନ୍ତି। ପରଦିନ ଶୁଭ ମୁହୂର୍ତ୍ତ ରେ ପାର୍ବତୀ ଙ୍କ ପାଣିଗ୍ରହଣ କରି ବିବାହ ସଂପୂର୍ଣ୍ଣ କରନ୍ତି ପୁଣି ତା ପର ଦିନ ଗୁଆଲି ରେ ନଗର ପରିକ୍ରମା କରି ମହାପ୍ରଭୁ ଙ୍କ ନିମନ୍ତ୍ରଣ ରେ ମହାଦେବ ମାନେ ନିଜ ନିଜ ପାର୍ବତୀ ସହ ବଡ଼ଦେଉଳ ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରି ମହାଲକ୍ଷ୍ମୀ ଙ୍କ ଅଚିନ୍ତା ମଣ୍ଡପ ରେ ବିଜେ ହୁଅନ୍ତି। ସେଠାକୁ ତହିଁପରେ ଶ୍ରୀ ଦୋଳଗୋବିନ୍ଦ ବିଜେ ହେବା ପରେ ମା ଲକ୍ଷ୍ମୀ ସାଆନ୍ତାଣୀ ସେବକ ଙ୍କ ଦ୍ବାରା ନବ ବିବାହିତା ଦମ୍ପତି ଙ୍କୁ ବନ୍ଦାପନା କରି ଶୁଭକାମନା ଜଣାନ୍ତି। 

 ଜଗନ୍ନାଥ ସଂସ୍କୃତି ରେ ମହାଦେବ ଙ୍କୁ ଯେତେ ସମ୍ମାନ ଓ ତାଙ୍କର ଯାନି ଯାତ୍ରା ର ମହାପ୍ରଭୁ ସମ ମହତ୍ବ ବୋଧହୁଏ ଆଉ କେଉଁଠି ଦେଖିବାକୁ ମିଳେ। 

You might also like
error: Content is protected !!